କୁଡୁମୁଲୁଗୁମ୍ମା ଯୋଗାଣ ନିରୀକ୍ଷକଙ୍କୁ ଆଜୀବନ କାରାଦଣ୍ଡ

ଗୁଣପୁର: ଏକ ହତ୍ୟା ମାମଲାରେ ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ବ୍ଲକର ଯୋଗାଣ ନିରୀକ୍ଷକ ମନୋରଂଜନ ମଲ୍ଲିକଙ୍କୁ ଆଜୀବନ କାରଦାଣ୍ଡରେ ଦଣ୍ଡିତ କରିଛନ୍ତି ଗୁଣପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ ଡ. ଶୁଭେନ୍ଦୁ କୁମାର ପତି।
ସୂଚନା ଅନୁଯାୟୀ, ମୁନିଗୁଡା ଗ୍ରାମରେ ରହୁଥିବା ପୂର୍ବତନ ଚନ୍ଦ୍ରପୁର ବିଡିଓଙ୍କ ପୁଅ ମନୋରଂଜନ ମଲ୍ଲିକ ନିଜ ଗାଁର ଭାସ୍କର ସ୍ୱାଇଁଙ୍କ ଠାରୁ ପ୍ରାୟ ୭ବର୍ଷ ତଳେ ୧ଲକ୍ଷ ଟଙ୍କା ହାତ ଧାର ନେଇଥିଲେ। ଭାସ୍କର ବାରମ୍ବାର ଟଙ୍କା ମାଗିବାରୁ ମନୋରଂଜନ ୨୫ହଜାର ଟଙ୍କାର ଏକ ଚେକ୍‌ ପ୍ରଦାନ କରିଥିଲେ। ତେବେ ଆକାଉଣ୍ଟରେ ଟଙ୍କା ନଥିବାରୁ ଏହି ଚେକ୍‌ ବାଉନ୍‌ସ ହୋଇଯାଇଥିଲା। ଏହାକୁ କେନ୍ଦ୍ର କରି ଭାସ୍କର ଓ ମନୋରଂଜନଙ୍କ ମଧ୍ୟରେ ମତାନ୍ତର ଦେଖାଦେଇଥିଲା। ଦୀର୍ଘ ମାସ ପରେ ମଧ୍ୟ ମନୋରଂଜନ ଟଙ୍କା ଶୁଝି ପାରିନଥିଲେ। ଶେଷରେ ଧାର ଆଣିଥିବା ଭାସ୍କରଙ୍କୁ ହତ୍ୟା କରିବାକୁ ମନୋରଂଜନ ଯୋଜନା କରିଥିଲେ। ଧାର ନେଇଥିବା ସମସ୍ତ ଟଙ୍କା ଫେରାଇବି କହି ଗତ ୨୦୧୧ଡିସେମ୍ବର ୭ତାରିଖରେ ମନୋରଂଜନ ଭାସ୍କର ସ୍ୱାଇଁଙ୍କୁ ଲିଟିଗୁଡା ରାସ୍ତାକୁ ଡାକିଥିଲେ। ତେବେ ଏଠାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।

ପରେ ମନୋରଂଜନ ଭାସ୍କରଙ୍କୁ ନିକଟସ୍ଥ ନିଳଗିରି ଜଙ୍ଗଲକୁ ନେଇ ଏକ ଧାରୁଆ ଅସ୍ତ୍ର ଦ୍ୱାରା ହତ୍ୟା କରିଥିଲେ। ଏହାର କିଛି ସମୟ ପରେ ମୁନିଗୁଡାର ଶିକ୍ଷକ ହୃଦୟାନନ୍ଦ ନାୟକ ଓ ଡାକ ପିଅନ ରାମମୂର୍ତି ଗରଡିଆ ଏହି ରାସ୍ତା ଦେଇ ଯିବା ସମୟରେ ଭାସ୍କର ଅଚେତ ଅବସ୍ଥାରେ ପଡିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରେ ଭାସ୍କରଙ୍କ ବାପା କାମରାଜୁ ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ପୁଅର ଶବ ପଡିଥିବା ଦେଖିବାକୁ ପାଇଥିଲେ। ଏନେଇ କାମରାଜୁ ମୁନିଗୁଡା ଥାନାରେ ଏତଲା ଦେବା ପରେ ପୁଲିସ କେଶ୍‌ ନଂ-୧୨୫/୧୧ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା। ଏସ୍‌ଆଇ ଏନ. ଜେନା ଓ ଅମରେନ୍ଦ୍ର ଷଣ୍ଢ ଏହି ଘଟଣାର ତଦନ୍ତ କରୁଥିଲେ।

୨୦୧୧ଡିସେମ୍ବର ୮ତାରିଖରେ ଅଭିଯୁକ୍ତ ମନୋରଂଜନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଇତି ମଧ୍ୟରେ ମନୋରଂଜନ ଜାମିନରେ ଆସି ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ବ୍ଲକରେ ଯୋଗାଣ ନିରୀକ୍ଷକ ଭାବେ କାର୍ଯ୍ୟ କରି ଆସୁଛନ୍ତି। ଆଜି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ ଡ. ଶୁଭେନ୍ଦୁ କୁମାର ପତି ଏହି ରାସ୍ତା ମାମଲାର ବିଚାରଣ କରି ୨୧ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିବା ପରେ ଅଭିଯୁକ୍ତ ମନୋରଂଜନ ମଲ୍ଲିକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେହିପରି ୨୦ହଜାର ଟଙ୍କା ଜୋରିମାନା ଦେବାକୁ ରାୟ ଶୁଣାଇଛନ୍ତି। ଜୋରିମାନା ଅନାଦେୟ ଅଧିକ ୬ମାସ କାରାଦଣ୍ଡରେ ଦଣ୍ଡିତ ପାଇଁ ଡ. ପତି ରାୟ ଶୁଣାଇଛନ୍ତି। ଅନ୍ୟପଟେ ଏହି ରାୟ ବିରୋଧରେ ଉଚ୍ଚ କୋର୍ଟର ଆଶ୍ରୟ ନେବେ ବୋଲି ମନୋରଂଜନଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର