ପୁଲିସ୍ କବଜାରେ ମାଓବାଦୀ

୨୦୧୧ରୁ ନିୟମଗିରି କମିଟିରେ କାମ କରୁଥିଲା ପାର୍ସାଲି ଠିକା କ୍ୟାମ୍ପ ହମଲାରେ ସଂପୃକ୍ତି

ରାୟଗଡା/ କଲ୍ୟାଣସି˚ହପୁର: ମାଓ ଦମନ କ୍ଷେତ୍ରରେ ରାୟଗଡା ପୁଲିସକୁ ମିଳିଛି ସଫଳତା। ଗତକାଲି ନିୟମଗିରି ପାହାଡରେ ମାଓ କ୍ୟାମ୍ପ ଠାବ ହୋଇଥିବା ବେଳେ ଆଜି ନିୟମଗିରି କମିଟିରେ କାମ କରୁଥିବା ହାର୍ଡକୋର୍ ମାଓବାଦୀ ଶ୍ରୀରାମ ନାଇକ ଓରଫ୍ ସୁନାକୁ କଲ୍ୟାଣସିଂହପୁର ପୁଲିସ ଗିରଫ କରିଛି। ଗିରଫ ମାଓବାଦୀ ଶ୍ରୀରାମ ୨୦୧୧ ମସିହାରୁ ନିୟମଗିରି କମିଟିରେ କାମ କରୁଥିବା ଅତିରିକ୍ତ ଏସପି ଅଶୋକ କୁମାର ସାହୁ ସୂଚନା ଦେଇଛନ୍ତି। ଗିରଫ ମାଓବାଦୀର ସ୍ବାସ୍ଥ୍ୟବସ୍ଥା ପରୀକ୍ଷା ପରେ ଆଜି କୋର୍ଟ ଚାଲାଣ କରାଯାଇଛି। କଲ୍ୟାଣସିଂହପୁର ଥାନା ନିଶିଖାଲ ଗ୍ରାମର ଏକ ନିଛାଟିଆ ସ୍ଥାନରେ ଶ୍ରୀରାମ ଘର କରି ରହି ଆସୁଥିବା ବେଳେ ପୁଲିସ ଗତିବିଧି ସଂପର୍କରେ ମାଓବାଦୀଙ୍କୁ ସୂଚନା ଦେଉଥିଲା। ଏଥି ସହିତ ୨୦୧୭ ଫେବ୍ରୁଆରୀ ମାସରେ ପାର୍ସଲ-ଗୁମ୍ମା ରାସ୍ତା ନିର୍ମାଣରେ ନିୟୋଜିତ ଠିକା କ୍ୟାମ୍ପରେ ମାଓ ହମଲାର ମୁଖ୍ୟ ଥିଲା ଶ୍ରୀରାମ। ହମଲାରେ ଠିକା କ୍ୟାମ୍ପର ଜେସିବି, ଟ୍ରାକ୍ଟର ସହ ଅନ୍ୟାନ୍ୟ ମେସିନ୍ ଓ ସାମଗ୍ରୀକୁ ମାଓବାଦୀ ପୋଡି ଦେଇଥିଲେ। ଏହି ଘଟଣା ପରଠାରୁ ଶ୍ରୀରାମ ଗାଁ ଛାଡି ନିୟମଗିରି କମିଟି ସହ ବୁଲାବୁଲି କରି ମାଓ ସଂଗଠନକୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲା। ଗୁଇନ୍ଦା ସୂଚନା ମୁତାବକ ଗତ କିଛି ଦିନ ହେଲା ଶ୍ରୀରାମ କଲ୍ୟାଣସିଂହପୁର ଆଖପାଖ ଇଲାକାରେ ଲୁଚି ରହି ପୁଲିସ୍ କ୍ୟାମ୍ପ ଉପରେ ନଜର ରଖିବା ସହ ମାଓବାଦୀଙ୍କୁ ଗୁପ୍ତ ସୂଚନା ପ୍ରଦାନ କରୁଥିଲା। ଗତକାଲି ଶ୍ରୀରାମ ପୁଲିସ୍ କ୍ୟାମ୍ପ ନିକଟକୁ ଆସିଥିବା ବେଳେ ପୂର୍ବରୁ ଲୁଚି ରହିଥିବା ପୁଲିସ ଟିମ୍ ଶ୍ରୀରାମକୁ ଗିରଫ କରିଥିଲା। ସ୍ବାସ୍ଥ୍ୟବସ୍ଥା ଦୁର୍ବଳ ଥିବା ଶ୍ରୀରାମ ଦର୍ଶାଇବା ପରେ ତୁରନ୍ତ ତାକୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜରେ ଭର୍ତି କରାଯାଇଥିଲା। ଶ୍ରୀରାମ ନାଁରେ କଲ୍ୟାଣସିଂହପୁର ଥାନା କେସ୍ ନଂ-୧୧/ତା-୧୭/୨/୨୦୧୭ରେ ମାମଲା ରହିଛି।

ସମ୍ବନ୍ଧିତ ଖବର