କଲ୍ୟାଣସିଂହପୁର: କଲ୍ୟାଣସିଂହପୁର ବ୍ଲକର ହାତୀମୁଣ୍ଡା ଡ୍ୟାମ ନିର୍ମାଣ କାର୍ଯ୍ୟ ମନ୍ଥରତା ଗତିରେ ଚାଲୁଥିବାରୁ ଚଳିତ ବର୍ଷ ଜମିଙ୍କୁ ପାଣି ଯୋଗାଇବାରେ ଅନିଶ୍ଚିତତା ସୃଷ୍ଠି ହୋଇଥିବାରୁ ଚାଷୀମାନେ ଚିନ୍ତାରେ ପଡିଯାଇଛନ୍ତି। ଗତ ନାଗାବଳୀ ବନ୍ୟାରେ ପ୍ରବଳ ପାଣି ଆସି ଏହି ଡ୍ୟାମର ଉପର ମୁଣ୍ଡ ଠାରୁ ହାତୀମୁଣ୍ଡା ଗ୍ରାମ ନିକଟରେ ଓଭରବ୍ରିଜ ପର୍ଯ୍ୟନ୍ତ ସଂପୂର୍ଣ ଭାସିଯାଇଥିଲା। ଫଳରେ ଚଳିତ ବର୍ଷ ପ୍ରାୟ ତିନି ହଜାର ଏକର ଧାନ ଫସଲ ଜମିକୁ ପାଣି ନମାଡି ସଂପୂର୍ଣ ମରୁଡି ପରିସ୍ଥିତି ସୃଷ୍ଠି ହୋଇଥିଲା। ଏହାପରେ ଜିଲ୍ଲା ପ୍ରଶାସନ ଓ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ଆରମ୍ବ ହୋଇଥିଲା। କିନ୍ତୁ ଠିକାଦାରଙ୍କ ଆନ୍ତରିକତା ଅଭାବ ଯୋଗୁଁ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବାରୁ ଜଳସେଚନ ନେଇ ଚାଷୀ ଚିନ୍ତିତ ହୋଇପଡିଛନ୍ତି। ଡ୍ୟାମ ମରାମତି କାର୍ଯ୍ୟ ଶେଷ ହୋଇନଥିବା ବେଳେ କେନାଲ ମଧ୍ୟ ଅଧପନ୍ତରିଆ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଅଳ୍ପ ଦିନ ପରେ ମୌସମୀ ଆସିଯାଉଥିବାରୁ କେନାଲରେ ପାଣି କେମିତି ଆସିବ ଓ ଚାଷ କେମିତି ଆରମ୍ଭ ହେବ ସେ ନେଇ ଚାଷୀ ଦ୍ୱନ୍ଦରେ ପଡିଛନ୍ତି। ଜମିକୁ ଜଳସେଚନ ନହେଲେ ଚଳିତ ବର୍ଷ ମଧ୍ୟ ମରୁଡି ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ଦେଖାଦେଇଛି। ସେହିପରି ନିର୍ମାଣ କାର୍ଯ୍ୟରେ ନିମ୍ନମାନର ସିମେଣ୍ଟ ଏବଂ ମେଟାଲ ବ୍ୟବହାର ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବନ୍ୟା ପାଣିରେ ହାତୀମୁଣ୍ଡା ଓଭରବ୍ରିଜ ନିକଟରେ ବିରାଟ ଖାଲ ହୋଇଥିବାରୁ ସେଠାରେ ମାଟି ଭର୍ତ୍ତି କରାଯାଇଥିଲେ ମଧ୍ୟ ସମାନ୍ୟ ବର୍ଷାରେ ମାଟି ଧୋଇ ହୋଇଯାଇଛି। ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଗ ଅଧିକାରୀମାନେ ଡ୍ୟାମ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଚଳିତ ମାସ ଶେଷ ସୁଦ୍ଧା କେନାଲରେ ପାଣି ଛାଡିବାକୁ ଠିକାଦାରଙ୍କୁ ନିର୍ଦେଶ ଦିଆଯାଇଛି। ତେବେ ନିର୍ମାଣ ପ୍ରକ୍ରିୟାକୁ ଦେଖିଲେ ଚଳିତ ମାସ ସଂପୂର୍ଣ୍ଣ ହେବା ନେଇ ଆଶଙ୍କା ଦେଖାଦେଇଥିବାରୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି।