ବେଆଇନ ବାଲି ଚାଲାଣ, ୯ ଟ୍ରାକ୍ଟର ଜବତ

ଅମ୍ବାଦଳା : ମୁନିଗୁଡା ତହସିଲ ଅନ୍ତର୍ଗତ ଅମ୍ବାଦଳା ନିକଟସ୍ଥ ବଂଶଧାରା ନଦୀରୁ ବେଆଇନ ଭାବେ ଚାଲି ଚାଲାଣ କରୁଥିବା ୭ଟି ଟ୍ରାକ୍ଟରକୁ ମୁନିଗୁଡା ତହସିଲଦାର ଜବତ କରିବା ସହ ଜରିମାନା ଆଦାୟ କରିଛନ୍ତି। ସୂଚନା ଅନୁଯାୟୀ, ଅମ୍ବାଦଳା ନିକଟସ୍ଥ ବଂଶଧାରା ନଦୀରୁ ଆଜି ବେଆଇନ ଭାବେ ବାଲି ଚୋରାଚାଲଣ ହେଉଥିବା ନେଇ ମୁନିଗୁଡା ତହସିଲଦାର ଦେବାଶିଷ ଗୌଡଙ୍କ ନିକଟରେ ଖବର ପହଞ୍ଚିଥିଲା। ପରେ ତହସିିଲଦାରଙ୍କ ସହ ତହସିଲ ସୁପରଭାଇଜର ରାଧାମୋହନ ସାହୁ, ରାଜସ୍ବ ନିରୀକ୍ଷକ ଜଗନ୍ନାଥ ବାଉରୀ, ଅମିନ ନୀଳାଞ୍ଚଳ ଗୌଡ ପ୍ରମୁଖ ସେଠାରେ ଚଢ‌ାଉ କରିଥିଲେ। ବାଲି ଚାଲାଣ ହେଉଥିବା ଟ୍ରାକ୍ଟର ଗୁଡିକୁ ଯାଞ୍ଚ କରିବା ପରେ ବାଲି ଚାଲାଣ ନେଇ କାଗଜପତ୍ର ନଥିବାରୁ ୭ଟି ଟ୍ରାକ୍ଟରକୁ ଜବତ କରାଯିବା ସହ ୪୬ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଏହି ଅବସରରେ ତହସିଲଦାର ଦେବାଶିଷ ଗୌଡ ଅମ୍ବାଦଳା ହରିଜନ ସାହିରେ ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ଜାଗା ଚିହ୍ନଟ କରିଥିବା ଜଣାପଡିଛି। ମୁନିଗୁଡା ଫେରିବା ସମୟରେ ଶିବପଦର ପଞ୍ଚାୟତର ଦହିଖାଲ ନିକଟରେ ବେଆଇନ ଭାବେ ବାଲି ଚାଲାଣ କରୁଥିବା ୨ଟି ଟ୍ରାକ୍ଟରକୁ ତହସିଲଦାର ଜବତ କରିବା ସହ ୨୨ହଜାର ଟଙ୍କା ଜରିମାନା ଆଦାୟ କରିଥିବା ସୂଚନା ମିଳିଛି। ତହସିଲଦାରଙ୍କ ଏଭଳି ଚଢାଉ ପରେ ବାଲି ଚୋରାଚାଲକାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେଇଛି।

ସମ୍ବନ୍ଧିତ ଖବର