ଗୁଣି ସନ୍ଦେହରେ ଜଣକୁ ହତ୍ୟା, ୫ ଗିରଫ

ରାୟଗଡା : ଗୁଣି ଗାରେଡି ସଂଦେହରେ ରାୟଗଡା ଜିଲ୍ଲାରେ ଘଟିଛି ଆଉ ଏକ ହତ୍ୟାକାଣ୍ଡ । ଏହି ହତ୍ୟାକାଣ୍ଡ ଘଟିଛି ଶେଷ୍‌ଖାଲ ଥାନା ଅନ୍ତର୍ଗତ ଦୁର୍ଗମ ଚାଞ୍ଚଡା ଗ୍ରାମରେ । ପୋଲିସ ସୂତ୍ରରୁ ପ୍ରକାଶ ଯେ ଗତ ୧୮ ତାରିଖ ରାତିରେ ଦେଖିନା ତାଡିଙ୍ଗି (୪୭ ବର୍ଷ) ଓ ସ୍ତ୍ରୀ ଆନ୍ଦୁରୀ ତାଡିଙ୍ଗି ଧାନ ଫସଲ ଜଗିବାକୁ ନିଜ ଜମିକୁ ଯାଉଥିଲେ। ଏହି ସମୟରେ ରାସ୍ତାରେ ସେହି ଗ୍ରାମର କେତେ ଜଣ ଦେଖିନା ତାଡିଙ୍ଗିଙ୍କୁ ଠେଙ୍ଗା ଦ୍ୱାରା ପିଟିପିଟି ହତ୍ୟା କରିଥିଲେ। ଆକ୍ରମଣ ସମୟରେ ପତ୍ନୀ ଆନ୍ଦୁରୀ ଜୀବନ ବଞ୍ଚାଇବାକୁ ଦୌଡି ଚାଲିଯାଇଥିଲେ। ତେବେ ଦୁର୍ବୃତ୍ତମାନେ ଦେଖିନା ତାଡିଙ୍ଗିଙ୍କୁ ହତ୍ୟା କରିବାରେ ସେହି ରାତିରେ ହିଁ ନିକଟସ୍ଥ ଜଂଗଲରେ ପୋଡି ଦେଇଥିଲେ।

ଏହି ଘଟଣା ସଂପର୍କରେ କାହାକୁ ଜଣାଇଲେ ଜୀବନରେ ମାରିଦେବେ ବୋଲି ପତ୍ନୀ ଆନ୍ଦୁରୀଙ୍କୁ ଅଭିଯୁକ୍ତମାନେ ଧମକ ଦେଇଥିଲେ। ତେବେ ଗତକାଲି ସଂଧ୍ୟାରେ ମୃତକଙ୍କ ସଂପର୍କୀୟ ଭାଇ ପ୍ରଶାନ୍ତ ତାଡିଙ୍ଗି ହତ୍ୟାକାଣ୍ଡ ସଂପର୍କରେ ଶେଷ୍‌ଖାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏତଲା ପାଇବା ପରେ ପୁଲିସ ଗ୍ରାମରେ ଚଢ଼ାଉ କରି ୫ଜଣଙ୍କୁ ଗିରଫ କରିଛି। ଶେଷ୍‌ଖାଲ୍‌ ଆଇଆଇସି ପିତବାସ ଧାରୁଆ କହିଛନ୍ତି ଗତ ଏକ ବର୍ଷ ମଧ୍ୟରେ ଗ୍ରାମର ୩ ଜଣଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୁବରଣ କରିଥିଲେ। ଦୁଇ ମାସ ତଳେ ନିଲାପୁଇ ତାଡିଙ୍ଗି ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଗୁଣି ଗାରେଡି କରି ହିଁ ଦେଖିନା ମାରୁଥିବା ଗ୍ରାମବାସୀ ସନ୍ଦେହ କରିଥିଲେ। ଏ ନେଇ ପୂର୍ବରୁ ଦେଖିନାଙ୍କୁ କିଛି ଗ୍ରାମବାସୀ ଧମକ ଚମକ ଦେଇଥିଲେ ବୋଲି ସ୍ତ୍ରୀ ଆନ୍ଦୁରୀ ପ୍ରକାଶ କରିଛି ।

ଗିରଫ ଅଭିଯୁକ୍ତ ମଧ୍ୟରୁ ଜଣକୁ ଧରି ପୁଲିସ ପୋଡାଯାଇଥିବା ସ୍ଥାନରୁ ହାଡ଼ ପାଉଁଶ ଜବତ କରିଛି। ଏହି ଘଟଣାରେ ବୁଲା ତାଡିଙ୍ଗି, କିଶା ତାଡିଙ୍ଗି, ଯୋଗୀ ତାଡିଙ୍ଗି, ନାର୍ଶେୟା ତାଡିଙ୍ଗି, ଦଣ୍ଡସା ତାଡ଼ିଙ୍ଗିକୁ ପୁଲିସ ଆଜି କୋର୍ଟ ଚାଲାଣ କରିଛି । ଏହି ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ଆହରୁ ୮ରୁ ୧୦ଜଣ ସଂପୃକ୍ତ ଥିବା ବେଳେ ସେମାନେ ଫେରାର ଥିବା ଆଇଆଇସି. ପିତବାସ ଧାରୁଆ କହିିଛନ୍ତି ।

ସମ୍ବନ୍ଧିତ ଖବର