ବସ୍‌ ଓଲଟି ୫ ଗୁରୁତର

ବିଷମକଟକ: ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଡାଙ୍ଗୁଗୁଡା ନିକଟରେ ଏକ ଘରୋଇ ବସ୍‌ ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ ମୁନିଗୁଡା ଠାରୁ ଡୁମୁରିନେଳି ଯାଉଥିବା ଏକ ଘରୋଇ ବସ୍‌(ଓଆର ୧୮ଏ ୨୫୮୩) ସାହାଡା ଗ୍ରାମ ପଞ୍ଚାୟତର ଡାଙ୍ଗୁଗୁଡା ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଥିଲା। ଦୁର୍ଘଟଣା ପରେ ଡାଙ୍ଗୁଗୁଡା ଗ୍ରାମବାସୀ ସେଠାରେ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ।

୧୦୮ ଆମ୍ବୁଲାନ୍‌ସ୍‌ରେ ଆହତଙ୍କୁ ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ସେଥିମଧ୍ୟରୁ ୫ଜଣ ଗୁରୁତର ଆହତଙ୍କୁ ଚିକିତ୍ସା ପରେ ରାୟଗଡା ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। ଅନ୍ୟ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି। ଆହତ ହେଲେ ଦୁର୍ଗୀ ଗ୍ରାମର ବବୁଲୁ ବିଭାର, ଦିସାରିପଡା ଗ୍ରାମର ଡ୍ରିମ୍ବା ପିଡିକାକା, ହିକିନି ଗ୍ରାମର ସୁରେନ୍ଦ୍ର ଉଲ୍ଲାକା, କିଆଲପାଡୁ ଗ୍ରାମର ରାମ କୁଣ୍ଡିକା, ଜୁଡୋ ଗ୍ରାମର ହରିଶ ଗରଡିଆ ବୋଲି ଜଣାଯାଇଛି। ବିଷମକଟକ ଥାନା ଅଧିକାରୀ ଚତୁର୍ଭୁଜ ନାୟକ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗସ୍ତ ବସକୁ ଜବତ କରିବା ସହିତ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଥିବା କହିଛନ୍ତି।

ସମ୍ବନ୍ଧିତ ଖବର