ପାହାଡ଼କୁ ଧକ୍କା ଦେଲା ହାଇଵା, ଡ୍ରାଇଭର ସମେତ ୩ ଆହତ

ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ବ୍ଲକ କୋଡିଙ୍ଗାମାଳିରୁ ବକ୍ସାଇଟ୍ ବୋଝେଇ କରି କାକିରିଗୁମ୍ମା ଡମ୍ପିଂୟାର୍ଡକୁ ଯାଉଥିବା ଏକ ହାଇଵା ନିୟନ୍ତ୍ରଣ ହରାଇ ରାସ୍ତା କଡରେ ଥିବା ପାହାଡକୁ ଧକ୍କା ଦେଇଥିଲା। ଫଳରେ ଡ୍ରାଇଭର ସମେତ ହାଇଵାରେ ବସିଥିବା ଅନ୍ୟ ଦୁଇ ଯାତ୍ରୀ ଆହତ ହୋଇଛନ୍ତି। ଖବର ମୁତାବକ ରବିବାର ପାହାନ୍ତିଆରେ କୋଡିଙ୍ଗାମାଳିରୁ ବକ୍ସାଇଟ୍ ବୋଝେଇ ହାଇଵା(ଓଡି-୧୦କେ-୮୮୭୧) କାକିରିଗୁମ୍ମା ଡମ୍ପିଂୟାର୍ଡକୁ ଯାଉଥିଲା। ଗାଡି ଦ୍ରୁତଗତିରେ ଯାଉଥିବାରୁ ଡ୍ରାଇଭର ନିୟନ୍ତ୍ରଣ ହରାଇ ପାହାଡକୁ ଧକ୍କା ଦେଇ ଡ୍ରେନ୍‍ ଭିତରେ ଫସି ଯାଇଥିଲା। ପଛରେ ଯାଉଥିବା ଅନ୍ୟ ହାଇଵା ଗାଡିର ଡ୍ରାଇଭର ମାନେ ଦୁର୍ଘଟଣାଗସ୍ତ ହାଇଵା ଗାଡିର ଡ୍ରାଇଭର ଓ ଅନ୍ୟ ଦୁଇଜଣ ଯାତ୍ରୀଙ୍କୁ ଉଦ୍ଧାର କରି ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଖବର ପାଇ ଗାଡି ମାଲିକ ଦ୍ୱାରା ଦାୟିତ୍ୱ ପ୍ରଦାନ କରାଯାଇଥିବା ସୁପରଭାଇଜର ମାନେ ଡାକ୍ତରଖାନାରେ ପହଞ୍ଚିଥିଲେ। ସକାଳୁ ପୁଲିସ ପହଞ୍ଚିବା ପୂର୍ବରୁ କ୍ରେନ୍‍ ଦ୍ୱାରା ଘଟଣା ସ୍ଥଳରୁ ଗାଡିଟିକୁ ଉଠାଇ ନେଇଯିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନଥିଲା। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଥିଲେ। କିନ୍ତୁ ଖବର ଲେଖାଯିବା ପର୍ଯ୍ୟନ୍ତ କୌଣସି ମାମଲା ରୁଜୁ କରାଯାଇନଥିବା ଆଇଆଇସି ମନୋଜ କୁମାର ବେହେରା ଓ ଏସଡିପିଓ ଅଶ୍ୱିନି ନାୟକ ପ୍ରକାଶ କରିଛନ୍ତି।
ସୂଚନା ଥାଉକି, ଶନିବାର ପାହାନ୍ତିଆରେ ଏହିଭଳି ଦ୍ରୁତଗତିରେ ଯାଉଥିବା ଏକ ହାଇଵା ଲକ୍ଷ୍ମୀପୁର ପୁରୁଣା ବସ୍‍ଷ୍ଟାଣ୍ଡ ନିକଟରେ ଥିବା ଜଣଙ୍କର ଘର ଉପରେ ମାଡିଯାଇଥିଲା। ଘରର ସମ୍ମୁଖ ଅଂଶ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଅଳ୍ପକେ ବର୍ତି ଯାଇଥିଲେ ପରିବାରର ୫ ଜଣ ସଦସ୍ୟ। କୋଡିଙ୍ଗାମାଳିରୁ ବକ୍ସାଇଟ୍ ପରିବହନ କରୁଥିବା ହାଇଵା ଗୁଡିକ ଦ୍ବାରା ବାରମ୍ବାର ଏଭଳି ଦୁର୍ଘଟଣା ହେଉଥିବା ବେଳେ ସଂପୃକ୍ତ ଡ୍ରାଇଭର ଓ ମାଲିକ ମାନଙ୍କ ନାମରେ ଦୁର୍ଘଟଣା ଜନିତ ମାମଲା ରୁଜୁ କରାଯାଉନଥିବା ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ଅନ୍ୟ ପକ୍ଷରେ ଗତ ତିନି ମାସ ଭିତରେ ପ୍ରାୟ ୨୫ରୁ ଉର୍ଧ୍ବ ହାଇଵା ଛୋଟବଡ ଦୁର୍ଘଟଣାର ସାମିଲ ହୋଇଥିବା ବେଳେ କେବଳ ହାତଗଣତି ଦୁଇ ତିନୋଟି ମାମଲା ରୁଜୁ କରି ପୋଲିସ ହାତବାନ୍ଧି ବସିଥିବା ସାଧାରଣରେ ଚର୍ଚ୍ଚା ଧରିଛି। ବକ୍ସାଇଟ ବୋଝେଇ ହାଇଵା ଗାଡି ଗୁଡିକର ବେଗ ୪୦ କିମି ପ୍ରତି ଘଣ୍ଟାକୁ ସୀମିତ କରାଯାଇଥିଲେ ମଧ୍ୟ ଏହାକୁ ଡ୍ରାଇଭର ମାନେ ମାନୁ ନଥିବା ଓ ଅଭିଜ୍ଞ ଡ୍ରାଇଭର ମାନେ ହାଇଵା ଗାଡି ଚଲାଉନଥିବା କାରଣରୁ ମଧ୍ୟ ଦୁର୍ଘଟଣା ହେଉଥିବା ଜଣାପଡିଛି। ବାରମ୍ୱାର ଦୁର୍ଘଟଣାକୁ ନେଇ ଅଞ୍ଚଳବାସୀ ଅତିଷ୍ଠ ହୋଇପଡିଥିବା ବେଳେ ପୁଲିସ ଏହାକୁ ଗୁରୁତ୍ବ ଦେଇ ଦ୍ରୁତଗତିରେ ଚଲାଉଥିବା ଡ୍ରାଇଭର ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସକାଶେ ଦାବି କରାଯାଇଛି।

ସମ୍ବନ୍ଧିତ ଖବର