କନିଷ୍ଠ କିରାଣିଙ୍କୁ ନିର୍ଯାତନା ଅଭିଯୋଗ

ତଦନ୍ତ ନିର୍ଦେଶ ଦେଲେ ଜିଲ୍ଲାପାଳ

ରାୟଗଡା: ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କନିଷ୍ଠ କିରାଣୀଙ୍କୁ ମାନସିକ ନିର୍ଯାତନା। ଜାତିଗତ ଆକ୍ଷେପ ସହ ଷ୍ଟାଫଙ୍କ ସମ୍ମୁଖରେ ମନଇଚ୍ଛା ଗାଳି। ରେଗୁଲାର୍ ଡ୍ୟୁଟି ସତ୍ତ୍ବେ ଉଦ୍ଦେଶ୍ୟମୂଳକ ଭାବେ ଅନୁପସ୍ଥିତ ଦର୍ଶାଯାଉଛି। କେବଳ ଏତିକି ନୁହେଁ, ପ୍ରତିବାଦ କରିବା ପରେ ଆଚରଣ ବିଦ୍ଧି ଉଲ୍ଲଘଂନ କରି କନିଷ୍ଠ ଯନ୍ତ୍ରୀଙ୍କୁ ଅନ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ବଦଳି କରାଯାଇଛି। ବିଷମକଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ବିକାଶ ପଣ୍ଡାଙ୍କ ନାଁରେ ଏପରି ଅଭିଯୋଗ କରିଛନ୍ତି କନିଷ୍ଠ କିରାଣି ବିନୋଦିନୀ ଗମାଙ୍ଗ। ବଦଳି ଆଦେଶକୁ ମାନି ନୂତନ ସ୍ବାସ୍ଥ୍ୟକେନ୍ଦ୍ରରେ ଯୋଗଦେବା ପରେ ବିନୋଦିନୀ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି। ଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦେଶ ଦେବା ସହ ଆଦର୍ଶ ଆଚରଣ ବିଧି ଉଠିବା ପର୍ଯ୍ୟନ୍ତ ବିଷମକଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ହିଁ କାମ କରିବାକୁ କହିଛନ୍ତି।
ବିନୋଦିନୀ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି, ମାସ ମାସ ଧରି ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଓ କର୍ମଚାରୀ ଛୁଟିରେ ଯାଉଛନ୍ତି। ଛୁଟିରୁ ଫେରିବା ପରେ ଉପସ୍ଥାନ ଖାତାରେ ଅନୁପସ୍ଥିତ ଥିବା ଦିନ ଗୁଡ଼ିକ ସ୍ଥାନରେ ସ୍ବାକ୍ଷର କରି ଦିଅନ୍ତି। ଘଟଣା ସଂପର୍କରେ କାହାକୁ ମୁଁ କହିଦେବି ଏହି ଭୟରେ ସମସ୍ତ କର୍ମଚାରୀ ମୋତେ ବିରୋଧ କରୁଛନ୍ତି। ସିଡିଏମ୍ଓ ପିଏଚ୍ଓ ବିଷମକଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ ଆସିଥିବା ସମୟରେ ସହକର୍ମୀଙ୍କ ସମ୍ମୁଖରେ କାମ କରି ପାରୁଛ କି ନାହିଁ ବୋଲି ପଚାରିଥିଲେ। ନୂତନ ଭାବେ କାମରେ ଯୋଗ ଦେଉଥିବାରୁ ଶିଖୁଛି ବୋଲି କହିବା ପରେ ଉପରିସ୍ଥ ଅଧିକାରୀଙ୍କ ପରାମର୍ଶକ୍ରମେ କାମ କରିବାକୁ ନିର୍ଦେଶ ଦେଇଥିଲେ। କାମ ଶିଖିବା ପାଇଁ ଉପରିସ୍ଥ ଅଧିକାରୀଙ୍କ ପାଖକୁ ବାରମ୍ବାର ଯିବା ପରେ ମଧ୍ୟ ସେ କାମ ବାହାନାରେ ଦିନ ପରେ ଦିନ ଗଡାଇ ଚାଲିଥିଲେ। ଯେଉଁଥି ପାଇଁ ଷ୍ଟାଫଙ୍କ ଦରମା କାମ ଠିକ୍ ସମୟରେ ମୁଁ କରିପାରିଲି ନାହିଁ। ଯେଉଁଥି ପାଇଁ ସମସ୍ତ କର୍ମଚାରୀ ମୋତେ ଘେରାଉ ମଧ୍ୟ କରିଥିଲେ ବୋଲି ବିନୋଦିନୀ ଅଭିଯୋଗ କରିଛନ୍ତି। ୨ ମାସରୁ ଊର୍ଧ୍ବ ସମୟ ହେଲା ‌ଏପରି ଚାଲିଥିବା ବେଳେ ଜିଲ୍ଲାସ୍ତରୀୟ ଅଧିକାରୀ ସବୁ ଜାଣି କିଛି ପଦକ୍ଷେପ ନେଇନଥିଲେ। ଏପ୍ରିଲ୍ ୬ ତାରିଖରେ ବିଷମକଟକରୁ କୋଲନରାକୁ ବଦଳି କରିବା ପରେ ମାନସିକ ଭାରସାମ୍ୟ ହରାଇ ବିନୋଦିନୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ ଏ ସଂପର୍କରେ ବିଭାଗୀୟ ଅଧିକାରୀଙ୍କ ପଚାରିବାରୁ, ବିନୋଦିନୀ ଅଫିସ୍ କାମ କିଛି ଜାଣି ନାହାନ୍ତି, କାମ ନ କରିବା ବାହାନାରେ ସମସ୍ତଙ୍କ ନାଁରେ ଏପରି ଅଭି‌ଯୋଗ ଆଣିବା ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି। ଘଟଣାର ତଦନ୍ତ କରି ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ ହେଲେ କୋର୍ଟର ଦ୍ବାରସ୍ଥ ହେବା ପାଇଁ ବିନୋଦିନୀ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର