ଜାଲ ନୋଟ କାରବାର ମାମଲାରେ ୩ଗିରଫ:୪୫୦୦ଟଙ୍କାର ଜାଲ ନୋଟ, ୩ଟି ମୋବାଇଲ ଜବତ

ରାୟଗଡା: ଜାଲ ନୋଟ ଜବତ ଘଟଣାରେ ରାୟଗଡା ଜିଲ୍ଲା ଚାନ୍ଦିଲି ପୁଲିସ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କୋଲନରା ପିପିଲି ସାହିର ଯଶବନ୍ତ ଜେନା ଓ ତାଙ୍କ ପୁଅ ରାଜମ ଜେନା, ଗୁଣପୁର ବ୍ଲକ ପୁଟାସିଂ ଅଞ୍ଚଳର ରାଜ କୁମାର ପାଣି। ସେମାନଙ୍କ ଠାରୁ ୯ଟି ଜାଲ ୫ଶହ ଟଙ୍କିଆ ନୋଟ ଓ ୩ଟି ମୋବାଇଲ ଜବତ କରାଯାଇଛି। ଜାଲ ନୋଟ କାରବାର ଚେର କେତେ ଦୂର ଲମ୍ବିଛି ତାହାର ତଦନ୍ତ ପୁଲିସ ଜାରି ରଖିଛି। ଚାନ୍ଦିଲି ଥାନା ଆଇଆଇସି ମନୋଜ କୁମାର ବେହେରାଙ୍କ ସୂଚନା ଅନୁଯାୟୀ, ଗତକାଲି କୋଲନରା ବ୍ଲକ ଜିଂଜିଲିବାଡ଼ି ଚୈତ୍ର ଯାତ୍ରାରେ ରାଜମ ଜେନା ଚାଟ ଖାଇ ବ୍ୟବସାୟୀଙ୍କୁ ୫ଶହ ଟଙ୍କିଆ ନୋଟ ଦେଇ ଖୁଚୁରା ମାଗିଥିଲେ। ଦୋକାନି ଜଣକ ନୋଟକୁ ଦେଖି ସନ୍ଦେହ କରିଥିଲେ। ତେଣୁ ସେହି ନୋଟକୁ ରଖିବା ପାଇଁ ମନା କରିଥିଲେ। କିନ୍ତୁ ରାଜମ ଟଙ୍କା ଦେବା ବଦଳରେ ଦୋକାନିଙ୍କ ସହ ଯୁକ୍ତିତର୍କ କରିଥିଲେ।

ଏହାପରେ ଦୋକାନି ପୂଜା କମିଟିକୁ ଜଣାଇବା ପରେ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ରାଜମଙ୍କୁ କାବୁ କରି ନେଇ ତାଙ୍କ ପକେଟରୁ ୫ଟି ଜାଲ ୫ ଶହ ଟଙ୍କିଆ ନୋଟ ବାହାର କରିଥିଲା। ଖୋଳତାଡ଼ କରିବାରୁ ଗୁଣପୁର ବ୍ଲକ ପୁଟାସିଂର ରାଜ କୁମାର ପାଣି ଉକ୍ତ ଟଙ୍କା ଆଣି ବଦଳ କରିବାକୁ ଦେଇଥିବା ଜଣାପଡିଥିଲା। ତେଣୁ ପୁଲିସ କୋଲନରା ପିପିଲି ସାହି ସ୍ଥିତ ରାଜନ ଜେନାଙ୍କ ବାସ ଭବନକୁ ଯାଇଥିଲା। ସେଠାରେ ପୂର୍ବରୁ ହିଁ ରାଜ କୁମାର ପାଣି ଏବଂ ତାଙ୍କ ବାପା ଦଶବନ୍ତ ଜେନା ଥିଲେ। ପୁଲିସ ୩ଜଣଙ୍କୁ ଥାନାକୁ ନେଇ ପଚରା ଉଚୁରା ଆରମ୍ଭ କରିଥିଲା। ସେମାନଙ୍କ ଠାରୁ ୯ଟି ୫ଶହ ଟଙ୍କିଆ ଜାଲ ନୋଟ, ୩ଟି ମୋବାଇଲ ଫୋନ ସହ ନଗଦ ଟଙ୍କା ଜବତ କରିଥିଲା। ଏହି ନୋଟ ସବୁ କେମିତି ଏଠାକୁ ଆସିଲା ତାହାର ଯାଞ୍ଚ କରାଯାଉଛି। ତେଣୁ ଅଭିଯୁକ୍ତଙ୍କୁ ମୋବାଇଲ ଫୋନର କଲ ରେକର୍ଡକୁ ଯାଞ୍ଚ କରାଯାଉଥିବା ମାମଲାର ତଦାରଖ କରୁଥିବା ଏସଡ଼ିପିଓ ରାଜ କିଶୋର ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର