ବ୍ୟାଙ୍କରେ ନକଲି ଜମିପଟ୍ଟା ଦେଇ ୨କୋଟି ହଡ଼ପ:୮ ବର୍ଷ ପରେ ୭ ଗିରଫ

ଗୁଣପୁର: ଗୁଣପୁର ସ୍ଥିତ ଆନ୍ଧ୍ର ବ୍ୟାଙ୍କରୁ ଗତ ୮ ବର୍ଷ ପୂର୍ବେ ନକଲି ଜମିପଟ୍ଟା ପ୍ରଦାନ କରି ଦୁଇ କୋଟିରୁ ଊର୍ଧ୍ୱ ଟଙ୍କା ହଡପ ହୋଇଥିଲା। ଏହି ଘଟଣାରେ ଗୁଣପୁର ପୁଲିସ ଆନ୍ଧ୍ରର ଶ୍ରୀକାକୁଲମ୍‌ ଜିଲ୍ଲା ବାତ୍ତିଲି ଗ୍ରାମର ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସୂଚନା ଅନୁସାରେ, ପ୍ରାୟ ୮ ବର୍ଷ ପୂର୍ବେ ଆନ୍ଧ୍ର ବ୍ୟାଙ୍କ ଶାଖାରେ ଜାଲ ଜମିପଟ୍ଟା ପ୍ରଦାନ କରି ଦୁଇ କୋଟିରୁ ଊର୍ଧ୍ୱ ଟଙ୍କା ହଡପ କରାଯାଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ସ୍ଥାନୀୟ ବ୍ୟାଙ୍କ ମ୍ୟାନେଜରଙ୍କ ପ୍ରୋତ୍ସାହନରେ କିଛି ଦଲାଲ ଜାଲ ଜମିପଟ୍ଟା ଦେଇ ଋଣ ଟଙ୍କା ଉଠାଇଥିବା ଅଭିଯୋଗ ହେବା ପରେ ଉଚ୍ଚ କର୍ତ୍ତୃପକ୍ଷ ଶାଖା ପରିଚାଳକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ। ବ୍ୟାଙ୍କ ଉଚ୍ଚ କର୍ତ୍ତୃପକ୍ଷ ଏ ସଂପର୍କରେ ପୁଲିସକୁ ମଧ୍ୟ ଜଣାଇଥିଲେ। ପୁଲିସ ଏସ୍‌ଆଇ ଶ୍ରୀମନ୍ତ ବାରିକ ଏହାର ତଦନ୍ତ କରି ପ୍ରଥମେ ତିନି ଜଣଙ୍କୁ ଗିରଫ କରିଥିଲେ। ଏହାପରେ ଆନ୍ଧ୍ର ପୁଲିସ ସହଯୋଗ କରୁନଥିବା ଏବଂ ଏସ୍‌ଆଇ ଶ୍ରୀମନ୍ତ ବାରିକଙ୍କୁ ଅନ୍ୟତ୍ର ବଦଳି ହେବା ପରେ ତଦନ୍ତ ବନ୍ଦ ହୋଇଯାଇଥିଲା।

ତେବେ ବର୍ତ୍ତମାନ ରାୟଗଡା ଏସପି ପିଆର ରାହୁଲଙ୍କ ନିର୍ଦେଶକ୍ରମେ ପୁଣି ଥରେ ଏହି ମାମଲାର ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣାରେ ଗୁଣପୁର ପୁଲିସ ଆନ୍ଧ୍ର ବାତ୍ତିଲି ଗ୍ରାମରେ ଚଢାଉ କରି ଦୟା ନାଗବଂଶ, ଭାସ୍କର ରାଓ ନାଗବଂଶ, ସଂଜୀବ ଶ୍ରୀରାମ, ବାଦାପୁ ସୁକିଲା, ବାଦାପୁ ଆନନ୍ଦ, ଭାସ୍କର ନାଗବଂଶ, ସୁଣ୍ଢି ରାଜୁ ଙ୍କୁ ଗିରଫ କରିଛି। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଂଜୁର ହେବାରୁ ଜେଲକୁ ପଠାଇ ଦିଆଯାଇଛି। ଏହି ଘୋଟାଲାରେ ୫୦ରୁ ଊର୍ଧ୍ୱ ଦଲାଲ ଜଡିତ ଅଛନ୍ତି। ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର