ରାୟଗଡ଼ା : କର୍ତ୍ତବ୍ୟରତ ଯବାନ, ପୁଲିସ୍ କର୍ମଚାରୀଙ୍କ ସୁରକ୍ଷା କବଚର ବିନ୍ଧାଣି ପାଲଟିଛନ୍ତି ହୋମଗାର୍ଡ଼ ଡି. ଲକ୍ଷ୍ମଣ। ଜିଲ୍ଲାରେ ମୁତୟନ ୧୫୦୦ରୁ ଉର୍ଧ୍ବ କର୍ମଚାରୀଙ୍କ ପାଇଁ ଲକ୍ଷ୍ମଣ ସିଲାଇ କରୁଛନ୍ତି ମାସ୍କ୍। ଲକଡାଉନରେ ଖରା, ବର୍ଷାକୁ ଖାତିର୍ ନ କରି ୨୪ ଘଣ୍ଟିଆ ସୁରକ୍ଷା ଯୋଗାଉଥିବା କର୍ମଚାରୀଙ୍କ ସୁରକ୍ଷା ଲାଗି ମାସ୍କ ତିଆରିରେ ମାତିଛନ୍ତି ଲକ୍ଷ୍ମଣ। ଯାହାକୁ ସାଥୀ ଯବାନଙ୍କ ସମେତ ଏସପି ଓ ବହୁ ଅଧିକାରୀ ବ୍ୟବହାର କରୁଛନ୍ତି।

Advertisment

ରାୟଗଡ଼ା ସହର ରାଣୀଗୁଡ଼ା ଫାର୍ମ ଅଞ୍ଚଳର ବାସିନ୍ଦା ଡି. ଲକ୍ଷ୍ମଣ। ଦୀର୍ଘ ୩୦ ବର୍ଷ ହେଲା ହୋମଗାର୍ଡ଼ ଭାବେ କାର୍ଯ୍ୟରତ ଅଛନ୍ତି ପୁଲିସ୍ ବିଭାଗ‌ରେ। ନିଷ୍ଠାପର ଡ୍ୟୁଟି ସାଙ୍ଗକୁ ସିଲେଇ ଶିଖିଥିବା ଲକ୍ଷ୍ମଣ ଜରୁରୀକାଳୀନ ସ୍ଥିତିରେ ବିଭାଗ ପାଇଁ ସୁରକ୍ଷା କବଚ ଭାବେ କାମ କରୁଛନ୍ତି। କରୋନା ମହାମାରୀ ରୂପ ନେବା ପରେ ସଂକ୍ରମଣ ରୋକିବାକୁ ମାସ୍କ ବ୍ୟବହାରକୁ ସରକାର ବାଧ୍ୟତାମୂଳକ କରିବା ପରେ ଯବାନଙ୍କୁ ମାସ୍କ ପ୍ରଦାନ କରିବା ବିଭାଗ ପାଇଁ ଚ୍ୟାଲେଞ୍ଜ ହୋଇଥିଲା। ଏପରି ସ୍ଥିତିରେ ସିଲେଇ ଶିଖିଥିବା ହୋମଗାର୍ଡ଼ ଲକ୍ଷ୍ମଣ ଏକାକି ସମସ୍ତ ଯବାନଙ୍କ ପାଇଁ ମାସ୍କ ତିଆରି କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ରିଜର୍ଭ ଇନସପେକ୍ଟର୍ ରାମଜିତ୍ ହେମ୍ବ୍ରମ୍ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. ଶର୍ବଣା ବିବେକ ଏମଙ୍କୁ ଏ ସଂପର୍କରେ ଜଣାଇବା ପରେ ଲକ୍ଷ୍ମଣ ଆରମ୍ଭ କରିଥିଲେ କାମ। ମାର୍ଚ୍ଚ ୨୬ ତାରିଖରେ ଲକ୍ଷ୍ମଣ ମାସ୍କ ସିଲେଇ ଆରମ୍ଭ କରିଥିବା ବେଳେ ଆଜି ସୁଦ୍ଧା ୧୨୦୦ ମାସ୍କ ସିଲେଇ କରି ସାରିଲେଣି।

