ଶିଳ୍ପ ସଂସ୍ଥାକୁ କରୋନା ମାଡ଼ : ଇମ୍ଫାର ୨ଫର୍ଣ୍ଣେସ ବନ୍ଦ, ଉତ୍ପାଦନ ବାଧାପ୍ରାପ୍ତ

ବିଶାଖାପାଟଣା ବନ୍ଦରରେ ପଡ଼ିରହିଛି ଉତ୍କଳ ଆଲୁମିନା ମାଲ୍, ଜେକେରେ ପରୀକ୍ଷା ପରେ ମିଳୁଛି ପ୍ରବେଶ ଅନୁମତି

ରାୟଗଡ଼ା : ରାୟଗଡ଼ା ଜିଲ୍ଲାର ଶିଳ୍ପାନୁଷ୍ଠାନ ଉପରେ ପଡ଼ିଛି କରୋନା ପ୍ରଭାବ। ବିଦେଶକୁ ରପ୍ତାନି ବନ୍ଦ ଯୋଗୁଁ ଇମ୍ଫା ସମେତ ଜେକେ, ଉତ୍କଳ ଆଲୁମିନାର ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଇମ୍ଫାର ୨ଟି ଫର୍ଣ୍ଣେସ୍ ଦୀର୍ଘ ଦିନ ହେଲା ବନ୍ଦ ରହିଛି। ଜେକେ କାଗଜକଳ ଓ ଉତ୍କଳ ଆଲୁମିନା ଉତ୍ପାଦନ ଆଂଶିକ ପ୍ରଭାବିତ ହୋଇଛି। କରୋନା ପରିସ୍ଥିତିରେ ସୁଧାର ନ ଆସିଲେ ଉତ୍ପାଦନ ସଂପୂର୍ଣ୍ଣ ବାଧାପ୍ରାପ୍ତ ହେବ ବୋଲି କଂପାନି କର୍ତୃପକ୍ଷ କହିଛନ୍ତି।

କରୋନା ପ୍ରଭାବରେ ଚୀନ୍, ଦକ୍ଷିଣ କୋରିଆ, ନରୱେ, ଜାପାନକୁ ଫେରୋକ୍ରୋମ୍ ଓ ଆଲୁମିନୟମ୍ ରପ୍ତାନି ବନ୍ଦ ରହିଛି। ଦୈନକ ୨ଶହ ଟନ୍ ଉତ୍ପାଦନ କ୍ଷମତା ରଖିଥିବା ଥେରୁବାଲି ଇମ୍ଫାର ୩ଟି ଫର୍ଣ୍ଣେସ୍ ମଧ୍ୟରୁ ୨ମାସ ହେଲା ୨ଟି ଫର୍ଣ୍ଣେସ୍ ବନ୍ଦ ହୋଇଯାଇଛି। ଇମ୍ଫା ମାସିକ ୬ହଜାର ଟନ୍ ଫେରୋକ୍ରୋମ ଉତ୍ପାଦନ କରୁଥିବା ବେଳେ ଉତ୍ପାଦନର ୮୦ପ୍ରତିଶତ ବିଦେଶକୁ ରପ୍ତାନି କରୁଥିଲା। ଚୀନ୍ ସମେତ ଅନ୍ୟ ଦେଶରେ କରୋନା ବ୍ୟାପିଥିବାରୁ ରପ୍ତାନି ସଂପୂର୍ଣ୍ଣ ବନ୍ଦ ରହିଛି। ୨ଟି ଫର୍ଣ୍ଣେସ୍ ବନ୍ଦ ଯୋଗୁଁ ଦୈନିକ ୬ଶହ କର୍ମଚାରୀ ପ୍ରଭାବିତ ହୋଇଛନ୍ତି। ୧୦ରୁ ୧୫ ଦିନ ମଧ୍ୟରେ ରପ୍ତାନି ସ୍ଥିତି ନ ସୁଧାରିଲେ ୨ଟି ଫର୍ଣ୍ଣେସରେ ୩ଟି ସିଫଟ୍‌ରେ କାମ କରୁଥିବା କର୍ମଚାରୀ ଜୀବିକା ହରାଇବା ସହ କଂପାନି କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। କଂପାନି ପକ୍ଷରୁ ପ୍ଲାଣ୍ଟ୍ ଅଞ୍ଚଳରେ ସୁରକ୍ଷାଜନିତ ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ପରିଷ୍କାର, ପରିଚ୍ଛନ୍ନତା ଓ ହାତଧୁଆକୁ ଗୁରୁତ୍ବ ଦିଆଯାଇଛି। ପ୍ଲାଣ୍ଟ୍ ପରିସରରେ ୧୦ଫୁଟ୍ ଦୂରତାରେ ରହି କାମ କରିବାକୁ କର୍ମଚାରୀଙ୍କୁ ନିର୍ଦେଶ ହୋଇଛି। ସେହିପରି ଇମ୍ଫା ପକ୍ଷରୁ ଗ୍ରାମାଞ୍ଚଳରେ କରୋନା ସଚେତନତା ପାଇଁ ୫ହଜାର ପ୍ରଚାରପତ୍ର ବଣ୍ଟନ କରାଯିବା ସହ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ଅବଗତ କରାଯାଇଛି।

