ସୁକୁଲ‌ାଭଟ୍ଟା ଓ ଗୁରୁଗାଁରେ ମାଓ ପୋଷ୍ଟର, ମ‌ନରେଗାରେ ମେସିନ୍ ବ୍ୟବହାରକୁ ବିରୋଧ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ସୁକୁଲାଭଟ୍ଟା ଓ ଗୁରୁଗାଁରେ ଲାଗିଛି ମାଓ ପୋଷ୍ଟର। ସିପିଆଇ ମାଓ ସଂଗଠନ ବାଘୁନା ଡିଭିଜନ୍ ପକ୍ଷରୁ ତିନୋଟି ଲାଗିଥିବା ପୋଷ୍ଟରରେ ଜବକାର୍ଡଧାରୀ, ଗରିବ ଲୋକଙ୍କୁ ମନରେଗାରେ କାମ ଯୋଗାଇବା ବଦଳରେ ମେସିନରେ କରାଯିବାକୁ ବିରୋଧ କରିଛନ୍ତି ମାଓବାଦୀ। ଅମ୍ବାଦଳା ପୁଲିସ୍ ସୁକୁଲାଭଟ୍ଟା ଓ ଗୁରୁଗାଁରେ ପହଞ୍ଚି ମାଓ ପୋଷ୍ଟରକୁ ଜବତ କରିଛି।

ଲକଡାଉନ୍ ଯୋଗୁ ଗାଁ ମୁହାଁ ହୋଇଥିବା ପ୍ରବାସୀଙ୍କୁ କାମ ଯୋଗାଇବା ପାଇଁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଲକ୍ଷାଧିକ ଟଙ୍କାର ଅନୁଦାନ ଦେଇଛନ୍ତି ସରକାର। ଫଳରେ ମୁନିଗୁଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତରେ ମନରେଗା ଯୋଜନାରେ ବହୁ ଉନ୍ନୟନମୂଳକ ପ୍ରକଳ୍ପର କାମ ଚାଲିଛି। ଅମ୍ବାଦଳା ପଞ୍ଚାୟତରେ ଚାଲିଥିବା କାର୍ଯ୍ୟରେ ଜବକାର୍ଡଧାରୀ ଓ ଗ୍ରାମବାସୀଙ୍କୁ ସାମିଲ୍ କରିବା ବଦଳରେ ମେସିନରେ କାମ କରାଯାଉଛି। ଏଥିରେ ଅମ୍ବାଦଳା ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ, ଜିଆରଏସ୍, ଅଧିକାରୀ, ଠିକାଦାର, ଏନଜିଓ ସଂସ୍ଥା ସାମିଲ୍ ଅଛନ୍ତି। ଜବକାର୍ଡଧାରୀଙ୍କ ବଦଳରେ ମେସିନ୍ ଲଗାଇ ଯେଉଁ କାର୍ଯ୍ୟ କରାଯାଇଛି ସେହି ଠିକାଦାରଙ୍କ ବିଲକୁ ବନ୍ଦ କରିବାକୁ ମାଓବାଦୀ ଚେତାବନୀ ଦେଇଛନ୍ତି। ନଚେତ୍ ମେସିନ୍ ଜାଳିବା ସହ କାମରେ ନିୟୋଜିତ ଠିକାଦାରଙ୍କୁ ଉଚିତ୍ ଜବାବ ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ କରିଛନ୍ତି ମାଓବାଦୀ। ଗତକାଲି ବିଳମ୍ବିତ ରାତିରେ ମାଓବାଦୀ ଗାଁ ନିକଟରେ ପହଞ୍ଚି ପୋଷ୍ଟର ଲଗାଇଥିବା ପୁଲିସ୍ ଅନୁମାନ କରିଛି। ସୁକୁଲାଭଟ୍ଟା, ଗୁରୁଗାଁ ରାସ୍ତାକଡ଼ର ତିନୋଟି ସ୍ଥାନରେ ଲାଗିଥିବା ପୋଷ୍ଟରକୁ ପୁଲିସ୍ ଆଜି ସକାଳେ ଜବତ କରିଛି। ଅମ୍ବାଦଳା ଥାନା ଅଧିକାରୀ ବନ୍ଦନା ନାୟକଙ୍କ ସହ ପୁଲିସ୍ ଟିମ୍ ଗାଁରେ ପହଞ୍ଚି ପୋଷ୍ଟର ଜବତ କରିବା ସହ ମାଓବାଦୀଙ୍କ ଗତିବିଧି ସଂପର୍କରେ ଅନୁଧ୍ୟାନ କରିଛନ୍ତି। ପୋଷ୍ଟର ଜବତ ପରେ କମ୍ବିଂ ଅପରେସନକୁ ଜୋରଦାର୍ କରାଯାଇଛି। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଜଙ୍ଗଲରେ ପୁଲିସ୍ ଏନକାଉଣ୍ଟରରେ ୪ ମାଓବାଦୀଙ୍କ ମୃତ୍ୟୁ ପରେ ବାଘୁନା ଡିଭିଜନ ମାଓବାଦୀ ବେଲଘର ଓ ଝିରିପାଣି ଜଙ୍ଗଲରେ ଆତ୍ମଗୋପନ କରିଛନ୍ତି। ମାଓବାଦୀଙ୍କ ଗତିବିଧିକୁ ଲକ୍ଷ୍ୟ କରି ରାୟଗଡ଼ା ପୁଲିସ୍ ପକ୍ଷରୁ ଜୁନ୍ ୨୮ରୁ ଜୁଲାଇ ୨ ପର୍ଯ୍ୟନ୍ତ କନ୍ଧମାଳ-କଳାହାଣ୍ଡି ସୀମାନ୍ତରେ କମ୍ବିଂ ଅପରେସନକୁ ଜୋରଦାର୍ କରାଯାଇଥିଲା।

ସମ୍ବନ୍ଧିତ ଖବର