ରାୟଗଡ଼ାରେ ବଢୁଛି ହାଇଟେକ ଠକେଇ : ଜିଓ ଟାୱାର ପ୍ରତିଷ୍ଠା, ଚାକିରି ଦେବା ନାଁରେ ଠକିନେଲେ ଲକ୍ଷାଧିକ ଟଙ୍କା

ରାୟଗଡ଼ା : ଅଜଣା ନମ୍ବରରୁ ଫୋନ୍ କଲେ। ନିଜକୁ ରିଲାଏନ୍ସ ଜିଓର ଅଧିକାରୀ ଭାବେ ପରିଚୟ ଦେଲେ। ନିଜ ଜମି/କିମ୍ବା ଛାତ ଉପରେ ଜିଓ ମୋବାଇଲ୍ ଟାୱାର ପ୍ରତିଷ୍ଠା କଲେ ମାସିକ ୧୨ ହଜାର ୫ ଶହ ଟଙ୍କା ଭଡ଼ା ମିଳିବାର ଲୋଭ ଦେଖାଇଲେ। ଶେଷରେ ଇନଷ୍ଟାଲସେନ୍ ଚାର୍ଜ ବାବଦକୁ ଟଙ୍କା ଡିପୋଜିଟ୍ କରିବାକୁ କହି ୫ଟି କିସ୍ତିରେ ୧ ଲକ୍ଷ ୯ ହଜାର ଟଙ୍କା ଠକିନେଲେ। ଗୁଣପୁର ଅଞ୍ଚଳର ଜଣେ ବ୍ୟବସାୟୀ ଏପରି ଠକେଇର ଶିକାର ହୋଇଥିବା ବେଳେ ଅଭିଯୋଗ ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ୍।

ଲକଡାଉନ୍ ପୂର୍ବରୁ ଠକେଇର ଶିକାର ହୋଇଥିବା ବ୍ୟବସାୟୀଙ୍କୁ ବାହାର ରାଜ୍ୟରୁ ଫୋନ୍ କଲ୍ ଆସିଥିଲା। ଫୋନ୍ କରିଥିବା ସାଇବର ଠକଙ୍କ ସହ ବ୍ୟବସାୟୀ ଜଣଙ୍କ ଆଲୋଚନା ପରେ ପ୍ରଥମେ ଆକାଉଣ୍ଟରେ କିଛି ଟଙ୍କା ଡିପୋଜିଟ୍ କରିଥିଲେ। କିନ୍ତୁ ପ୍ରତିଶ୍ରୁତି ମୁତାବକ ଟାୱାର ପ୍ରତିଷ୍ଠା ନେଇ କୌଣସି କାଗଜପତ୍ର ନ ଆସିବା ପରେ ବ୍ୟବସାୟୀ ଜଣଙ୍କ ଫୋନ୍ କରିଥିଲେ। ଲକଡାଉନ୍ ଚାଲିଥିବାରୁ କାଗଜପତ୍ର କାମ ଆଗେଇ ପାରୁନଥିବା ଏବଂ କମ୍ପାନି ପ୍ରତିନିଧି ଗୁଣପୁରରେ ପହଞ୍ଚି ପାରୁନଥିବା ସଂପୃକ୍ତ ଠକ ଜଣଙ୍କ କହିଥିଲେ। ବିଶ୍ବାସ ଜନ୍ମାଇ ପୁଣି ଆକାଉଣ୍ଟରେ ଟଙ୍କା ପଠାଇବା କହିବା ପରେ ବ୍ୟବସାୟୀ ଜଣଙ୍କ ଆଉ କିଛି ଟଙ୍କା ଡିପୋଜିଟ୍ କରିଥିଲେ। ଏପରି ଭାବେ ମାର୍ଚ୍ଚରୁ ଅଗଷ୍ଟ ମାସ ମଧ୍ୟରେ ୫ଟି କିସ୍ତିରେ ସାଇବର ଠକ ବ୍ୟବସାୟୀଙ୍କ ନିକଟରୁ ୧ ଲକ୍ଷ ୯ ହଜାର ଟଙ୍କା ଠକି ନେଇଥିଲେ। ବାରମ୍ବାର ଟଙ୍କା ମାଗିବା ସହ ଟାୱାର ପ୍ରତିଷ୍ଠା ନେଇ ଦିନ ଗଡ଼ାଇ ଚାଲିବା ପରେ ସନ୍ଦେହ କରି ବ୍ୟବସାୟୀ ଜଣଙ୍କ ଖୋଳତାଡ଼ କରିବା ପରେ ଉକ୍ତ କଲ୍ ଏବଂ ଟଙ୍କା ଡିପୋଜିଟ୍ ହୋଇଥିବା ଆକାଉଣ୍ଟ୍ ନଂ ରିଲାୟନସ୍ ଜିଓର ହୋଇନଥିବା ଜଣା ପଡିଥିଲା। ଶେଷରେ ବ୍ୟବସାୟୀ ଏ ନେଇ ଗୁଣପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି। ଫୋନ୍ କଲ୍ ଆସିଥିବା ନମ୍ବର ଏବଂ ବ୍ୟାଙ୍କ ଆକାଉଣ୍ଟକୁ ଆଧାର କରି ପୁଲିସ୍ ଛାନଭିନ୍ ଆରମ୍ଭ କରିଥିଲେ ମଧ୍ୟ ଆଜି ଯାଏଁ ଠକଙ୍କ ସଂପର୍କରେ କୌଣସି ସୁରାକ୍ ମିଳିପାରିନି।

ସେହିପରି ଚାକିରୀ ପାଇଁ ନୌକରି ଡଟ୍ କମରେ ନାମ ପଞ୍ଜିକରଣ କରିଥିବା ଗୁଣପୁରର ଜଣେ ଯୁବତୀ ସାଇବର ଠକେଇର ଶିକାର ହୋଇଛନ୍ତି। ସ୍ବତନ୍ତ୍ର ପଞ୍ଜିକରଣ ପାଇଁ ଏକ ଠକ ସଂସ୍ଥାରୁ ଆସିଥିବା ଫୋନ୍ କଲକୁ ବିଶ୍ବାସ କରି ଯୁବତୀ ଜଣଙ୍କ ଅଜଣା ଆକାଉଣ୍ଟରେ ୮୯୯୦ ଟଙ୍କା ଜମା କରିଥିଲେ। ପରେ ଉକ୍ତ ଆକାଉଣ୍ଟ୍ ନମ୍ବର ନୌକରି ଡଟ୍ କମର ନଥିବା ଜାଣିବାକୁ ପାଇଥିଲେ। ଏ ନେଇ ଯୁବତୀ ଜଣଙ୍କ ଗୁଣପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି। ଉଭୟ ମାମଲାକୁ ଗୁରୁତର ସହ ନେଇ ପୁଲିସ୍ ତଦନ୍ତ ଆରମ୍ଭ କରିଥିବା କହିଛନ୍ତି ଏସପି ଡା. ଶର୍ବଣା ବିବେକ ଏମ୍। ବାରମ୍ବାର ସଚେତନତା ସତ୍ତ୍ବେ ଲୋକେ ଅଜଣା ଫୋନ୍ କଲକୁ ବିଶ୍ବାସ କରି ଟଙ୍କା ଡିପୋଜିଟ୍ କରି ଠକେଇର ଶିକାର ହେଉଛନ୍ତି। ଯାହା ପରବର୍ତ୍ତୀ ସମୟରେ ପୁଲିସ୍ ପାଇଁ ସମସ୍ୟା ସୃଷ୍ଟି କରୁଛି। ଠକେଇ ପରେ ଫୋନ୍ କଲ୍ ଆସୁଥିବା ନମ୍ବର ଗୁଡ଼ିକର କୌଣସି ବୈଧତା ନଥିବାରୁ ପୁଲିସ୍ ପାଇଁ ସାଇବର ଠକକୁ ଧରିବା ସହଜସାଧ୍ୟ ହୋଇପାରୁନି। ଏଣୁ ‌କମ୍ପାନି, ବ୍ୟାଙ୍କ ନାଁରେ ଆସୁଥିବା ଫୋନ୍ କଲକୁ ବିଶ୍ବାସ ନ କରିବା ପାଇଁ ଏସପି ନିବେଦନ କରିଛନ୍ତି।

ଗୁଣପୁରର ଏହି ଦୁଇ ମାମଲାକୁ ଛାଡ଼ିଲେ ଜିଲ୍ଲାରେ ଏମିତି ଅନେକ ଲୋକ ସାଇବର ଠକେଇର ଶିକାର ହେଉଛନ୍ତି। ଅନଲାଇନ୍ ସପିଂ, ପଞ୍ଜିକରଣ, କିଣାବିକା, ବ୍ୟାଙ୍କ ଅପଡେଟ୍, ଏଟିଏମ୍ କାର୍ଡ ବଦଳାଇବା, ଚାକିରୀ ନାଁରେ ଏହି ସବୁ ଠକେଇ ହେଉଛି। ସେହିପରି ବ୍ୟାଙ୍କ ଏଟିଏମ୍ ନିକଟରେ ମଧ୍ୟ ସାଇବର ଠକମାନେ ଜଗି ରହି ବୟସ୍କ ଲୋକଙ୍କୁ ଦେଖି ଏଟିଏମ୍ କାର୍ଡ ବଦଳାଇବା ସହ ପିନ କ‌ୋର୍ଡକୁ ଦେଖି ପରବର୍ତ୍ତୀ ସମୟରେ ଲକ୍ଷାଧିକ ଟଙ୍କା ଠକି ନେଉଛନ୍ତି। ସେପ୍ଟେମ୍ବର ୨୨ ତାରିଖରେ ରାୟଗଡ଼ା ସହରର ତୁମ୍ବିଗୁଡା ଛକରେ ଥିବା ଷ୍ଟେଟ୍ ବ୍ୟାଙ୍କ ଏଟିଏମକୁ ଟଙ୍କା ଉଠାଇବାକୁ ଯାଇଥିବା ସାଇପ୍ରିୟା ନଗରର ସୁଧୀର କୁମାର ଷଡଙ୍ଗୀଙ୍କ ଏଟିଏମ କାର୍ଡକୁ ବଦଳାଇ ନେଇ ଦୁର୍ବୃତ୍ତ ୨ ଲକ୍ଷ ୮୭ ହଜାର ୩୩୧ ଟଙ୍କା ଆକାଉଣ୍ଟରୁ ଉଠାଇ ନେଇଥିଲା। ରାୟଗଡ଼ା ପୁଲିସ୍ ଗତକାଲି ଅଭିଯୁକ୍ତ ସୁନୀଲ ଉମାଦଲାକୁ ଗିରଫ କରିବା ସହ ୪୬ ହଜାର ଟଙ୍କାର ଦୁଇଟି ସୁନା ମୁଦି ଏବଂ ୨ ଲକ୍ଷ ୩୬ ହଜାର ୩ ଶହ ଟଙ୍କା ଜବତ କରିଥିଲା।

ସମ୍ବନ୍ଧିତ ଖବର