ରାୟଗଡ଼ା: ରାୟଗଡ଼ା ସହର ସିଆରପିଏଫ କ୍ୟାମ୍ପ ନିକଟ ଇନ୍ଦିରା ନଗର ଶେଷ ଲାଇନ, କସ୍ତୁରୀ ନଗର ପ୍ରମଥ ଲାଇନ ଏବଂ କତୁରୁ ଗ୍ରାମରେ ଜଣ୍ଡିସରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଚଳିତ ମାସରେ ୧୦ରୁ ୧୨ ଜଣ ଲୋକ ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇଥିବା ସୂଚନାରୁ ଜଣାପଡିଛି। ଏନେଇ ସହରାଞ୍ଚଳ ଚକିତ୍ସାଳୟକୁ ଚିକିତ୍ସା ପାଇଁ ଯାଇଥିବା ବେଳେ ସେମାନଙ୍କୁ ଭାଇରାଲ ଜ୍ବର ହୋଇଥିବା ନେଇ ଡାକ୍ତର ସୂଚନା ଦେଇଥିଲେ। କିନ୍ତୁ ପରବର୍ତ୍ତି ସମୟରେ କିଛି ବ୍ୟକ୍ତିଙ୍କ ଆଖି ହଳଦିଆ ହେବା ସହ ଜଣ୍ଡିସର ଅନ୍ୟାନ୍ୟ ଲକ୍ଷଣ ଦେଖାଯିବାରୁ ବେସରକାରୀ ଭାବେ ଡାକ୍ତରଙ୍କୁ ଦେଖାଇଥି‌ଲେ। ବେସରକାରୀ ଭାବେ ଡାକ୍ତର ପାଖକୁ ଯାଇ ଚିକିତ୍ସା ପରେ  ଜଣ୍ଡିସ ହୋଇଥିବା ଜଣାପଡ଼ିଥିଲା ଏବଂ ଚିକିତ୍ସା ଆରମ୍ଭ କରିଥିଲେ।

Advertisment

ସୂଚନାରୁ ଜଣାପଡିଛି ସେହି ଅଞ୍ଚଳର ଶ୍ରଦ୍ଧା ଶତପଥୀ (୧୯), ଦେବଜାନୀ ଗୌଡ (୧୭), ପ୍ରେମ ସାଗର (୧୧), ମୁକସିତ (୧୦) ଜଣ୍ଡିସରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। କିଛି ଲୋକ ଚେରମୂଳୀ ଔଷଧ ଖାଇଥିବା ଜଣାପଡିଛି। ସାହି ବାସିନ୍ଦା ପ୍ରକାଶ କରି କହିଛନ୍ତି ଜନସ୍ବାସ୍ଥ୍ୟ ବିଭାଗ ଦ୍ବାରା  ନଳ ଯୋଗେ ଜଳ ପ୍ରଦାନ କରାଯାଉଥିବା ପାଣି କିଛି ମାସ ହେଲା ଗୋଳିଆ ଆସୁଛି ଏବଂ ସେଠାକାର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ରହିଛି।

ଜଣ୍ଡିସ ବ୍ୟାପିବା ନେଇ ଆଜି ସ୍ବାସ୍ଥ୍ୟ ବିଭାଗ ପାଖରେ ଖବର ପହଁଚିଲା ପରେ ସିଡିଏମଓ ଭି ସରୋଜିନୀଙ୍କ ନି‌ର୍ଦେଶ ପରେ  ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ଡିପିଏଚଓ) ରୁମା ମହାପାତ୍ର, ଡାକ୍ତର ଶ୍ରୀନିବାସ ସାହୁ,ଡାକ୍ତର ସଂଗ୍ରାମ କେଶରୀ ନିମାଲଙ୍କ ନେତୃତ୍ବରେ  ଅପରାହ୍ନରେ ଅଭିଯୋଗ ଆସିଥିବା ଅଞ୍ଚଳକୁ ସ୍ବାସ୍ଥ୍ୟ ବିଭାଗର ଟିମ ସହ ଗସ୍ତ କରିଥିଲେ। ଡାକ୍ତରୀ ଟିମ ଘରକୁ ଘର ଯାଇ ତଥ୍ୟ ସଂଗ୍ରହ କରିବା ସହ ଆକ୍ରାନ୍ତ ଘରେ ବ୍ୟବହାର କରୁଥିବା ପାଣିର ନମୁନାକୁ ସଂଗ୍ରହ କରିଥିଲେ। ଡିପିଏଚଓ ଶ୍ରୀ ମହାପାତ୍ର ସୂଚନା ପ୍ରଦାନ କରି କହିଛନ୍ତି ପାଣିର ପରୀକ୍ଷା ପରେ ଜଣ୍ଡିସ ସଂପର୍କରେ ସୂଚନା ମିଳିବ ବୋଲି କହିଥିବା ବେଳେ ହୋଟେଲ ଏବଂ ବାହାର ଖାଦ୍ୟରୁ ମଧ୍ୟ ଜଣ୍ଡିସ ହୋଇଥିବା ଆଶଙ୍କାକୁ ଏଡାଇ ଦିଆନଯାଇପାରେ ବୋଲି ସୂଚାନ ଦେଇଛନ୍ତି। ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଚଳିତ ବର୍ଷ ଜିଲ୍ଲାରେ ୨୧ଜଣ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ବେଳେ ରାୟଗଡା ସହରାଞ୍ଚଳରେ ଜଣେ ମଧ୍ୟ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ସୂଚନା ନାହିଁ। ସୂଚନାରୁ ଜଣାପଡିଛି କିଛି ଆକ୍ରାନ୍ତ  ବିଶାଖାପାଟଣାରେ ଚିକିତ୍ସିତ ହୋଇଥିବା ବେଳେ ଅନ୍ୟମାନେ ଘରୋଇ ଭାବରେ ଚିକିତ୍ସିତ ହେଉଛନ୍ତି।