ପଦ୍ମପୁର: କାଳବୈଶାଖୀ ପ୍ରଭାବରେ ରାୟଗଡା ଜିଲ୍ଲା ପଦ୍ମପୁର ଅଞ୍ଚଳରେ ପ୍ରବଳ ପବନ ଓ ବର୍ଷା ହୋଇ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ସେହିପରି ଗଛ ଭାଙ୍ଗି ରାସ୍ତା ଉପରେ ପଡିବାରୁ ପଦ୍ମପୁର-ଖିଲାମୁଣ୍ଡା ମଧ୍ୟରେ ଯୋଗାଯୋଗ ଠପ୍ ହୋଇଯାଇଥିଲା। ସୂଚନା ଅନୁଯାୟୀ, ଗତକାଲି ରାତିରେ ପଦ୍ମପୁର ଅଞ୍ଚଳରେ କାଳବୈଖାଖୀ ପ୍ରଭାବରେ ପ୍ରବଳ ପବନ ସହ ବର୍ଷା ହୋଇଥିଲା। ସ୍ଥାନୀୟ ଆରିୟନ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ନିକଟରେ ଥିବା ଏକ ଗଛ ଭାଙ୍ଗି ଯାଇ ରାସ୍ତା ଉପରେ ପଡିଯିବାରୁ ପଦ୍ମପୁର-ଖିଲାମୁଣ୍ଡା ରାସ୍ତାରେ ଯାତାୟାତ ଠପ୍ ହୋଇଯାଇଥିଲା। ଆଜି ସକାଳେ ପଦ୍ମପୁର ଦମକଳ କେନ୍ଦ୍ର ଅଧିକାରୀ ସୁଶାନ୍ତ କୁମାର ସେଠୀ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ସଫେଇ କରିବା ପରେ ସକାଳ ପ୍ରାୟ ୭ଟାରେ ଯାତାୟାତ ସ୍ୱାଭାବିକ ହୋଇଥିଲା। ଅନ୍ୟପଟେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ପଦ୍ମପୁର, ଜାତିଲି, ଲାଉଗୁଡା, ଇନ୍ଦୁପୁର, ବହୁପଦର ଓ ମାରିଗୁଡା ଭଳି ଅଞ୍ଚଳର ଶତାଧିକ ଏକର ଜମିରେ ହୋଇଥିବା ଧାନ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ପବନରେ ଧାନ ଗଛ ଗୁଡିକ ଢଳି ଯିବା ସହ ବର୍ଷା ପାଣିରେ ଭିଜି ନଷ୍ଟ ହୋଇଯାଇଛି। ଜମିରେ ବର୍ଷା ପାଣି ଜମି ରହିଥିବା ଦେଖିବାକୁ ମିଳିଛି। ପାଣିରେ ଭିଜିବା ପରେ ଧାନ ଗୁଡିକ ଗଜା ହୋଇଯାଇଥିବା କିଛି ଚାଷୀ ଅଭିଯୋଗ କରିଛନ୍ତି। ଧାନ ନଷ୍ଟ ହେବା ପରେ ବ୍ୟାଙ୍କରୁ ଋଣ ଆଣି ଚାଷ କରିଥିବା ଚାଷୀ କିଭଳି ଋଣ ପରିଶୋଧ କରିବେ ସେନେଇ ଚିନ୍ତାରେ ପଡିଛନ୍ତି। ଶୀଘ୍ର ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି। ଏସଂପର୍କରେ ପଦ୍ମପୁର ରାଜସ୍ୱ ନିରୀକ୍ଷକ ଭବାନୀ ପ୍ରସାଦ ରଣାଙ୍କୁ ପଚାରିବାରୁ ଆସନ୍ତାକାଲି କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ଚାଷୀଙ୍କ ସହ କ୍ଷୟକ୍ଷତି ସଂପର୍କରେ ଆଲୋଚନା କରାଯିବ ବୋଲି କହିଛନ୍ତି।
କାଳବୈଶାଖୀରେ ବ୍ୟାପକ ଧାନ ଫସଲ ନଷ୍ଟ
/sambad/media/post_attachments/wp-content/uploads/2018/05/raygada-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)