publive-image

ଜିଲ୍ଲା ପୁଲିସ ବିଭାଗ ଅଧୀନ‌ରେ ଥିବା ଥାନା, ଫାଣ୍ଡି, ଜିଲ୍ଲା ପୁଲିସ୍ ମୁଖ୍ୟାଳୟରେ ୧୨୬୦ ପୁଲିସ୍ ପର୍ସନାଲ୍, ରିଜର୍ଭ କ୍ୟାମ୍ପସରେ ୨ ଶହ ଯବାନ ଏବଂ ୭ ପ୍ଲାଟୁନ୍ ଓଏସଏପି ଯବାନ ସୁରକ୍ଷା ଦାୟିତ୍ବରେ ମୁତୟନ ହୋଇଛନ୍ତି। ସମସ୍ତ ଯବାନଙ୍କୁ ମାସ୍କ ଯୋଗାଇବାକୁ ନିର୍ଦେଶ ଆସିବା ପରେ ହୋମଗାର୍ଡ଼ ଲକ୍ଷ୍ମଣଙ୍କ ଦ୍ବାରା ପ୍ରସ୍ତୁତ ମାସ୍କ ଦିଆଯାଇଛି। ପ୍ରଥମ କିଛି ଦିନ ଦୈନକି ୫୦ଟି ମାସ୍କ ତିଆରି କରୁଥିବା ଲକ୍ଷ୍ମଣ ଏବେ ପାଖାପାଖି ଶହେ ମାସ୍କ ସିଲାଉଛନ୍ତି। ୩ ହଜାର ମାସ୍କ ସିଲେଇ କରିବାକୁ ପୁଲିସ୍ ବିଭାଗ ଲକ୍ଷ୍ୟ ରଖିଥିବାରୁ ଲକ୍ଷ୍ମଣ ଦିନରାତି କାମରେ ମାତିଛନ୍ତି। ମାସ୍କ ସିଲେଇ କରିବା ସହିତ ପ୍ରତିଦିନ ଡ୍ୟୁଟିକୁ ମଧ୍ୟ ଯାଉଛନ୍ତି ଲକ୍ଷ୍ମଣ। ଡ୍ୟୁଟିରୁ ଆସିବା ପରେ ଥକି ନପଡ଼ି ମାସ୍କ ତିଆରିରେ ଲାଗି ପଡ଼ୁଛନ୍ତି। ଲକ୍ଷ୍ମଣ ମାସ୍କ ତିଆରି କରୁଥିବା ବେଳେ ଏହାକୁ ବାଣ୍ଟିବାର ଦାୟିତ୍ବ ନେଇଛନ୍ତି ହାବିଲଦାର୍ ନିରଂଜନ ଘଟାଲ ଓ କନେଷ୍ଟବଳ ସୁରେନ୍ଦ୍ର ଶବର। ମାସ୍କ ପ୍ରସ୍ତୁତ ଲାଗି ଆବଶ୍ୟକ କପଡ଼ା, ସୂତାକୁ ପୁଲିସ୍ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ରିଜର୍ଭ ଇନସପେକ୍ଟର୍ ଶ୍ରୀ ହେମ୍ବ୍ରମ୍ ସୂଚନା ଦେଇଛନ୍ତି। ସାଥୀ ଯବାନ ଓ ପୁଲିସ୍ କର୍ମଚାରୀଙ୍କ ସୁରକ୍ଷା ପ୍ରତି ଲକ୍ଷ୍ମଣଙ୍କ ସର୍ମପଣ ମନୋଭାବକୁ ଏସପି ଡା. ଶର୍ବଣା ବିବେକ୍ ଏମ୍ ପ୍ରଶଂସା କରିଛନ୍ତି।