ବାଣରେ ଘାଇଲା ହାତୀ ପଙ୍କରେ ବୁଡ଼ି ମଲା

ରାୟଗଡା,: ବାଣ ମାଡ଼ରେ ଘାଇଲା ହୋଇଥିଲା, ଶେଷରେ ପୋଖରୀ ପଙ୍କରେ ବୁଡ଼ି ଆଖି ବୁଜିଲା। ଆନ୍ଧ୍ର-ଓଡ଼ିଶା ସୀମାରେ ଉତ୍ପାତ ଜାରି ରଖିଥିବା ୭ଟିକିଆ ହାତୀପଲଙ୍କ ମଧ୍ୟରୁ ଗତକାଲି ଗୋଟିଏ ମାଈ ହାତୀର ମୃତ୍ୟୁ ଘଟିଛି। ଆନ୍ଧ୍ରପ୍ରଦେଶର ଗୁନାନାପୁରମ ଦୁର୍ଗୀ ଗ୍ରାମ ପୋଖରୀରୁ ହାତୀର ମୃତ ଦେହକୁ ଆଜି ଉଦ୍ଧାର କରାଯିବା ସହ ବନ ବିଭାଗ କର୍ତୃପକ୍ଷଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଛି। ତେବେ ହାତୀ ମୃତକୁ ନେଇ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଥିବାରୁ ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଏବେ ଗଜରାଜଙ୍କ ସ୍ଥିତି ଅସୁରକ୍ଷିତ ହୋଇପଡିଛି।
ଗତ ଏକ ମାସରୁ ଉର୍ଧ୍ବ ସମୟ ହେଲା ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ହାତୀ ପଲ ଉପଦ୍ରବ ଜାରି ରଖିଛନ୍ତି। ରାୟଗଡା ବ୍ଲକର ଅନିଜା, ଏମ୍ପଲୱାଲସା, ବୋରହଲୁଆରେ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିବା ସହ ୨ଟି ଘର ଭାଙ୍ଗିଛନ୍ତି। ଆନ୍ଧ୍ରରେ ଉତ୍ପାତ ବଢ଼ିବା ପରେ ଉଭୟ ରାଜ୍ୟର ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବା ପାଇଁ ପଦକ୍ଷେପ ନିଆଗଲା। ହାତୀପଲ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଛାଡି ଯାଉନଥିବାରୁ ବନ ବିଭାଗର ଚିନ୍ତା ବଢ଼ିବା ସହ ଏ ନେଇ ୨୫ ତାରିଖରେ ଉଭୟ ରାଜ୍ୟର ଉଚ୍ଚ ପଦାଧିକାରୀଙ୍କୁ ନେଇ ଆନ୍ଧ୍ରରେ ବୈଠକ ବସିଥିଲା। ବୈଠକରେ ହାତୀକୁ ଓଡ଼ିଶା ଫେରାଇ ନେବା ପାଇଁ ଆନ୍ଧ୍ର ବନ ବିଭାଗ ଜୋର ଦେଇଥିବା ବେଳେ ହାତୀ ଜାତୀୟ ସଂପତ୍ତି, ତାକୁ କିଏ ଘଉଡାଇ ନେବ ବୋଲି ଓଡ଼ିଶା ବନ ବିଭାଗ ମତ ରଖି ଫେରି ଆସିଥିଲା। ଏପରି ସ୍ଥିତିରେ ଗତକାଲି ୭ଟିକିଆ ହାତୀପଲ ଆନ୍ଧ୍ରପ୍ରଦେଶର ଗୁନାନାପୁରମ ଦୁର୍ଗୀ ଗ୍ରାମରେ ଫସଲ ଖାଉଥିବା ବେଳେ ଜମିରେ ଥିବା କୀଟନାଶକକୁ ମାଈ ହାତୀ ଖାଇ ଦେବା ପରେ ବାଟବଣା ହୋଇ ଗ୍ରାମ ପୋଖରୀ ଭିତରକୁ ପଶି ଯାଇ ପଙ୍କରେ ଫସି ଯାଇଥିଲା। ଗତକାଲି ସଂଧ୍ୟାରେ ମାଈ ହାତୀକୁ ମୃତ ଅବସ୍ଥାରେ ଠାବ କରାଯାଇଥିଲା।

ସମ୍ବନ୍ଧିତ ଖବର