ଉଦ୍‌ଘାଟନ ଅପେକ୍ଷାରେ ଗୁଡ଼ାରୀ ବଂଶଧାରା ସେତୁ

ରାୟଗଡ଼ା: ସ୍ୱାଧୀନତାର ୭୦ବର୍ଷ ପରେ ଗୁଡ଼ାରୀ ଅଞ୍ଚଳବାସୀଙ୍କ ବହୁ ପ୍ରତୀକ୍ଷିତ ସ୍ୱପ୍ନ ସାକାର ହେବାକୁ ଯାଉଛି। ପୂର୍ବ ଭଳି ଆଉ ବିପଦ ସଂକୁଳ ଅବସ୍ଥାରେ ବଂଶଧାରା ନଦୀ ପାର ହେବାକୁ ପଡ଼ିବ ନାହିଁ। ଦଦରା କାଠ ଡଙ୍ଗା ଉପରେ ବି ଆଉ ଅଞ୍ଚଳରବାସୀ ନିର୍ଭରଶୀଳ ହେବେ ନାହିଁ। କାରଣ ଚଳିତ ବର୍ଷ ଗୁଡ଼ାରୀ-ବାଇନାଗୁଡ଼ାକୁ ସଂଯୋଗ କରିବ ବଂଶଧାରା ନଦୀ ସେତୁ। ଅତିଶୀଘ୍ର ଏହି ପୋଲ ଲୋକାର୍ପଣ ହେବ ବୋଲି ଗୁଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ପାଢୀ ଏବଂ ଠିକାଦାର ସତ୍ୟବାଦୀ ପତି ପ୍ରକାଶ କରିଛନ୍ତି। ଅଳ୍ପ କିଛି କାମ ବାକି ରହିଛି।

ଯାହାକି ଆଗାମୀ ଦିନରେ ଅତିଶୀଘ୍ର ଶେଷ ହୋଇଯିବ। ସେତୁ ନିକଟରେ ଥିବା ୧୧କେଭି ବିଦ୍ୟୁତ ଲାଇନ ସ୍ଥାନାନ୍ତର ଏବଂ ସେତୁ ସଂଯୋଗୀକରଣ ରାସ୍ତା ନିର୍ମାଣ କାର୍ଯ୍ୟ ବର୍ତମାନ ଚାଲିଛି ବୋଲି ଠିକାଦାର ଶ୍ରୀ ପତି କହିଛନ୍ତି। ଏହି ସଂପର୍କରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ କହିଛନ୍ତି ଯେ ବର୍ତମାନ ଏହି ସେତୁ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜୁନ ଶେଷ କିମ୍ବା ଜୁଲାଇ ପ୍ରଥମ ସପ୍ତାହରୁ ସେତୁ ଉପରେ ଦୁଇ ଚକିଆ ଓ ଛୋଟ ଚାରି ଚକିଆ ଯାନ ଚଳାଚଳ କରିବା ପାଇଁ ଉଦ୍ୟମ କରାଯାଉଛି। ଉକ୍ତ ସେତୁ ଉପରେ ସେପ୍ଟେମ୍ବର ମାସରୁ ଭାରୀଯାନ ଏବଂ ଯାତ୍ରୀବାହି ବସ ଗୁଡ଼ିକ ସ୍ୱାଭାବିକ ରୂପେ ଚଳାଚକ କରିିବ।
ସୂଚନାଯୋଗ୍ୟ, ୨୦୧୪ମସିହା ମେ ମାସ ୨୦ ତାରିଖ ଦିନ ଗୁଡ଼ାରୀ-ବାଇନାଗୁଡ଼ା ବଂଶଧାରା ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୪୦୦ ମିଟର ଲମ୍ବା ଓ ୬ମିଟର ଓସାର ବିଶିଷ୍ଟ ସେତୁ ନିର୍ମାଣ ପାଇଁ ୨୨କୋଟି ଟଙ୍କା ବ୍ୟୟ ମଂଜୁର ହୋଇଥିବା ବେଳେ ନିର୍ମାଣ ଶେଷ ବେଳକୁ ୨୫କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ନିର୍ମାଣ କାର୍ଯ୍ୟ ଜୁନ ୨୦୧୮ସୁଦ୍ଧା ଶେଷ କରିବା ନିମନ୍ତେ ଧାର୍ଯ୍ୟ କରାଯାଇଥିବା ବେଳେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ହୋଇଯିବ ବୋଲି ଆଶା କରାଯାଉଛି।

ଅପରପକ୍ଷରେ ସେତୁ ସହ ସଂଯୋଗ ହେଉଥିବା ରାସ୍ତାର କିଛି ଅଂଶ ଘରୋଇ ଜମି (ପ୍ରାୟ ୧ ଏକର) ରହିଛି। ପ୍ରଶାସନ ପକ୍ଷରୁ ବର୍ତମାନ ସୁଦ୍ଧା ଜମି ହରାଇଥିବା ଲୋକଙ୍କୁ କ୍ଷତି ପୂରଣ ପ୍ରଦାନ ବ୍ୟବସ୍ଥା କରାଯାଇ ନଥିବା ଜଣାପଡ଼ିଛି। ସେହିପରି ସେତୁ ନିର୍ମାଣ କାର୍ଯ୍ୟ ୨୦୧୪ ମସିହା ମେ ମାସରେ ଆରମ୍ଭ ହୋଇଥିବା ବେଳେ ପ୍ରଶାସନ କ୍ଷତି ପୂରଣ ଦେବା ପ୍ରକ୍ରିୟା ଶେଷ କରିନଥିବାରୁ ଆଲୋର୍ପଣ ପରେ ଗାଡି ଚଳାଚଳ ସମୟରେ ସମସ୍ୟା ଉପୁଜିବା ସମ୍ଭାବନା ରହିଛି। ଏହି ବିବାଦ ଟାଳିବା ନିମନ୍ତେ ସେତୁ ଲୋକାର୍ପଣ ପୂର୍ବରୁ କ୍ଷତି ପୂରଣ ପ୍ରଦାନ କରି ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ ହସ୍ତକ୍ଷେପ କରିବାକୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର