ସଂପୂର୍ଣ୍ଣ ହୋଇପାରୁନି ପଦ୍ମପୁର ମୁଖ୍ୟ ରାସ୍ତା ଓ ଡ୍ରେନ୍‌ କାମ

ପଦ୍ମପୁର: ରାୟଗଡା ଜିଲ୍ଲାର ପଦ୍ମପୁର ମୁଖ୍ୟରାସ୍ତାକୁ ପ୍ରଶସ୍ତିକରଣ କରିବାକୁ ଉଭୟ ପାର୍ଶ୍ୱରେ ଜବରଦଖଲ ଉଚ୍ଛେଦ କରାଗଲା। ତେବେ ଉଚ୍ଛେଦ ହେବାର ୩ମାସ ପରେ ମଧ୍ୟ ରାସ୍ତା ଓ ଡ୍ରେନ୍‌ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିନି। ମୌସୁମୀ ଆଗମନ ପୂର୍ବରୁ ମୁଖ୍ୟ ରାସ୍ତା ଓ ଡ୍ରେନ୍‌ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଥିଲା। ତେବେ ବର୍ତମାନ ସୁଦ୍ଧା କୌଣସି କାମ ସଂପୂର୍ଣ୍ଣ ହୋଇନଥିବାରୁ ମୁଖ୍ୟ ରାସ୍ତା ଦେଇ କୌଣସି ବସ୍‌ କିମ୍ବା ଭାରୀ ଯାନ ଯାତାୟାତ କରୁନି। ଏଥିଯୋଗୁଁ ସାଧାରଣ ଜନତାଙ୍କ ସମେତ ବ୍ୟବସାୟୀ ମାନେ ବହୁ ହଇରାଣ ହେଉଛନ୍ତି। ଡ୍ରେନେଜ୍‌ ବ୍ୟବସ୍ଥା ହୋଇନଥିବାରୁ ଆବର୍ଜନା ଜମି ରହି ପୂତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ଅଳ୍ପ ବର୍ଷା ହେବା ମାତ୍ରେ ରାସ୍ତା ଉପରେ ଆବର୍ଜନା ପାଣି ପ୍ରବାହିତ ହେଉଛି।

ଏପରିକି ପାଣି ଜମି ରହୁଥିବା ସ୍ଥାନରେ ଜନସ୍ୱାସ୍ଥ୍ୟ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ଲିଚିଂ ପାଉଡର ସିଂଚନ କରୁନଥିବା ଅଭିଯୋଗ ହୋଇଛି। ଆଗକୁ ବର୍ଷା ଦିନ ଥିବାରୁ ରାସ୍ତା କାମ ସଂପୂର୍ଣ୍ଣ ହେବା ନେଇ ଅନିଶ୍ଚିତତା ଦେଖାଦେଛି। ବର୍ଷା ଆରମ୍ଭ ପୂର୍ବରୁ ଡ୍ରେନେଜ୍‌ କାମ ଯଦି ସଂପୂର୍ଣ୍ଣ ନହୁଏ ତେବେ ମଶା ମାଛିଙ୍କ ପ୍ରାଦୁର୍ଭାବ ବଢିବା ସହ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିବ। ସେହିପରି ଲୋକେ ଜ୍ୱର, ମ୍ୟାଲେରିଆ, ଡାଇରିଆରେ ଆକ୍ରାନ୍ତ ହେବା ଆଶଙ୍କାକୁ ମଧ୍ୟ ଏଡାଇ ଦେଇହେବନି। ରାସ୍ତା ଓ ଡ୍ରେନ୍‌ କାମ ସଂପୂର୍ଣ୍ଣ କରିବା ଦିଗରେ ପ୍ରଶାସନ କାହିଁକି ବିଳମ୍ବ କରୁଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପଟେ ସ୍ଥାନୀୟ ଜନ ପ୍ରତିନିଧି ଏଥିପ୍ରତି ଦଷ୍ଟି ଦେଉନଥିବାରୁ ସାଧାରଣରେ ଅସେନ୍ତାଷ ଦେଖାଦେଇଛି। ଏସଂପର୍କରେ ଆରଡି ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ସନ୍ତୋଷଜନକ ଉତ୍ତର ମିଳିନଥିଲା।

ସମ୍ବନ୍ଧିତ ଖବର