ରାୟଗଡ଼ା: ଗୁଣପୁରକୁ ଗ୍ରାସିବ ଡେଙ୍ଗୁ। ସହରର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ନେଇ ଏହି ଆଶଙ୍କା ଉପୁଜିଛି। ନାଳ, ନର୍ଦମାରେ ଜମି ରହୁଥିବା ପାଣିକୁ ନିଷ୍କାସନ କରିବା ସହ ଡ୍ରେନ୍ ନଥିବା ଅଞ୍ଚଳରେ ନୂତନ ଡ୍ରେନ୍ ନିର୍ମାଣ ପାଇଁ ଦାବି ହୋଇ ଆସୁଛି। କିନ୍ତୁ ଏନ୍ଏସି କର୍ତୃପକ୍ଷ ନଗରବାସୀଙ୍କ ଦାବିକୁ ଅଣଦେଖା କରି ଚାଲିଥିବାରୁ ଦିନକୁ ଦିନ ପରିମଳ ବ୍ୟବସ୍ଥା କଦର୍ଯ୍ୟ ହେବାରେ ଲାଗିଛି। ଗତ ୪ ତାରିଖରେ ନଗରବାସୀ ଏ ସଂପକର୍ରେ ନିର୍ବାହୀ ଅଧିକାରୀଙ୍କୁ ଅବଗତ କରିବା ସହ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସ୍ମାରକପତ୍ରର ଏକକିତା ନକଲ ଗୁଣପୁର ଉପଜିଲ୍ଲାପାଳ ଓ ଏନ୍ଏସି ଅଧ୍ୟକ୍ଷଙ୍କୁ ମଧ୍ୟ ପ୍ରଦାନ କରାଯାଇଛି। କିନ୍ତୁ ନର୍ଦମା ସଫେଇ କିମ୍ବା ଜମି ରହିଥିବା ପାଣି ନିଷ୍କାସନ ଦିଗରେ ଏନ୍ଏସି କତୃର୍ପକ୍ଷ କିଛି ପଦକ୍ଷେପ ନେଉନଥିବାରୁ ସାଧାରଣରେ ଅସଂତୋଷ ବୃଦ୍ଧି ପାଇବାରେ ଲାଗିଛି।
୧୭ଟି ୱାର୍ଡକୁ ନେଇ ଗଠିତ ଗୁଣପୁର ଏନ୍ଏସି। ସମସ୍ତ ୱାର୍ଡରେ ଉତ୍ତମ ପରିମଳ ବ୍ୟବସ୍ଥା ପାଇଁ ସଫେଇ ଦାୟିତ୍ବ ଦିଆଯାଇଛି ବେସରକାରୀ ସଂସ୍ଥାକୁ। କିନ୍ତୁ ସହରର ବିଭିନ୍ନ ସ୍ଥାନରେ ଦିନ ଦିନ ଧରି ଅଳିଆ, ଆବର୍ଜନା ପଡି ରହିଥିବା ଅଭିଯୋଗ ହୋଇଛି। ୯ନଂ ୱାର୍ଡ ଅନ୍ତର୍ଗତ ଜଗନ୍ନାଥ କଲୋନି ତଳ ସାହିରେ ଏହାର ପ୍ରମାଣ ଦେଖିବାକୁ ମିଳିଛି। ଜଗନ୍ନାଥ କଲୋନି ରାସ୍ତାର ଉଭୟ ପାର୍ଶ୍ବରେ ଆଜି ସୁଦ୍ଧା ଡ୍ରେନ୍ ନିର୍ମାଣ ହୋଇନଥିବାରୁ ରାସ୍ତା ଉପରେ ନର୍ଦମା ପାଣି ଭାସୁଛି। ଖାଲ ଅଞ୍ଚଳରେ ଦୁଇ ଫୁଟର ପାଣି ଜମି ରହୁଥିବାରୁ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେବା ସହ ମଶା, ମାଛି ବଂଶ ବୃଦ୍ଧିରେ ସହାୟକ ହେଉଛି। ଦିନ ରାତି ଘୁଷୁରି ଏହି ଅଞ୍ଚଳରେ ଘୂରି ବୁଲୁଛନ୍ତି। ନୂତନ ଡ୍ରେନ୍ ନିର୍ମାଣ ପାଇଁ ୯ନଂ ୱାର୍ଡ ଦାୟିତ୍ବରେ ଥିବା କନିଷ୍ଠ ଯନ୍ତ୍ରୀଙ୍କୁ ଲୋକେ ବହୁବାର ଗୁହାରି କରିଛନ୍ତି। କିନ୍ତୁ ନର୍ଦମା ନିର୍ମାଣରେ ପ୍ରାଇଭେଟ୍ ଜାଗା ବାଧକ ସାଜିଥିବା ଦର୍ଶାଇ ଯନ୍ତ୍ରୀ ଦିନ ପରେ ଦିନ ଗଡାଇ ଚାଲିଛନ୍ତି। ଦୀର୍ଘ ବର୍ଷ ହେଲା ଏହି କଲୋନିରେ ୨୫ରୁ ଊର୍ଧ୍ବ ପରିବାର ବସବାସ କରୁଥିବା ବେଳେ ଠିକ୍ ସମୟରେ ପୌର କର୍ତୃପକ୍ଷଙ୍କୁ ଟିକସ ପ୍ରଦାନ କରୁଛନ୍ତି। କିନ୍ତୁ ପୌର କର୍ତୃପକ୍ଷ ଏହି କଲୋନିକୁ ରାସ୍ତା ଓ ଡ୍ରେନ୍ ନିର୍ମାଣରେ କାଳକ୍ଷେପଣ ନୀତି ଗ୍ରହଣ କରି ଆସୁଛନ୍ତି। ସବୁଠୁ ପରିତାପର ବିଷୟ ହେଲା ଏହି କଲୋନିରେ ପ୍ରତିଷ୍ଠା ହୋଇଥିବା ଏକ ବେସରକାରୀ ପବ୍ଲିକ୍ ସ୍କୁଲରେ ୮ ଶହରୁ ୧ ହଜାର ପିଲା ପାଠ ପଢ଼ୁଛନ୍ତି। ସ୍କୁଲ୍ ଚତୁପାର୍ଶ୍ବର ପରିମଳ ଅବସ୍ଥା ମଧ୍ୟ ତଦ୍ରୁପ। ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାରେ ସୁଧାର ଆସୁନଥିବାରୁ ଗତ ୬ ମାସରେ ଏହି କଲୋନିର ୩ ଜଣ ଡେଙ୍ଗୁ ଓ ୩ ଜଣ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ସାରିଲେଣି। ତଥାପି ଏନ୍ଏସି କର୍ତୃପକ୍ଷଙ୍କ ନିଦ ଭାଙ୍ଗୁନାହିଁ ବୋଲି କଲୋନିବାସୀ ଅଭିଯୋଗ କରିଛନ୍ତି। ଏପରିକି ସାହିର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ସଂପର୍କିତ ଫଟୋ ଓ ଭିଡିଓ କର୍ତୃପକ୍ଷଙ୍କ ନିକଟକୁ ପଠାଇବା ପରେ ମଧ୍ୟ ଏ ଦିଗରେ ଏନଏସି କର୍ତୃପକ୍ଷ ଚୁପ୍ ହୋଇ ବସି ରହିବା କଲୋନିବାସୀଙ୍କୁ ଚକିତ କରିଛି। କେନ୍ଦ୍ର ସରକାର ବର୍ତମାନ ସ୍ବଚ୍ଛ ଭାରତ ଅଭିଯାନକୁ ଗୁରୁତ୍ବ ଦେଇ ଆସୁଥିବା ବେଳେ ଏ ନେଇ ଅନୁଦାନ ମଧ୍ୟ ପ୍ରଦାନ କରିଛନ୍ତି। କିନ୍ତୁ ଗୁଣପୁରରେ ସ୍ବଚ୍ଛ ଭାରତ ଅଭିଯାନ ବାଟ ହୁଡୁଛି ବୋଲି କଲୋନିବାସୀ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ଗୁଣପୁର ଏନ୍ଏସି ନିର୍ବାହୀ ଅଧିକାରୀ ଭାବଗ୍ରାହୀ ସାହୁଙ୍କୁ ପଚାରିବାରୁ ପରିମଳ ବ୍ୟବସ୍ଥାରେ ତୁରନ୍ତ ସୁଧାର ଅଣାଯିବ ବୋଲି କହିଛନ୍ତି।
ଗୁଣପୁରକୁ ଗ୍ରାସିବ ଡେଙ୍ଗୁ
ଦୁର୍ଗନ୍ଧମୟ ପରିବେଶରେ ସହରବାସୀ ଅଣନିଶ୍ବାସୀଡେଙ୍ଗୁ, ମ୍ୟାଲେରିଆରେ ଆକ୍ରାନ୍ତ ହେଲେଣି ୬ ଜଣ ଜଗନ୍ନାଥ କଲୋନି ରାସ୍ତାରେ ଭାସୁଛି ନର୍ଦମା ପାଣି
/sambad/media/post_attachments/wp-content/uploads/2018/12/raygada.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)