ରାୟଗଡ଼ା: ଲକଡାଉନ୍ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ପରିବହନ ବ୍ୟବସ୍ଥାକୁ କଟକଣା ମୁକ୍ତ କରିଛନ୍ତି ସରକାର। ଦୈନିକ ଶହ ଶହ ମାଲବାହୀ ଟ୍ରକ୍, ଟ୍ରେନ୍ ରାୟଗଡ଼ା ଦେଇ ଯାତାୟାତ କରୁଥିବାରୁ ଏହା ମାଧ୍ୟମରେ ସହରକୁ ପଶି ଆସୁଛନ୍ତି ଶ୍ରମିକ। ମାଲ ପରିବହନ ଗାଡ଼ିରେ ବିଭିନ୍ନ ରାଜ୍ୟକୁ ଯାଇ ଫେରୁଥିବା ଡ୍ରାଇଭର୍, ହେଲପରଙ୍କୁ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ନଜରରେ ରଖୁନି। ଯାହା ରାୟଗଡ଼ା ପାଇଁ ବିପଦ ସାଜିପାରେ।

Advertisment

ଶିଳ୍ପ ସମୃଦ୍ଧ ତଥା ବାଣିଜ୍ୟିକ ପେଣ୍ଠସ୍ଥଳୀ ଭାବେ ରାୟଗଡ଼ା ପରିଚିତ। ରାୟଗଡ଼ା ଦେଇ ବିଶାଖାପାଟଣା-ରାୟପୁର ବାଣିଜ୍ୟ ରେଳ କରିଡର୍ ଯାଇଥିବା ବେଳେ ଛତିଶଗଡ, ଆନ୍ଧ୍ର, ଝାଡ଼ଖଣ୍ଡକୁ ସଂଯୋଗ କରିଛି ଜାତୀୟ ରାଜପଥ। କରୋନା ମୁକାବିଲା ପାଇଁ ସରକାର ଯାତ୍ରୀବାହୀ ରେଳ, ବସ୍ ସମେତ ଅନ୍ୟାନ୍ୟ ଯାନବାହନକୁ ବନ୍ଦ ରଖିଛନ୍ତି। କିନ୍ତୁ ରେଳପଥ ଓ ଜାତୀୟ ରାଜପଥ ଦେଇ ମାଲ ପରିବହନ ଜାରି ରଖିବାକୁ ସବୁଜ ସଂକେତ ଦେଇଛନ୍ତି।

ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ପ୍ରତିଦିନ ୩ଟି ରାଜ୍ୟର ବିଭିନ୍ନ ସ୍ଥାନକୁ ରାୟଗଡ଼ା ଦେଇ ମାଲ ପରିବହନ ହେଉଛି। ଶହ ଶହ ଟ୍ରକ୍ ଜିଲ୍ଲା ଦେଇ ଯିବା ସହିତ ପେଟ୍ରୋଲ୍ ପମ୍ପରେ ତେଲ ଭରୁଛନ୍ତି। ହୋଟେଲ୍ ବନ୍ଦ ଥିବା କାରଣରୁ ବିଭିନ୍ନ ସ୍ଥାନରେ ଅଟକି ରୋଷୋଇ କରି ଖାଇବା ସହିତ ଆଖପାଖ ‌ମାର୍କେଟରୁ ସଉଦା ମଧ୍ୟ କିଣୁଛନ୍ତି।

ତେବେ ଜିଲ୍ଲା ଦେଇ ଯାଉଥିବା ମାଲ ପରିବହନ ଟ୍ରକ୍ ଗୁଡ଼ିକର ଡ୍ରାଇଭର୍, ହେଲପରଙ୍କ ସାମାନ୍ୟତମ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉନି। ଅଧିକାଂଶ ଟ୍ରକ୍ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ, ଉତ୍ତରପ୍ରଦେଶରୁ ବିଭିନ୍ନ ମାଲ ନେଇ ଆସୁଛନ୍ତି। ଏହି ରାଜ୍ୟ ଗୁଡ଼ିକରେ ବର୍ତ୍ତମାନ କରୋନା ସ୍ଥିତି ଗମ୍ଭୀର ରହିଛି। କୋରାପୁଟ, ରାୟଗଡ଼ାରେ ଥିବା ପ୍ରମୁଖ ଶିଳ୍ପ ସଂସ୍ଥାରୁ ଦୈନିକ ଶହ ଶହ ଗାଡ଼ି ବିଶାଖାପାଟଣା ବନ୍ଦର ସମେତ ଅନ୍ୟ ସ୍ଥାନକୁ ମାଲ ପରିବହନ କରୁଛନ୍ତି। ଆନ୍ଧ୍ର-ଓଡ଼ିଶା ସୀମାରେ ମୁତୟନ ଯବାନ, ପୁଲିସ୍ ୱେ ବିଲ୍ ଯାଞ୍ଚ କରି ଗାଡ଼ି ଗୁଡ଼ିକୁ ଛାଡ଼ି ଦେଉଛନ୍ତି।

publive-image

ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଂଗପୁର, କଳାହାଣ୍ଡି, କନ୍ଧମାଳରୁ ଯାଉଥିବା ମାଲବାହୀ ଟ୍ରକ୍ ଗୁଡ଼ିକୁ ମାଲ ଅନଲୋଡିଂ କରିବା ପରେ ରାୟଗଡ଼ା ଦେଇ ଫେରୁଥିବାରୁ ଆନ୍ଧ୍ରର ବିଭିନ୍ନ ସ୍ଥାନରେ ଫସିଥିବା ଶ୍ରମିକ ଏହି ଟ୍ରକରେ ଲୁଚିଛପି ପଳାଇ ଆସୁଛନ୍ତି। ଆନ୍ଧ୍ର ପୁଲିସ୍ ମଧ୍ୟ ଶ୍ରମିକଙ୍କୁ ଆଣି ଓଡ଼ିଶା ସୀମାରେ ଛାଡ଼ି ଦେଉଛି। ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି ଥିବାରୁ ସୁଯୋଗ ଦେଖି ବିଭିନ୍ନ ଗଳା ବାଟ ଦେଇ ଶହ ଶହ ଶ୍ରମିକ ରାୟଗଡ଼ାକୁ ପଶୁଛନ୍ତି। ଅନ୍ୟପକ୍ଷରେ ମାଲବାହୀ ଟ୍ରେନ୍ ଓ ରେଳପଥରେ ମଧ୍ୟ ରାୟଗଡ଼ାକୁ ଶ୍ରମିକଙ୍କ ସୁଅ ଛୁଟିଛି। ପ୍ରତିଦିନ ବିଜୟୱାଡା, ଆନ୍ଧ୍ରପ୍ରଦେଶରୁ ଶ୍ରମିକମାନେ ଝାଡଖଣ୍ଡ, ରାଞ୍ଚି, ଉତ୍ତରପ୍ରଦେଶ, ଛତିଶଗଡ ଅଭିମୁଖେ ଯାଉଛନ୍ତି।

ପ୍ରତିଦିନ ୩୦ରୁ ୪୦ ଶ୍ରମିକଙ୍କୁ ପ୍ରଶାସନ ଅଟକାଇ କ୍ବାରାଣ୍ଟାଇନରେ ରଖୁଥିବା ଏହାର ବଡ଼ ଉଦାହରଣ। କେରେଡା, ଜେମାଦେଇପେଣ୍ଠ, କୁମ୍ଭିକୋଟା, ଜେକେପୁର, ଥେରୁବାଲି, କୋତପେଟାରେ ଥିବା ଆଶ୍ରୟସ୍ଥଳୀରେ ଥିବା ଶ୍ରମିକଙ୍କ ମଧ୍ୟରୁ ୮୦ ପ୍ରତିଶତ ଶ୍ରମିକ ବାହାର ରାଜ୍ୟ ଓ ଜିଲ୍ଲାର। ସୀମା ସୁରକ୍ଷା କଡ଼ାକଡ଼ି ସହ ପରିବହନ କାର୍ଯ୍ୟରେ ସାମିଲ୍ ଡ୍ରାଇଭର୍, ହେଲପର୍, ଲୋଡିଂ-ଅନଲୋଡିଂରେ ନିୟୋଜିତ ଶ୍ରମିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଜରୁରି ହୋଇ ପଡ଼ିଛି। ନଚେତ୍ ଯେ କୌଣସି ସମୟରେ ରାୟଗଡ଼ାକୁ ବିପଦ ମୁଣ୍ଡାଇବାକୁ ପଡ଼ିପାରେ।