ଜେକେପୁରକୁ ବ୍ୟାପିଲା ଡେଙ୍ଗୁ, ନାବାଳିକା ଆକ୍ରାନ୍ତ

ରାୟଗଡ଼ା: ରାୟଗଡା ବ୍ଲକ ଅନ୍ତର୍ଗତ ବୀରନାରାୟଣପୁର ଗାଁ ପରେ ଜେକେପୁର ଅଞ୍ଚଳକୁ ଡେଙ୍ଗୁ ଜ୍ୱର ବ୍ୟାପିଛି। ଜେକେପୁର ବି.ସି ରୋଡ ସ୍ଥିତ ମୁକ୍ତା ସାହିର ହରିହର ଶତପଥୀଙ୍କ ୧୨ବର୍ଷର ଝିଅ ଅଭିପ୍ସା ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। କିଛି ଦିନ ତଳେ ସେ ଜ୍ୱରରେ ପୀଡିତ ହେବାରୁ ରାୟଗଡ଼ା ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ରକ୍ତ ନମୁନା ପରୀକ୍ଷା ପରେ ସେ ଡେଙ୍ଗୁରେ ପୀଡିତ ଥିବା ଜଣାପଡ଼ିଥିଲା। ଅଧିକ ଚିକିତ୍ସା ଆବଶ୍ୟକତା ଥିବାରୁ ଡାକ୍ତର ବିଶାଖାପାଟଣା ନେଇଯିବାକୁ ପରାମର୍ଶ ଦେଇଥିଲେ। ଏହାପରେ ପରିବାର ଲୋକ ଅଭିପ୍ସାଙ୍କୁ ବିଜୟନଗରମ ନେଲିମାରଲା ମେଡ଼ିକାଲ କଲେଜରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ଚାଲିଛି ବୋଲି ପରିବାର ଲୋକ କହିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲା ଚିକିତ୍ସାଳୟରେ ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ବିଶେଷ ଗୁରୁତ୍ୱ ଦିଆଯାଉ ନଥିବାରୁ ରୋଗୀ ବାହାରକୁ ଚାଲି ଯାଉଥିବା କୁହାଯାଇଛି।

ସମ୍ବନ୍ଧିତ ଖବର