ବିଶାଖାପାଟଣା ବନ୍ଦରରେ ଜାହାଜରେ ଲୋଡିଂ, ଅନ୍‌ଲୋଡିଂ ବନ୍ଦ ଯୋଗୁଁ ଟିକିରି ଉତ୍କଳ ଆଲୁମିନାରୁ ବାହାରକୁ ରପ୍ତାନି ହେବାକୁ ଥିବା ମାଲ୍‌ ପଡ଼ି ରହିଛି। ୩ସପ୍ତାହ ହେଲା ଚୀନ୍ ସମେତ ଅନ୍ୟ ଦେଶରୁ ଆସୁଥିବା ଜାହାଜ ଗୁଡ଼ିକ ବନ୍ଦରରେ ହିଁ ଅଟକି ରହିଛି। ଯାହାଫଳରେ ଶତାଧିକ କଣ୍ଟେନର୍, ଟ୍ରକ, ଟ୍ରେନ୍ ଯୋଗେ ଯାଇଥିବା କଞ୍ଚାମାଲ୍ ପୋର୍ଟରେ ଅନଲୋଡ୍ ନ ହେବା କାରଣରୁ ଉତ୍କଳ ଆଲୁମିନାରୁ ମାଲ୍ ପରିବହନ ବାଧାପ୍ରାପ୍ତ ହୋଇଛି। ପୋର୍ଟର ୩ଟି ୟାର୍ଡରେ କଂପାନିର ଶହ ଶହ ଟନ୍ ପରିମାଣର ଆଲୁମିନୟମ୍ ପାଉଡର୍ ପଡ଼ି ରହିଛି। ଅନ୍ୟପକ୍ଷରେ ଦୈନିକ ୩ରୁ ୪ହଜାର କର୍ମଚାରୀ କଂପାନିରେ କାମ କରୁଥିବାରୁ କରୋନା ସତର୍କତା ପାଇଁ କଡ଼ା ଗାଇଡ୍ ଲାଇନ୍ ଜାରି କରାଯାଇଛି।

ସେହିପରି ଜେକେ କାଗଜକଳରେ ମଧ୍ୟ ଉତ୍ପାଦନ ଆଶିଂକ ବାଧାପ୍ରାପ୍ତ ହୋଇଛି। ଜେକେରୁ ବିଶାଖାପାଟଣା ପୋର୍ଟକୁ ପରିବହନ ହୋଇଥିବା ମାଲ୍ ଅନଲୋଡ୍ ହୋଇପାରୁନଥିବା କାରଣରୁ ଟ୍ରାନସପୋର୍ଟରେ ଲାଗିଥିବା ଟ୍ରକ୍ ଦୀର୍ଘ ଦିନ ଧରି ଫେରି ପାରୁନି। ଦୈନିକ ୫୦୦ ଟନ୍ ଉତ୍ପାଦନ କ୍ଷମତା ରଖିଥିବା ଜେକେ କାଗଜକଳରେ ୪ହଜାରରୁ ଊର୍ଦ୍ଧ୍ବ କର୍ମଚାରୀ କାମ କରୁଥିବାରୁ ସୁରକ୍ଷାକୁ ଗୁରୁତ୍ବ ଦେଇଛି କଂପାନି। ୩ଟି ସିଫଟ୍‌ରେ କାମ କରୁଥିବା କର୍ମଚାରୀଙ୍କ ପ୍ରବେଶ ସମୟରେ ପ୍ରବେଶ ପଥରେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ଭିତରକୁ ଛଡ଼ା ଯାଉଛି। ସମସ୍ତ କର୍ମଚାରୀଙ୍କ ସ୍ବାସ୍ଥ୍ୟର ତାପମାତ୍ରା ସ୍ବତନ୍ତ୍ର ମେସିନରେ ମାପିବା ପରେ କାମ କରିବାକୁ ଅନୁମତି ମିଳୁଛି। ଶହେ ଡିଗ୍ରିରୁ ଊର୍ଦ୍ଧ୍ବ ତାପମାତ୍ରା ଥିବା କର୍ମଚାରୀଙ୍କୁ କାମ କରିବାକୁ ମନା କରାଯାଇଛି। ବର୍ତ୍ତମାନ ସୁଦ୍ଧା କୌଣସି କର୍ମଚାରୀଙ୍କ କ୍ଷେତ୍ରରେ ତାମପାତ୍ରା ବଢ଼ିଥିବା ନେଇ ପରିଲକ୍ଷିତ ହୋଇନଥିଲେ ମଧ୍ୟ, ଯଦି ପରିସ୍ଥିତି ଦୃଷ୍ଟିରୁ ସରକାର କଂପାନି କର୍ମଚାରୀଙ୍କ ଉପରେ କଟକଣା ଜାରି କରନ୍ତି ତାହାହେଲେ ଉତ୍ପାଦନ ବାଧାପ୍ରାପ୍ତ ହେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର