ଗୁଣି ଗାରେଡ଼ି ସଂଦେହରେ ହତ୍ୟା ମାମଲା:”୧୪ ଆସାମୀଙ୍କୁ ଆଜୀବନ ଜେଲ୍

ରାୟଗଡା,: ଗୁଣି ଗାରେଡ଼ି ସଂଦେହରେ ହତ୍ୟା ପରେ ପରିବାର ଲୋକଙ୍କ ଅଜାଣତରେ ଶବ ପୋଡି ଦେବା ମାମଲାର ଶୁଣାଣି କରି ଆଜି ରାୟ ପ୍ରକାଶ କରିଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଦେବଦତ୍ତ ଦାସ ମହାପାତ୍ର। ୧୯ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ଘଟଣାରେ ସଂପୃକ୍ତ ୧୪ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ନିର୍ଦେଶ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ୍। ଏଥିସହ ସମସ୍ତ ଅଭିଯୁକ୍ତଙ୍କ ନିକଟରୁ ୨୫ ହଜାର ଟଂକା ଲେଖାଁଏ ଜରିମାନା ଆଦାୟ ନିର୍ଦେଶ ଦେଇଛନ୍ତି। ଆଦାୟ ଜରିମାନା ଅର୍ଥରୁ ୨ ଲକ୍ଷ ୫୦ ହଜାର ଟଂକା ମୃତକଙ୍କ ପତ୍ନୀଙ୍କୁ ପ୍ରଦାନ କରିବାକୁ ରାୟରେ ଉଲ୍ଲେଖ କରିଛନ୍ତି।
୨୦୧୭ ନଭେମ୍ବର ୧୮ ତାରିଖ ରାତିରେ ରାୟଗଡା ଜିଲ୍ଲା ଶେଷଖାଲ ଥାନା ଚାଞ୍ଚଡା ଡ୍ରୁଗମ ଗ୍ରାମରେ ଘଟିଥିଲା ଏହି ଲୋମ ହର୍ଷଣକାରୀ ଘଟଣା। ଡେକିନା ତାଡିଙ୍ଗ୍ ଗୁଣି ଗାରେଡି କରୁଥିବା ସଂଦେହରେ କିଛି ଗ୍ରାମବାସୀ ଦୀର୍ଘ ଦିନ ଧରି ଅସନ୍ତୁଷ୍ଟ ଥିଲେ। ଡେକିନାକୁ ଯୋଜନାବଦ୍ଧ ଆକ୍ରମଣ କରିବାକୁ ସୁଯୋଗକୁ ଅପେକ୍ଷା କରି ରହିଥିଲେ। ଘଟଣା ଦିନ ରାତ୍ରି ଭୋଜନ ପରେ ସାଢ଼େ ୯ଟାରେ ଡେକିନା ଓ ପତ୍ନୀ ଅନ୍ଦୁରୀ ତାଡିଙ୍ଗ୍ ଜମିକୁ ଫସଲ ଜଗିବାକୁ ଯାଉଥିଲେ। ଏହି ସମୟରେ ଗ୍ରାମର କାନ୍ଦୁଲବାଡ ନିକଟରେ ପୂର୍ବରୁ ଛପି ରହିଥିବା ଅଭିଯୁକ୍ତ ବୁଲୁକା ତାଡିଙ୍ଗ୍, ଦଣ୍ଡାସ ତାଡିଙ୍ଗ୍, ନରସେୟା ତାଡିଙ୍ଗ୍, କିସା ତାଡିଙ୍ଗ୍, ଯୋଗୀ ତାଡିଙ୍ଗ୍, ଶଂକର ତାଡିଙ୍ଗ୍, ଆନନ୍ଦ ତାଡିଙ୍ଗ୍, କିଟା ତାଡିଙ୍ଗ୍, ମୋହନ ତାଡିଙ୍ଗ୍, ଶୁକୁରୁ ତାଡିଙ୍ଗ୍, ମନୋଜ ତାଡିଙ୍ଗ୍, ପ୍ରହଲ୍ଲାଦ ତାଡିଙ୍ଗ୍, ଗୁମପା ତାଡିଙ୍ଗ୍ ପ୍ରମୁଖ ଠେଙ୍ଗାରେ ଡେକିନାକୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଆକ୍ରମଣରେ ଡେକିନାଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିବା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡି ଯାଇଥିଲା। ସ୍ବାମୀଙ୍କୁ ନ ମାରିବା ପାଇଁ ଅନ୍ଦୁରୀ ନିବେଦନ କରିଥିଲା। ତେବେ ଅନ୍ଦୁରୀକୁ ମଧ୍ୟ ଅଭିଯୁକ୍ତମାନେ ଆକ୍ରମଣ କରିବା ପରେ ଘଟଣା ସ୍ଥଳରୁ ସେ ଦୌଡ଼ି ପଳାଇ ଆସିଥିଲା। ଗାଁରେ ପହଞ୍ଚି ଘଟଣା ସଂପର୍କରେ ସଂପର୍କୀୟଙ୍କୁ କହିବା ପରେ ପରିବାର ଲୋକ ଦୌଡ଼ି ଯାଇଥିଲେ।

କିନ୍ତୁ ଆକ୍ରମଣରେ ଡେକିନାର ମୃତ୍ୟୁ ହୋଇଯିବା ଯୋଗୁ ଅଭିଯୁକ୍ତମାନେ ଘଟଣା ସ୍ଥଳରୁ କିଛି ଦୂରରେ ଶବକୁ ନିଆଁ ଲଗାଇ ପୋଡି ଦେଇଥିଲେ। ପରିବାର ଲୋକ ବହୁ ଖୋଜାଖୋଜି ପରେ ମଧ୍ୟ ଡେକିନାଙ୍କ କୌଣସି ପତ୍ତା ମିଳିନଥିଲା। ସକାଳେ ଗାଁ ନିକଟ ଜଙ୍ଗଲରେ ଡେକିନାଙ୍କ ଦର ପୋଡା ଶବକୁ ପରିବାର ଲୋକ ଠାବ କରିବା ସହ ଏ ସଂପର୍କରେ ଶେଷଖାଲ ଥାନାରେ ସଂପର୍କୀୟ ପ୍ରଶାନ୍ତ ତାଡିଙ୍ଗ। ଅଭିଯୋଗ କରିଥିଲେ। ପ୍ରଶାନ୍ତଙ୍କ ଅଭିଯୋଗକୁ ଭିତ୍ତି କରି ଶେଷଖାଲ ଥାନା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚିଥିଲା। ଦର ପୋଡା ଶବକୁ ଜବତ କରିବା ସହ ମାମଲା ରୁଜୁ କରି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରିଥିଲା। ଘଟଣାର ଦିନକ ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା। ଏହି ସମୟରେ ପୁଲିସ ଉପ‌ରେ ବି ଆକ୍ରମଣ ହୋଇଥିଲା। ତେବେ ପୁଲିସ ସ୍ଥିତିକୁ ନିୟନ୍ତ୍ରଣ କରି ଘଟଣାରେ ସଂପୃକ୍ତ ସମସ୍ତ ୧୪ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ମାମଲା ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ବିଚରାଧୀନ ଥିବା ବେଳେ ଆଜି ମାମଲାର ରାୟ ପ୍ରକାଶ କରିଥିଲେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଦେବଦତ୍ତ ଦାସ ମହାପାତ୍ର। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମହେଶ୍ବର ମହାପାତ୍ର ଏହି ମାମଲାର ଶୁଣାଣି କରିଥିଲେ। ତେବେ ଅଭିଯୁକ୍ତଙ୍କ ଓକିଲ ଏହି ରାୟକୁ ଚ୍ୟାଲେଂଜ କରି ହାଇକୋର୍ଟ ଯିବେ ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର