କୈଳାସପୁର ଘାଟିରେ ଲୁଟ୍‌ ଘଟଣା :ମାଷ୍ଟର ମାଇଣ୍ଡ ଟ୍ୟାକ୍ସି ଡ୍ରାଇଭର : ୪ ଲୁଟେରା ଗିରଫ

ରାୟଗଡା/‌ଜେକେପୁର: ରାୟଗଡା ଜିଲ୍ଲାର ଚାନ୍ଦିଲି ପୁଲିସକୁ ଏକ ବଡ଼ ଧରଣର ସଫଳତା ମିଳିଛି। ଚାନ୍ଦିଲି ଥାନା ଅନ୍ତର୍ଗତ କୈଳାସପୁର ଘାଟିରେ ଗତ ମାର୍ଚ ୨୦ତାରିଖରେ ବ୍ରହ୍ମପୁରର ଜଣେ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍ ଘଟଣାରେ ପୁଲିସ ମାଷ୍ଟର ମାଇଣ୍ଡ ଟ୍ୟାକ୍ସି ଡ୍ରାଇଭରଙ୍କ ସମେତ ୪ ଲୁଟେରାଙ୍କୁ ଗିରଫ କରିଛି। ସେହିପରି ପୁଲିସ ଲୁଟେରାଙ୍କ ଠାରୁ ବ୍ୟବସାୟୀଙ୍କ ଠାରୁ ଲୁଟ୍ ହୋଇଥିବା ମୋବାଇଲ ସମେତ ନଗଦ ୫ହଜାର ଟଙ୍କା ଓ ମାରଣାସ୍ତ୍ର ଜବତ କରିଛି।
ସୂଚନା ଅନୁଯାୟୀ, ବ୍ରହ୍ମପୁର ବଡ଼ ବଜାର ଅଞ୍ଚଳର ବ୍ୟବସାୟୀ ଗୌରୀ ଶଙ୍କର ନାୟକ କଂସା ବାସନ ବ୍ୟସାୟ କରନ୍ତି। ଏକ ଟ୍ୟାକ୍ସିରେ ବ୍ରହ୍ମପୁରରୁ କଂସା ବାସନ ବୋଝେଇ କରି ଜୟପୁର ଓ କୋରାପୁଟ ଅଞ୍ଚଳରେ ବିକ୍ରି କରିବା ପରେ ଟଙ୍କା ଧରି ପୁଣି ସେହି ଗାଡ଼ିରେ ଫେରୁଥିଲେ। ଗୌରୀଙ୍କ ସହ ବ୍ରହ୍ମପୁର ସୋମନାଥ ନଗର ଅଞ୍ଚଳର ଟ୍ୟାକ୍ସି ଡ୍ରାଇଭର କାହ୍ନା ବେହେରା ଓରଫ କାହ୍ନା ଯିବା ଆସିବା କରୁଥିଲେ। ଗୌରୀ ଲକ୍ଷାଧିକ ଟଙ୍କା ଧରି ଟ୍ୟାକ୍ସିରେ ସର୍ବଦା ବ୍ରହ୍ମପୁର ଫେରୁଥିବାରୁ ଟଙ୍କା ଲୁଟ୍ କରିବାକୁ ଯୋଜନା କରିଥିଲେ ଡ୍ରାଇଭର କାହ୍ନା। ଏହି ଯୋଜନା ସଂପର୍କରେ କାହ୍ନା ୩ଜଣ ଲୁଟେରାଙ୍କୁ କହିଥିଲା। ଗତ ମାର୍ଚ ୨୦ତାରିଖରେ ବ୍ୟବସାୟୀ ଗୌରୀ ଟ୍ୟାକ୍ସି ଡ୍ରାଇଭର କାହ୍ନାଙ୍କ ସହ ଜୟପୁର ଓ କୋରାପୁଟ ଅଞ୍ଚଳକୁ ଯାଇ କଂସା ବାସନ ବିକ୍ରି କରିବା ପରେ ଦେଢ଼ ଲକ୍ଷ ଟଙ୍କା ଧରି ପୁଣିଥରେ ଟ୍ୟାକ୍ସିରେ ବ୍ରହ୍ମପୁର ଫେରୁଥିଲେ। ଅନ୍ୟପଟେ ପୂର୍ବ ଯୋଜନା ମୁତାବକ କାହ୍ନା ବ୍ରହ୍ମପୁର ଅଞ୍ଚଳର ୩ଜଣ ସହଯୋଗୀ କୁରୁପତି ଭୂୟାଁ, ସମ୍ରାଟ ମହାରଣା ଓ ସୁଶାନ୍ତ ବେହେରାଙ୍କୁ ରାୟଗଡା ଡକାଇଥିଲା। ଲୁଟେରା ମା‌ନେ ରାୟଗଡାରେ ରହୁଥିବା ଜଣେ ସଂପର୍କୀୟଙ୍କ ଘରେ ରହିଥିଲେ। ଜୟପୁରରୁ ରାୟଗଡା ଅଭିମୁଖେ ଯିବା ସମୟରେ କାହ୍ନା ନିଜ ସହଯୋଗୀଙ୍କୁ ବ୍ୟବସାୟୀଙ୍କ ଗତିବିଧି ସଂପର୍କରେ ସୂଚନା ଦେଉଥିଲେ। ଯୋଜନା ମୁତାବକ ୨୦ତାରିଖ ରାତି ପ୍ରାୟ ୧୦.୪୫ରେ ଗାଡ଼ିଟି ଚାନ୍ଦିଲି ଥାନା ଅନ୍ତର୍ଗତ କୈଳାସପୁର ଘାଟି ଅତିକ୍ରମ କରିବା ସମୟରେ ଦୁର୍ବୃତ୍ତ ମାନେ ରାସ୍ତାରେ ଗାଡ଼ିକୁ ଅଟକାଇବା ସହ ମାରଣାନ୍ତ୍ର ଦେଖାଇ ଗୌରୀ ଓ ଡ୍ରାଇଭର କାହ୍ନାଙ୍କୁ ଭୟଭୀତ କରାଇଥିଲେ। ଏପରିକି ଗୌରୀଙ୍କୁ ଲୁଟେରା ମାନେ ଆକ୍ରମଣ କରି ଦେଢ଼ ଲକ୍ଷ ଟଙ୍କା ଓ ମୋବାଇଲ ଲୁଟ୍ କରି ଚମ୍ପଟ ମାରିଥିଲେ। ପରେ ବ୍ୟବସାୟୀ ଗୌରୀ ଏନେଇ ଚାନ୍ଦିଲି ଥାନାରେ ଅଭିଯୋଗ କରିବା ପରେ ପୁଲିସ କେଶ୍ ନଂ-୫୮/୧୯ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ଲୁଟ୍ ହୋଇଥିବା ବ୍ୟବସାୟୀଙ୍କ ମୋବାଇଲ ନମ୍ବରକୁ ପୁଲିସ ଟ୍ରାକ୍ କରିବା ସହ ସ‌ନ୍ଦେହରେ ଟ୍ୟାକ୍ସି ଡ୍ରାଇଭର ଉପରେ ନଜର ରଖିଥିଲା। ଅନ୍ୟପଟେ ଘଟଣା ଦିନ ଡ୍ରାଇଭର କାହ୍ନା ଲୁଟ୍‌ର ଶିକାର ହେବା ଭଳି ଅଭିନୟ କରିଥିଲା। କିନ୍ତୁ ପରେ କାହ୍ନା ବ୍ରହ୍ମପୁର ଯାଇ ଲୁଟେରାଙ୍କ ଠାରୁ ନିଜ ଭାଗ ଟଙ୍କା ନେଇ ଯାଇଥିଲା। ପୁଲିସ ମୋବାଇଲ ନମ୍ବରକୁ ଟ୍ରାକ୍ କରି ଲୁଟେରାଙ୍କ ନିକଟରେ ପହଞ୍ଚିବାରେ ସକ୍ଷମ ହୋଇଥିଲା। ଏହି ଲୁଟ୍ ଘଟଣାର ମାଷ୍ଟର ମାଇଣ୍ଡ କାହ୍ନାଙ୍କ ‌ସମେତ ଅନ୍ୟ ୩ଜଣ ଲୁଟେରାଙ୍କୁ ପୁଲିସ ଗିରଫ କରିବାରେ ସଫଳ ହେବା ସହ ବ୍ୟବସାୟୀଙ୍କ ଠାରୁ ଲୁଟ୍ ହୋଇଥିବା ମ‌ୋବାଇଲ ସମେତ ୫ହଜାର ଟଙ୍କା ଓ ମାରଣାସ୍ତ୍ର ଜବତ କରିଥିବା ଚାନ୍ଦିଲି ଥାନା ଅଧିକାରୀ କ୍ଷୀରେଶ୍ବର ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗିରଫ ଲୁଟେରାଙ୍କ ନାଁରେ ବ୍ରହ୍ମପୁର ଥାନାରେ ଏକାଧିକ ଅପରାଧିକ ମାମଲା ରହିଥିବା ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର