ଇମ୍ଫା ସମ୍ମୁଖରେ ପୁଣି ଆନ୍ଦୋଳନ:କର୍ମଚାରୀ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ବଚସା ପୁଲିସ ମୁତୟନ

ରାୟଗଡ଼ା: ପୂର୍ବ ନିର୍ଦ୍ଧାରିତ ପ୍ରତିଶୃତି ପାଳନ କରାଯାଇନଥିବା ଅଭିଯୋଗ କରି ଆଜି ଇମ୍ଫା କାରଖାନା ବିରୋଧରେ ପୁଣି ଥରେ ଆଦିବାସୀ ବିକାଶ ପରିଷଦର ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇଛି । ବିକାଶ ପରିଷଦର ସଭ୍ୟ ଜିତୁ ଜାକାସିକାଙ୍କ ନେତୃତ୍ୱରେ କଂପାନି ସମ୍ମୁଖରେ ଆନ୍ଦୋଳନ ଆରମ୍ଭ ହୋଇଛି। ଆନ୍ଦୋଳନକାରୀ ଆଜି ସକାଳେ କାରଖାନା ଫାଟକ ଅବରୋଧ କରି ଧାରଣାରେ ବସି ରହିବା ସହ କର୍ମଚାରୀ ଓ ଶ୍ରମିକଙ୍କୁ ଭିତରକୁ ଯିବାକୁ ବାରଣ କରିଥିଲେ । ଏହାକୁ କେନ୍ଦ୍ର କରି ଉଭୟ ଇମ୍ଫା କର୍ମଚାରୀ- ଶ୍ରମିକ ଏବଂ ଆନ୍ଦୋଳନକାରୀ ମଧ୍ୟରେ ବଚସା ହୋଇଥିଲା। ଏହାକୁ ନେଇ କାରଖାନା ବାହାରେ କିଛି ସମୟ ପାଇଁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲାା ବାରମ୍ବାର ଇମ୍ଫା କର୍ମଚାରୀ-ଶ୍ରମିକଙ୍କ କାର୍ଯ୍ୟରେ କାହିଁକି ପ୍ରତିବନ୍ଧକ ସୃଷ୍ଟି କରାଯାଉଛି ବୋଲି ପ୍ରଶ୍ନ କରାଯାଇଥିଲା।

ଯୁକ୍ତିତର୍କ ଓ ବଚସା ପରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ଘଟଣାସ୍ଥଳରେ ଉପସ୍ଥିତ ଥିବା କୋଲନରା ଭାରପ୍ରାପ୍ତ ବିଡ଼ିଓ କେ. ଶିବା ଗୋପାଳ, ଅତିରିକ୍ତ ତହସିଲଦାର ଗୁରୁଚରଣ ମଲ୍ଲ ଏବଂ ରାୟଗଡ଼ା ଏସଡ଼ିପିଓ ରାଜ କିଶୋର ଦାଶ ହସ୍ତକ୍ଷେପ କରି ଉଭୟଙ୍କୁ ବୁଝାସୁଝା କରିଥିଲେ। ଆନ୍ଦୋଳନକାରୀଙ୍କ ସହ ଆଲୋଚନା ପାଇଁ ଉପ-ଜିଲ୍ଲାପାଳ ପ୍ରବୀର କୁମାର ନାୟକ ଉଦ୍ୟମ କରିଥିଲେ ହେଁ ସେମାନେ ଜିଲ୍ଲାପାଳଙ୍କ ବ୍ୟତୀତ ଆଉ କାହାରି ସହିତ ଆଲୋଚନା କରିବେ ନାହିଁ ବୋଲି ଆବାହାକ ଜିତୁ ଜାକାସିକା ପ୍ରଶାସନକୁ ଜଣାଇଦେଇଥିଲେ। ଗତ ମେ ୧୦ ତାରିଖରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତ୍ରିପାକ୍ଷିକ ଚୁକ୍ତିନାମା ଅନୁଯାୟୀ ୯ ଦଫା ଦାବି ପୁରଣ କରାଯାଇନଥିବାରୁ ପୁନର୍ବାର ଇମ୍ଫା କାରଖାନା ବିରୋଧରେ ଆନ୍ଦୋଳନ କରାଯାଉଥିବା ନେଇ ଆନ୍ଦୋଳନର ନେତୃତ୍ୱ ନେଉଥିବା ଶ୍ରୀ ଜାକାସିକା ସୂଚନା ଦେଇଛନ୍ତି। ଅପରପକ୍ଷରେ ଆନ୍ଦୋଳନକାରୀଙ୍କ ଏଭଳି ଅଭିଯୋଗକୁ ଇମ୍ଫା କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ମେ ୧୦ ତାରିଖରେ ତ୍ରିପାକ୍ଷିକ ଚୁକ୍ତି ଅନୁଯାୟୀ ପ୍ରାୟ ଅଧିକାଂଶ ଦାବି ପୁରଣ କରାଯାଇଥିବା ବେଳେ ଅନ୍ୟ ଦାବି ଗୁଡ଼ିକ ପୂରଣ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି । ଏଭଳି ସ୍ଥିତିରେ ତରବାରିଆ ଭାବେ କାରଖାନାର ଉତ୍ପାଦନ ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ର ଦୁଭାଗ୍ୟଜନକ ବୋଲି ଇମ୍ଫାର ବରିଷ୍ଠ ମହା ପ୍ରବନ୍ଧକ କେ ଭି ରାଓ ପ୍ରକାଶ କରିିଛନ୍ତି। ଦାବି ପୁରଣ ଦିଗରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିବା ଏବଂ ବେଆଇନ ଆନ୍ଦୋଳନକୁ ପ୍ରତ୍ୟାହାର ଦିଗରେ ସହଯୋଗ ପାଇଁ ଜିଲ୍ଲା ପ୍ରଶାସନକୁ ନିବେଦନ କରାଯାଇଥିବା ଶ୍ରୀ ରାଓ ସୂଚନା ଦେଇଛନ୍ତି। ଏ ସଂପର୍କରେ ଏସଡ଼ିପିଓ ଶ୍ରୀ ଦାଶ କହିଛନ୍ତିଯେ ପରିସ୍ଥିତି ଶାନ୍ତ ରହଥିବା ବେଳେ ପୁଲିସ ପରିସ୍ଥିତିକୁ ଦୃଷ୍ଟିରେ ରଖି ଫୋର୍ସ ମୁତୟନ କରାଯାଇଛି। ଆଜି ଉପ-ଜିଲ୍ଲାପାଳ ଆଲୋଚନା ପାଇଁ ଆନ୍ଦୋଳନକାରୀଙ୍କୁ ଅନୁରୋଧ କରିଥିଲେ ମଧ୍ୟ କେହି ଆସିନଥିଲେ । ଆସନ୍ତାକାଲି ଆନ୍ଦୋଳନକାରୀଙ୍କ ସହ ପ୍ରଶାସନ ଓ କଂପାନି କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା କରାଯିବ ବୋଲି ସୂଚନା ଦେଇଛନ୍ତି। କାରଖାନା ସମ୍ମୁଖରେ ଆନ୍ଦୋଳନକାରୀଙ୍କ ଧାରଣା ଜାରି ରହିଥିବାରୁ ଉତ୍ପାଦନ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟଯେ ଗତ ଏପ୍ରିଲ ୨୩ ତାରିଖରୁ ମେ ୧୦ ପର୍ଯ୍ୟନ୍ତ ୯ ଦଫା ଦାବି ପୁରଣ ନେଇ ଆଦିବାସୀ ନେତା ଜିତୁ ଜାକାସିକାଙ୍କ ନେତୃତ୍ୱରେ ଆନ୍ଦୋଳନ କରାଯାଇଥିଲା। ସେହି ସମୟରେ ଆନ୍ଦୋଳନ ହିଂସାତ୍ମକ ମୋଡ଼ ନେଇ ଭଂଗାରୁଜା କରାଯାଇଥିଲା। ଶେଷରେ ଇମ୍ଫା କତ୍ତୃପକ୍ଷ ହାଇକୋର୍ଟରେ ଦ୍ୱାରସ୍ଥ ହେବାରୁ ଜିଲ୍ଲାପାଳ ଗୁହାପୁନମଙ୍କ ଉପସ୍ଥିତିରେ ତ୍ରିପାକ୍ଷିକ ଚୁକ୍ତି ନେଇ ରାଜିନାମା ସ୍ୱାକ୍ଷର ହୋଇଥିଲା।

ସମ୍ବନ୍ଧିତ ଖବର