ରାୟଗଡ଼ା : କରୋନା କଟକଣାକୁ ଅଣଦେଖା। ୧୪୪ଧାରା ଜାରି ସତ୍ତ୍ବେ ପ୍ରଶାସନର ନିର୍ଦେଶକୁ ଫୁ କରି ଉଡ଼ାଇ ଦେଇ କଲ୍ୟାଣ ମଣ୍ଡପରେ ଚାଲିଥିଲା ବିବାହ ଭୋଜି। ତାହା ପୁଣି ୫୦ କିମ୍ବା ଶହେ ନୁହେଁ, ୪ ଶହ ଲୋକଙ୍କ ପାଇଁ। ଯାହାର ସୂଚନା ପାଇନଥିଲା ଜିଲ୍ଲା ପ୍ରଶାସନ। ସହରର ରିଂ ରୋଡରେ ଥିବା ବଂଶୀକ୍ରିଷ୍ଣା କଲ୍ୟାଣ ମଣ୍ଡପରେ ଏହି ଭୋଜି ଆୟୋଜନ ପାଇଁ କଲ୍ୟାଣ ମଣ୍ଡପ କର୍ତୃପକ୍ଷ ପ୍ରଶାସନଠାରୁ ଅନୁମତି ନିଆଯାଇ ନଥିଲା। ତେଣୁ ଖବର ମିଳିବାରୁ ମଧ୍ୟାହ୍ନରେ ପ୍ରଶାସନ ପକ୍ଷରୁ ଚଢ଼ଉ କରାଯାଇଛି। କରୋନା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସପିଂ ମଲ୍, ମନ୍ଦିର, ମସଜିଦ୍, ପାର୍କ ସମେତ ସହରରେ ଥିବା ସମସ୍ତ କଲ୍ୟାଣ ମଣ୍ଡପ ବନ୍ଦ ରଖିବାକୁ ପ୍ରଶାସନ ନିର୍ଦେଶ ଦେଇଛି। ଏପରିକି ଗୋଟିଏ ସ୍ଥାନରେ ଶହେରୁ ଊର୍ଦ୍ଧ୍ବ ଲୋକ ନ ରହିବା, ବିବାହ ଭୋଜି, ସାମାଜିକ କାର୍ଯ୍ୟକ୍ରମ ବନ୍ଦ ରଖିବାକୁ ପ୍ରଶାସନ ୧୪୪ଧାରା ମଧ୍ୟ ଜାରି କରିଛି। ହେଲେ ସହରର ପ୍ରମୁଖ ସ୍ଥାନରେ ଥିବା ବଂଶୀକ୍ରିଷ୍ଣା କଲ୍ୟାଣ ମଣ୍ଡପରେ ବିବାହ ଭୋଜି ହେଉଥିବା ଖବର ପାଇ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ନିର୍ଦେଶରେ ପୌର ପ୍ରଶାସନ ଚଢ଼ଉ କରିଥିଲା। ଏତେ ସଂଖ୍ୟକ ଲୋକଙ୍କ ପାଇଁ ଖାଦ୍ୟ ରନ୍ଧା ସରିଥିବାରୁ ପୌର କର୍ତୃପକ୍ଷ ଭୋଜି ବନ୍ଦ ନ କରି କଲ୍ୟାଣ ମଣ୍ଡପ ବାହାରେ ଜଗି ରହିଥିଲେ। ଭୋଜି ଖାଇବାକୁ ଆସିଥିବା ସମସ୍ତ ଅତିଥିଙ୍କୁ ପୌର କର୍ତୃପକ୍ଷ ୪୦ଜଣିଆ ଗ୍ରୁପରେ ବିଭକ୍ତ କରି ଭୋଜି ଖାଇବାକୁ କଲ୍ୟାଣ ମଣ୍ଡପକୁ ଛାଡ଼ିଥିଲେ। ଭୋଜି ଶେଷ ହେବା ପରେ ସନ୍ଧ୍ୟାରେ ପୌର ପରିଷଦ ପକ୍ଷରୁ କଲ୍ୟାଣ ମଣ୍ଡପ ସିଲ୍ କରାଯାଇଛି ବୋଲି ପୌର ପରିଷଦ ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥୀ ସୂଚନା ