ରାୟଗଡ଼ା: ଲଘୁଚାପ ଜନିତ ବର୍ଷାଯୋଗୁଁ ଗତ ୨ତାରିଖ ଦିନ ସମଗ୍ର ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା। ଜିଲ୍ଲା ଜରୁରୀକାଳୀନ ଅଧିକାରୀଙ୍କ ସୂଚନା ପ୍ରକାରେ ଗୁଣପୁର ବ୍ଲକରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ଜିଲ୍ଳାରେ ପାଖାପାଖି ୨୦୦ମିମି ବର୍ଷା ରେକର୍ଡ କରାଯାଇଥିଲା। କିନ୍ତୁ ଏହି ବର୍ଷାରେ ରାୟଗଡା ଜିଲ୍ଳାର ବିପର୍ଯ୍ୟୟ ପରିବେଶର ଚିତ୍ର ସାମ୍ନାକୁ ଆସିଥିଲା। ମାତ୍ର ଗୋଟିଏ ଦିନର ବର୍ଷାରେ ରାୟଗଡ଼ା ଜିଲ୍ଲାର ରାୟଗଡ଼ା, କୋଲନରା, ଗୁଡ଼ାରି, ଗୁଣପୁର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଥିବା ଦେଖିବାକୁ ମିଳିଥିଲା।

Advertisment

ଏଭଳି ସ୍ଥିତି ପରିବେଶବିତମାନଙ୍କୁ ଚିନ୍ତାରେ ପକାଇଥିବା ଜଣାପଡ଼ିଛି। ଏଭଳି ସ୍ଥିତ ଜାରି ରହିଲେ ଆଗାମି ଦିନରେ ରାୟଗଡ଼ା ଜିଲ୍ଲାରେ ବିପର୍ଯ୍ୟୟ ସୃଷ୍ଟି କରିବ ଏଥିଣେ ସଂଦେହ ନାହିଁ। ଏନେଇ ପରିବେଶ ପାଇଁ କାର୍ଯ୍ୟ କରୁଥିବା ପରିବେଶବିତ ଗୌରାଙ୍ଗ ଚରଣ ରାଉତ ପାହାଡ଼ିଆ ଅଞ୍ଚଳରେ ଚାଷ କାର୍ଯ୍ୟ ପାଇଁ ପାହାଡର ତଳବର୍ତ୍ତି ଏବଂ ମଧ୍ୟମବର୍ତି ଅଞ୍ଚଳର ବୃକ୍ଷଗୁଡ଼ିକୁ ପଦା କରି ବ୍ୟବହାର କରାଯାଉଛି ଏବଂ ବୃକ୍ଷ କଟାଯାଉଥିବାରୁ ପାହାଡ଼ ଦୁର୍ବଳ ହେବା ସହ ଭୁସ୍ଖଳନ ବଢ଼ୁଥିବା ପ୍ରକାଶ କରିଛନ୍ତି। ଏପରିକି ଗତ ୨ତାରିଖରେ ହୋଇଥିବା ବର୍ଷା ଯୋଗୁଁ ଅଧିକାଂଶ ପାହାଡିଆ ଅଞ୍ଚଳରେ ହିଁ ଅଧିକା କ୍ଷୟକ୍ଷତି ରିପୋର୍ଟ ଆସିଥିଲା।

ପୂର୍ବରୁ ପାହାଡ଼ ଗୁଡିକରେ ଅଧିକା ମାତ୍ରାରେ ବୃକ୍ଷ ରହୁଥିବାରୁ ବର୍ଷାଜଳ ପ୍ରାକୃତିକ ଭାବରେ ସଂରକ୍ଷଣ ହୋଇପାରୁଥିବା ବ‌େଳେ ବର୍ତ୍ତମାନ ଆଉ ସେଭଳି ସ୍ଥିତ ନଥିବା ଶ୍ରୀ ରାଉତ ପ୍ରକାଶ କରିଛନ୍ତି। ବର୍ଷାଜଳ ସିଧାସଳଖ ବୋହି ଯାଉଥିବାରୁ ଅଧିକା କ୍ଷତି ହେଉଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷାରେ ଗୁଣପୁର ବ୍ଲକ ପୁଟାସିଂ ଅଞ୍ଚଳରେ ଭୂସ୍ଖଳନ ହୋଇ ସର୍ବାଧିକ କ୍ଷୟକ୍ଷତି ରିପୋର୍ଟ ଆସିଛି। ପାହାଡ଼ିଆ ଅଞ୍ଚଳରେ ଅଧିକା ବର୍ଷା ନିଷ୍କାସିତ ହୋଇ ଜିଲ୍ଲାର ଆରଡି ଦ୍ବାରା ନିର୍ମାଣ ହୋଇଥିବା ୧୨ଟି ରାସ୍ତା ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ପୁଟାସିଂ ଅଞ୍ଚଳରେ ବର୍ଷାଦିନେ ଭୁସ୍ଖଳନ ହେବା ସାଧାରଣ କଥା ହୋଇଗଲାଣି।

ସୂଚନାଯୋଗ୍ୟଯେ ଜିଲ୍ଲାର ଅନ୍ୟ ଏକ ପିଭିଟିଜି ସଂପ୍ରଦାୟର ଆଦୀମ ଜନଜାତୀ ଲାଂଜିଆ ସୌରା ବସବାସ କରନ୍ତି। ଏନେଇ ଜିଲ୍ଲାପାଳ ମଧ୍ୟ ସ୍ବୀକାର କରି କହିଛନ୍ତି ଯେ ଗମନାଗମନ ଓ ଉନ୍ନୟନ କାର୍ଯ୍ୟ ହେଉଥିବା ସମୟରେ ଜେସିବି ଏବଂ ମେସିନ ବ୍ୟବହାର ହେଉଛି ଏବଂ ଏଥିପାଇଁ ଭୁସ୍ଖଳନ ହେଉଥିବା କହିଛନ୍ତି। ଜିଲ୍ଲାରେ ଜଙ୍ଗଲ ବିଭାଗ, ପ୍ରଶାସନ, ସଂଗଠନ ‌ଓ ସରକାର ନୂତନ ଜଙ୍ଗଲ ସୃ‌ଷ୍ଟି ପାଇଁ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ପାହାଡିଆ ଅଞ୍ଚଳରେ ଚାଷ କାର୍ଯ୍ୟ ପାଇଁ ବୃକ୍ଷ କଟାଯାଉଛି। ମୁଖ୍ୟତଃ କପାଚାଷ ପାଇଁ ଏଭଳି ବହୁଳମାତ୍ରାରେ କରାଯାଉଥିବା ପରିବେଶବିତ ଶ୍ରୀ ରାଉତ ପ୍ରକାଶ କରିଛନ୍ତି। ଯଦି ଏହାକୁ ଏବଠୁ ରୋକାନଯାଏ ତେବେ ଆଗାମି ଦିନରେ ପରିବେଶଜନିତ ବିପର୍ଯ୍ୟୟ ସୃଷ୍ଟି ହେବ ଏଥିରେ ସଂଦେହ ନାହିଁ ବୋଲି ରାୟଗଡ଼ା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଥା ପରିବେଶ ଉପରେ ଗବେଷଣା କରୁଥିବା ଡଃ ପ୍ରସନ୍ନ କୁମାର ଗନ୍ତାୟତ ସତର୍କ କରିଛନ୍ତି। ଜିଲ୍ଲାର ବିଭିନ୍ନ ରେଳବାୟୀ ଟ୍ରାକ ଅଞ୍ଚଳରେ ମଧ୍ୟ ଏହି ସମସ୍ୟା ଦ୍ବିଗୁଣିତ ହେଉଥିବା ଦେଖିବାକୁ ମିଳୁଛିI

 Rayagada | special story | Punascha Pruthibi