ହାତୀ ଆତଙ୍କ:ସମୀକ୍ଷା କଲେ ପିସିସିଏଫ୍

‘ଖାଦ୍ୟ ଅଭାବ ଓ ଜଂଗଲ ନଷ୍ଟକୁ ଦାୟୀ କଲେ’

ରାୟଗଡା: ବ୍ୟାପକ ଜଂଗଲ ନଷ୍ଟ ଓ ଖାଦ୍ୟ ଅଭାବ ଯୋଗୁ ବନ୍ୟପ୍ରାଣୀ ଗାଁ ମୁହାଁ ହେଉଛନ୍ତି। ପୂର୍ବ ଭଳି ଜଂଗଲରେ ବନ୍ୟପ୍ରାଣୀଙ୍କ ଖାଦ୍ୟ ପାଇଁ ଆବଶ୍ୟକ ଗଛ, ପତ୍ର ନାହିଁ। ପାହାଡ, ପର୍ବତ ଟାଙ୍ଗରା ଭୂଇଁରେ ପରିଣତ ହେଲାଣି। ଯେଉଁଥି ପାଇଁ ହାତୀ ଗାଁ ଭିତରକୁ ପଶି ଆସି ଫସଲ କ୍ଷୟକ୍ଷତି ଘଟାଇବା ସହ ଘର ଭଙ୍ଗାରୁଜା କରୁଛନ୍ତି।
ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଜାରି ରହିଥିବା ହାତୀ ଉପଦ୍ରବର ସ୍ଥିତି ସମୀକ୍ଷା କରି ଏହି ମତ ରଖିଛନ୍ତି ପିସିସିଏଫ୍ ଦେବବ୍ରତ ସ୍ବାଇଁ। ଶ୍ରୀ ସ୍ବାଇଁ କହିଛନ୍ତି, ଜଂଗଲରେ ବର୍ତମାନ ବନୀକରଣର ଆବଶ୍ୟକତା ରହିଛି। ପ୍ରଚୁର ପରିମାଣର ବାଉଁଶ ଗଛ ରୋପଣ କରାଯାଇ ପାରିଲେ ହାତୀ ଆଉ ଗାଁ ମୁହାଁ ହେବେନି। ସେହିପରି ଜଂଗଲ ଜମି ଅଧିକାର ନିୟମରେ ହିତାଧିକାରୀଙ୍କୁ ପଟ୍ଟା ମିଳିବା ପରେ ମନଇଚ୍ଛା ଜଂଗଲ ନଷ୍ଟ କରାଯାଉଛି। ଘର କରିବା ନାଁରେ ଗଛ କଟା ଯାଉ ଥିବାରୁ ଜଂଗଲ ନଷ୍ଟର ପରିମାଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଆଗାମୀ ଦିନରେ ଏହି ଯୋଜନା ମାଧ୍ୟମରେ ଆଉ ହିତାଧିକାରୀଙ୍କୁ ପଟ୍ଟା ମିଳିବ ନାହିଁ। ହାତୀ ଜନବସତି ମୁହାଁ ହେଲେ ବିରକ୍ତି ନ କରି ବନ ବିଭାଗ ସହାୟତାରେ ଘଉଡାଇବା ପାଇଁ ପିସିସିଏଫ୍ ପରାମର୍ଶ ଦେଇଥିଲେ। ଏଥି ସହିତ ଜଂଗଲ ଭିତରେ ବନ୍ୟପ୍ରାଣୀ ଯେପରି ସୁରକ୍ଷିତ ଭାବେ ରହିବେ ସେହିଭଳି ବାତାବରଣ ସୃଷ୍ଟି କରିବା ଉଚିତ୍ ବୋଲି ଶ୍ରୀ ସ୍ବାଇଁ କହିଥିଲେ।
ଆଜି ସକାଳେ ପିସିସିଏଫ୍ ଶେଷଖାଲ-ନେଟୁକେରେଡା-ସୋଲପଦର ଗ୍ରାମରେ ହାତୀପଲଙ୍କ ଗତିବିଧି ଓ ସ୍ଥିତି ସମୀକ୍ଷା କରିଥିଲେ। ନାଗାବଳୀ ନଦୀରେ ପାଣି ଥିବା ଯୋଗୁ ହାତୀ ଉପଦ୍ରବ ଜାରି ରହିଥିବା ଅନିଜା, ବୋରହଲୁଆ, ଏମ୍ପଲୱାଲସା ଆଦି ଗ୍ରାମକୁ ଯାଇପାରି ନଥିଲେ। ସ୍ଥିତି ସମୀକ୍ଷା କରି ଫେରିବା ପରେ ଡିଏଫ୍ଓଙ୍କ କାର୍ଯ୍ୟାଳୟରେ ବନୀକରଣ ଓ ହାତୀ ଉପଦ୍ରବ ସଂପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ପିସିସିଏଫ୍ ଶ୍ରୀ ସ୍ବାଇଁ। ଜିଲ୍ଲାରେ ବନୀକରଣକୁ ଅଧିକ ଗୁରୁତ୍ବ ଦେବା ପାଇଁ ଡିଏଫ୍ଓ ଦେବାର୍ଚନ ବେହେରାଙ୍କ ସହ ଆଲୋଚନା କରିବା ସହ ବିଭାଗୀୟ ନର୍ସରୀ ଓ ପାର୍କ ବୁଲି ଦେଖିଥିଲେ। ହାତୀ ଉପଦ୍ରବରେ ନଷ୍ଟ ହୋଇଥିବା ଫସଲର ଆକଳନ କରି ହିତାଧିକାରୀଙ୍କୁ ତୁରନ୍ତ କ୍ଷତିପୂରଣ ତୁରନ୍ତ ପ୍ରଦାନ କରିବାକୁ ପିସିସିଏଫ୍ ନିର୍ଦେଶ ଦେଇଛନ୍ତି।
ଦୁଇ ସପ୍ତାହ ଧରି ହାତୀ ପଲ ଉପଦ୍ରବ ଜାରି ରଖିଥିବା ବେଳେ ହାତୀଙ୍କ ଉପରେ ନଜର ରଖିବା ପାଇଁ ଆନ୍ଧ୍ର-ଓଡ଼ିଶା ସୀମାରେ ୩୫ ବିଭାଗୀୟ ଅଧିକାରୀଙ୍କୁ ନିଯୁକ୍ତି କରାଯାଇଥିବା ଡିଏଫ୍ଓ ଦେବାର୍ଚନ ବେହେରା ସୂଚନା ଦେଇଛନ୍ତି। ହାତୀଙ୍କ ଫେରିବା ବାଟରେ ଆନ୍ଧ୍ର ବନ କର୍ମଚାରୀ ବାଧକ ସାଜିଥିବା ବେଳେ ବିଗତ ଦିନରେ ହାତୀକୁ ନେଇ ଉଭୟ ରାଜ୍ୟର କର୍ମଚାରୀ ମୁହାଁମୁହିଁ ହୋଇଛନ୍ତି। ହାତୀ ଆକ୍ରମଣରେ ଜଣଙ୍କ ଜୀବନ ମଧ୍ୟ ଯାଇଛି। ଏ ସବୁ ସତ୍ତ୍ବେ ବିଭାଗ ହାତୀ ଉପଦ୍ରବ ଘଟଣାକୁ ହାଲୁକା ଭାବେ ନେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦୁଇ ସପ୍ତାହ ହେଲା ୩ ଗ୍ରାମବାସୀ ଘରେ ଶାନ୍ତିରେ ନିଶ୍ବାସ ମାରି ପାରୁ ନାହାନ୍ତି। ବିଦ୍ୟୁତ୍, ପାନୀୟ ଜଳ ଅଭାବରୁ ସାଧାରଣ ଜୀବନ ଯାପନ ପାଇଁ ଗାଁରୁ ଗାଁ ଘୂରି ବୁଲୁଛନ୍ତି। ତୁରନ୍ତ ବନ ବିଭାଗ ହାତୀକୁ ଘଉଡାଇ ୩ ଗ୍ରାମବାସୀଙ୍କ ଜୀବନ ଜୀବିକା ସ୍ବାଭାବିକ କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର