ବାଣ ବିସ୍ଫୋରଣ, ଶିକ୍ଷୟିତ୍ରୀ ଗୁରୁତର

ରାୟଗଡ଼ା: ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ଟିକଟରେ ଥିବା ଗୋଟିଏ ସରକାରୀ କ୍ବାର୍ଟର୍ସରେ ଆଜି ଅପରାହ୍ନରେ ବାଣ ବିସ୍ଫୋରଣ ହୋଇଛି। ଯାହାଫଳରେ କ୍ବାର୍ଟର୍ସଟି ସଂପୂର୍ଣ୍ଣ ଛାରଖାର ହୋଇଯାଇଥିବା ବେଳେ ଜଣେ ଶିକ୍ଷୟିତ୍ରୀ ଗୁରୁତର ଭାବେ ଆହତ ‌େହାଇଛନ୍ତି। ଆହତ ଶିକ୍ଷୟିତ୍ରୀ ଶୋଭାରାଣୀ ପାତ୍ରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ଚିକିତ୍ସା ପରେ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି। ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ କ୍ବାର୍ଟର୍ସର କାନ୍ଥ ଫାଟିବା ସହ ଟିଣ ଉଡ଼ିଯାଇଥିଲା। ଏପରିକି ନିକଟରେ ଥିବା ଗୋଟିଏ ଗଛ ହୁତହୁତ ହୋଇ ଜଳିଥିଲା।
ମିଳିଥିବା ସୂଚନା ଅନୁଯାୟୀ, କଲ୍ୟାଣସି˚ହପୁର ବ୍ଲକରେ କାର୍ଯ୍ୟରତ ବରିଷ୍ଠ କିରାଣି ଗଦାଧର ପାତ୍ର ରାୟଗଡ଼ା ସ୍ଥିତ ସରକାରୀ କ୍ବାର୍ଟର୍ସରେ ପରିବାର ସହ ରହୁଛନ୍ତି। ଆଗକୁ ଦୀପାବଳି ରହିଥିବା ବେଳେ ସେଥିପାଇଁ ଘରେ କିଛି ବାଣ ଆଣି ରଖିଥିଲେ। ସେଥିରେ କୌଣସି ପ୍ରକାର ନିଆଁ ଲାଗିଯାଇ ବିସ୍ଫୋରଣ ହୋଇଥିଲା। ଯାହାଫଳରେ ଘର ସଂପୂର୍ଣ୍ଣ ପୋଡ଼ିଯାଇଥିଲା ଏବଂ ଶିକ୍ଷୟିତ୍ରୀ ପତ୍ନୀ ବି ଗୁରୁତର ଆହତ ହୋଇଥିଲେ। ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବାଣ କେଉଁଠୁ ଆସିଲା, କେଉଁ ପରିସ୍ଥିତିରେ ବିସ୍ଫୋରଣ ହେଲା ତାହାର ତଦନ୍ତ କରାଯାଉଛି ବୋଲି ରାୟଗଡା ଥାନା ଆଇଆଇସି କୃଷ୍ଣ ଚନ୍ଦ୍ର ଭାତ୍ରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର