ମେଳି ବାନ୍ଧୁଛନ୍ତି ମାଓବାଦୀ:ଅଘଟଣ ପାଇଁ ଚାଲିଛି ବ୍ଲୁ-ପ୍ରିଣ୍ଟ୍

ସାଧାରଣ ନିର୍ବାଚନ ପ୍ରଭାବିତ ଆଶଙ୍କା

ରାୟଗଡା: ମେଳି ବାନ୍ଧୁଛନ୍ତି ମାଓବାଦୀ। ରାୟଗଡାରେ ଦୁର୍ବଳ ସଂଗଠନକୁ ସଜାଡ଼ିବାକୁ ମାଓ ସଂଗଠନ ଚଲାଇଛି ପ୍ରୟାସ। ରାୟଗଡା-କଳାହାଣ୍ଡି ସୀମାନ୍ତରେ ନିୟମିତ ବସୁଛି ବୈଠକ। ନିର୍ବାଚନ ପୂର୍ବରୁ ନିଜ ସ୍ଥିତି ଜାହିର୍ ପାଇଁ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିବା ସହ ଅଘଟଣ ଘଟାଇବା ପାଇଁ ମାଓବାଦୀ ଖଞ୍ଜୁଛନ୍ତି ଲ୍ୟାଣ୍ଡମାଇନ୍ ଓ ଟିଫିନ୍ ବୋମା। ଆନ୍ଧ୍ର-ଛତିଶଗଡ କ୍ୟାଡରଙ୍କ ନେତୃତ୍ବରେ ୩୮ ଜଣିଆ ଟିମ୍ ବଣ, ଜଂଗଲ ସମେତ ଅପହଞ୍ଚ ଇଲାକାରେ ବୁଲି ପୁଲିସ୍ ଓ ସୁରକ୍ଷା ବାହିନୀକୁ ଟାର୍ଗେଟ୍ କରିବାକୁ କରୁଛନ୍ତି ଯୋଜନା। ଫଳରେ ସୀମାନ୍ତ ଓ ମାଓ ପ୍ରବଣ ଅଞ୍ଚଳରେ ସାଧାରଣ ନିର୍ବାଚନ ପ୍ରଭାବିତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଗତକାଲି ରାଜ୍ୟ ପୁଲିସ୍ ମହା ନିର୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା କୋରାପୁଟରେ ସମୀକ୍ଷା ବୈଠକ କରିଥିବା ବେଳେ ଆଜି ମାଓବାଦୀଙ୍କ ଏପରି କାଣ୍ଡ ପୁଲିସ୍ ପାଇଁ ଚ୍ୟାଲେଂଜ୍ ସୃଷ୍ଟି କରିଛି।
ରାୟଗଡା ଜିଲ୍ଲାରେ ଧୀରେ ଧୀରେ କାୟା ବିସ୍ତାର ସହ ମୁଣ୍ଡ ଟେକିବାରେ ଲାଗିଛି ମାଓ ସଂଗଠନ। ରାୟଗଡା-କଳାହାଣ୍ଡି ସୀମାନ୍ତ ତ୍ରିଲୋଚନପୁର ସମେତ ଲାଖପଦର, ଗୁମ୍ମା, ଡଙ୍ଗାମାଟି, ଲାମ୍ବା ଅଞ୍ଚଳ ମାଓବାଦୀଙ୍କ ଆଡ୍ଡା ପାଲଟିଛି। ନିକଟରେ ତ୍ରିଲୋଚନପୁର ପଞ୍ଚାୟତରେ ମାଓବାଦୀ ବୈଠକରେ ଡଙ୍ଗରିଆ ସାମିଲ୍ ହୋଇଥିବା ବେଳେ ସିଆରପିଏଫ୍ କ୍ୟାମ୍ପ ପ୍ରତିଷ୍ଠାକୁ ଦୃଢ଼ ବିରୋଧ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ସେହିପରି ଜଳ, ଜମି, ଜଙ୍ଗଲର ସୁରକ୍ଷା ପାଇଁ ଚାଲିଥିବା ବୈପ୍ଳବିକ ସଂଗଠନକୁ ସମର୍ଥନ କରିବା ପାଇଁ ମାଓବାଦୀ ଆହ୍ବାନ ଦେଇଥିଲେ। ନିୟମିତ ମାଓବାଦୀ ଏହି ଇଲାକା ଦେଇ ନିୟମିଗରି, ଚନ୍ଦ୍ରପୁର ସମେତ କନ୍ଧମାଳକୁ ଯାତାୟାତ କରୁଛନ୍ତି। ଯାହାର ରିପୋର୍ଟ ଜିଲ୍ଲା ପୁଲିସ୍ ସମେତ ମାଓ ଅପରେସନରେ ସାମିଲ୍ ଥିବା ସିଆରପିଏଫ୍, ବିଏସଏଫ୍, ଡିଭିଏଫ୍ ଓ ଏସଓଜି ବାହିନୀ ନିକଟରେ ରହିଛି। ଏହା ସତ୍ତ୍ବେ ମାଓବାଦୀ ସୁରକ୍ଷା ବାହିନୀକୁ ଚକମା ଦେଇ ଜିଲ୍ଲାରେ ଅଘଟଣ ଘଟାଇବାକୁ ଗୋଟିଏ ପରେ ଗୋଟିଏ ପ୍ରୟାସ କରି ଆସୁଛନ୍ତି। ମାଓବାଦୀଙ୍କ ଭାରତ ବନ୍ଦ ଡାକରା ଶେଷ ଦିନ (୩୧ ଜାନୁଆରିରେ)ରେ ବିଷମକଟକ ବ୍ଲକ ଚାଟିକଣାରେ ମାଓବାଦୀ ସୁରକ୍ଷା ବାହିନୀକୁ ଟାର୍ଗେଟ୍ କରି ଲ୍ୟାଣ୍ଡମାଇନ୍ ପୋତିବା ସହ ଗଛ ପକାଇ ରାସ୍ତା ଅବରୋଧ କରିଥିଲେ। ଅପରେସନ୍ ସମୟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା। କିନ୍ତୁ ସୌଭାଗ୍ୟବଶତଃ ଘଟଣାରୁ ଅଳ୍ପକେ ତତ୍କାଳୀନ ବିଷମକଟକ ଥାନା ଅଧିକାରୀ ବର୍ତି ଯାଇଥିଲେ। ସିଆରପିଏଫ୍ ଯବାନଙ୍କ କମ୍ବିଂ ଅପରେସନ ପରେ ଜିଲ୍ଲା ପୁଲିସ୍ ବମ୍ ସ୍କ୍ବାର୍ଡ ଘଟଣା ସ୍ଥଳରେ ପହଞ୍ଚି ଲ୍ୟାଣ୍ଡମାଇନ ଅଚଳ କରିଥିଲା। ଏହା ପରେ ପୁଲିସ୍ କଲ୍ୟାଣସିଂହପୁର ଅଞ୍ଚଳରୁ ନିୟମଗିରି କମିଟିରେ କାମ କରୁଥିବା ହାର୍ଡକୋର୍ ମାଓବାଦୀ ଶ୍ରୀରାମ ନାଇକ ଓରଫ୍ ସୁନାକୁ ଗିରଫ କରିଥିଲା। ଶ୍ରୀରାମ ୨୦୧୧ ମସିହାରୁ ନିୟମଗିରି କମିଟିରେ କାମ କରୁଥିଲା। ୨୦୧୭ ଫେବ୍ରୁଆରି ମାସରେ ପାର୍ସାଲି-ଗୁମ୍ମା ରାସ୍ତା ନିର୍ମାଣରେ ନିୟୋଜିତ ଠିକା କ୍ୟାମ୍ପରେ ମାଓ ହମଲାର ମୁଖ୍ୟ ଥିଲା ଶ୍ରୀରାମ। ଏହା ପରେ ପୁଲିସ୍ ଓ ସୁରକ୍ଷା ବାହିନୀ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର୍ କରାଯାଇଛି। କିନ୍ତୁ ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ମାଓବାଦୀ ବିଷମକଟକ-ରାୟଗଡା ରାସ୍ତାର ଡଙ୍ଗରବାଙ୍କରେ ଆଜି ଦୁଇଟି ଟିଫିନ୍ ବୋମା କଲର୍ଭଟ୍ ତଳେ ପୋତିଥିଲେ। ସୁରକ୍ଷା ବାହିନୀ ଏହି ରାସ୍ତା ଦେଇ କମ୍ବିଂକୁ ଯାଉଥିବାରୁ ମାଓବାଦୀ ଟାର୍ଗେଟ୍ କରି ପୋତିଥିବା ଅନୁମାନ କରାଯାଉଛି। ୨୦୧୪ ସାଧାରଣ ନିର୍ବାଚନ ସମୟରେ ମାଓବାଦୀଙ୍କ ଦ୍ବାରା ପୋତା ଯାଇଥିବା ବ୍ୟାପକ ଲ୍ୟାଣ୍ଡମାଇନ୍ ଓ ଟିଫିନ୍ ବୋମାକୁ ସୁରକ୍ଷାକର୍ମୀ ଉଦ୍ଧାର କରିଥିଲେ। ଜିଲ୍ଲାର ବିଷମକଟକ, କଲ୍ୟାଣସିଂହପୁର, କାଶୀପୁର, ମୁନିଗୁଡା, ଚନ୍ଦ୍ରପୁର, କୋଲନରା ଓ ଗୁଡାରୀ ବ୍ଲକର କିଛି ମତଦାନ କେନ୍ଦ୍ର ମାଓ ପ୍ରବଣ ଅଞ୍ଚଳରେ ଥିବାରୁ ଚଳିତ ନିର୍ବାଚନରେ କିପରି ସୁରୁଖୁରୁରେ ମତଦାନ ହେବ ତାହା ପୁଲିସ୍ ପ୍ରଶାସନ ପାଇଁ ଚ୍ୟାଲେଂଜ ସଦୃଶ୍ୟ ହୋଇଛି।

ସମ୍ବନ୍ଧିତ ଖବର