ସମିତି ସଭ୍ୟରୁ ମନ୍ତ୍ରୀ ଜଗନ୍ନାଥ ସାରକା

ରାୟଗଡ଼ା, (ନବୀନ ଚନ୍ଦ୍ର ସାହୁ): ଚାଷୀ ପରିବାରରୁ ଆସିଥିଲେ ରାଜନୀତିକୁ। ପିଲାଟୁ ଦିନରୁ ଅଭାବ, ଅସୁବିଧା ଲାଗି ରହିଥିଲେ ମଧ୍ୟ କେବେ ଭାଙ୍ଗି ପଡ଼ିନାହାନ୍ତି। ୨୦୦୭ ମସିହାରେ ବିଷମକଟକ ବ୍ଲକ୍‌ର ଝିଗିଡ଼ି ପଞ୍ଚାୟତରୁ ସମିତିସଭ୍ୟ ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିବା ଆଦିବାସୀ ନେତା ଜଗନ୍ନାଥ ସାରକା ଏବେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ମଣ୍ଡଳରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗର ଦାୟିତ୍ବ ତୁଲାଉଛନ୍ତି।

୨୦୧୯ ସାଧାରଣ ନିର୍ବାଚନରେ ବିଷମକଟକ ଆସନରୁ ବିଜୟୀ ହେବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିରେ ରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ଜଗନ୍ନାଥ ସାରକା। ଚଷା ପୁଅ ମନ୍ତ୍ରୀ ବନିବା ପଛରେ ରହିଛି ଦୀର୍ଘ ବର୍ଷର ସଂଘର୍ଷମୟ କାହାଣୀ। ବହୁ ବାଧା ଓ ପ୍ରତିବନ୍ଧକ ସତ୍ତ୍ବେ ଜଗନ୍ନାଥ ସଫଳତାର ସହ ୧୯୯୭ ମସିହାରେ ଝିଗିଡ଼ି ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୨ ମସିହାରେ ଝିଗିଡ଼ି ସରପଞ୍ଚ ଭାବେ ନିର୍ବାଚନ ଲଢ଼ି ବିଜୟୀ ହେବା ପରେ ଆଉ ସେ ପଛକୁ ଫେରି ଚାହିଁ ନଥିଲେ। ସରପଞ୍ଚ ନିର୍ବାଚନ ଲଢ଼ୁଥିବା ସମୟରେ ବିରୋଧୀ ଜଗନ୍ନାଥଙ୍କୁ ଅପହରଣ ଉଦ୍ୟମ କରିଥିଲେ। କିନ୍ତୁ ଚତୁରତାର ସହ ଜଗନ୍ନାଥ ଖସି ଯାଇ ନାମାଙ୍କନ ଦାଖଲ କରି ନିର୍ବାଚନରେ ବିଜୟୀ ହୋଇଥିଲେ।

ଜଗନ୍ନାଥଙ୍କ ଲୋକପ୍ରିୟତା ବଢ଼ିବା ପରେ ୨୦୦୭ ପଞ୍ଚାୟତ ନିର୍ବାଚନରେ ବିଷମକଟକ (କ) ଜୋନ୍‌ରୁ ବିଜେଡି ଟିକେଟ୍‌ରେ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ନିର୍ବାଚନରେ ବିଜୟୀ ହୋଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦାୟିତ୍ବ ତୁଲାଇଥିଲେ। ଏହା ପରେ ୨୦୦୯ ମସିହାରେ ବିଷମକଟକ ଆସନରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ। କଂଗ୍ରେସର ଭେଟରାନ୍ ଲିଡର୍ ତଥା ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକାଙ୍କ ବିରୋଧରେ ନିର୍ବାଚନ ଲଢ଼ିଥିଲେ। ମାତ୍ର ୩୪୯ ଭୋଟରେ ପରାଜିତ ହୋଇଥିଲେ। ୨୦୧୪ ସାଧାରଣ ନିର୍ବାଚନରେ ରେକର୍ଡ ୧୯୧୮୬ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ଜଗନ୍ନାଥ ୭୨ ହଜାର ୩୬୬ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଡମ୍ବରୁଧରଙ୍କ ସପକ୍ଷରେ ଯାଇଥିଲା ୪୩ ହଜାର ୧୮୦ ଭୋଟ। ୨୦୧୯  ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ନୀଳମାଧବ ହିକକାଙ୍କ ବିରୁଦ୍ଧରେ ଲଢ଼ି ୧୩ ହଜାର ୪୮୭ ‌ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ଜଗନ୍ନାଥ। ବିଜୟୀ ପରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଅନୁସୂଚିତ ଜାତି, ଜନଜାତି ଉନ୍ନୟନ, ସଂଖ୍ୟା ଲଘୁ, ପଛୁଆ ଅଞ୍ଚଳ ବିକାଶ ବିଭାଗର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ପୂର୍ବତନ କଂଗ୍ରେସ ନେତା ସ୍ବର୍ଗତ ରାମଚନ୍ଦ୍ର ଉଲାକା, ରାୟଗଡ଼ାର ପୂର୍ବତନ ବିଧାୟକ ଲାଲ୍ ବିହାରୀ ହିମିରିକାଙ୍କ ପରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ପଦ ଅଳଙ୍କୃତ କରିବାରେ ଜଗନ୍ନାଥ ଜିଲ୍ଲାର ତୃତୀୟ ବିଧାୟକ।

ସମ୍ବନ୍ଧିତ ଖବର