ହାଇକୋର୍ଟରେ ଇମ୍ଫା ମାମଲାର ଶୁଣାଣି ଶେଷ

ରାୟଗଡା: ଗତ ୨୩ ତାରିଖରୁ ୯ ଦଫା ଦାବି ନେଇ ଇମ୍ଫା କାରଖାନା ବିରୋଧରେ ଚାଲିଥିବା ଆନ୍ଦୋଳନ ଆଜି ୧୫ ଦିନରେ ପହଞ୍ଚିଛି । ଆନ୍ଦୋଳନ ଯୋଗୁଁ ଉତ୍ପାଦନ ସଂପୂର୍ଣ୍ଣ ବାଧାପ୍ରାପ୍ତ ହେବା ସହ ପରିସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ । ଆଜି ବି ଆନ୍ଦୋଳନ ସ୍ଥଳରେ ୨୫ରୁ ୩୦ ଜଣ ଆନ୍ଦୋଳନକାରୀ ଧାରଣାରେ ବସି ରହିଛନ୍ତି । ଆଜି ତ୍ରିପାକ୍ଷିକ ଆଲୋଚନା ହେବ ବୋଲି ଶୁଣାଯାଉଥିଲେ ମଧ୍ୟ କୌଣସି କାରଣରୁ ଏହା ସମ୍ଭବ ହୋଇପାରିନଥିଲା। ଅପର ପକ୍ଷରେ ଆଜି ହାଇକୋର୍ଟରେ ଇମ୍ଫା କର୍ତ୍ତୃପକ୍ଷ ପକ୍ଷରୁ ଦାୟର ଆବେଦନ ଉପରେ ଅଦାଲତ ଶାଣାଣି ଶେଷ କରି ରାୟକୁ ସଂରକ୍ଷିତ ରଖିଥିବା ଜଣାପଡ଼ିଛି । ସପ୍ତାହକ ମଧ୍ୟରେ ହାଇକୋର୍ଟର ରାୟ ପ୍ରକାଶ ପାଇବା ସମ୍ଭାବନା ନେଇ ଆଲୋଚନା ହେଉଛି ।

କାରଖାନା ବିରୋଧୀ ଆନ୍ଦୋଳନକୁ ସଂପୂର୍ଣ୍ଣ ବେଆଇନ ଦର୍ଶାଇବା ସହ ସରକାର ଓ ଜିଲ୍ଲା ପ୍ରଶାସନ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ କରି ଇମ୍ଫା କର୍ତ୍ତୃପକ୍ଷ ହାଇକୋର୍ଟରେ ଆଶ୍ରୟ ନେଇଥିଲେ । ଆବେଦନରେ ପକ୍ଷଭୁକ୍ତ କରିଥିବା ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ , ଅତିରିକ୍ତ ଗୃହ ସଚିବ, ରାୟଗଡ଼ା ଜିଲ୍ଲାପାଳ, ଏସପି ଓ ଆନ୍ଦୋଳନର ନେତୃତ୍ୱ ନେଇଥିବା ଜିଲ୍ଲା ଆଦିବାସୀ ବିକାଶ ପରିଷଦର ସଭ୍ୟ ଜିତୁ ଜାକାସିଙ୍କକାଙ୍କୁ ହାଇକୋର୍ଟ ନୋଟିସ ଜାରି କରି ଜବାବ ଦାଖଲ କରିବାକୁ ନିର୍ଦେଶ ଦେଇଥିଲେ । ଇତି ମଧ୍ୟରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ନିର୍ଦେଶ ମୁତାବକ ହାଇକୋର୍ଟରେ ଜବାବ ଦାଖଲ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର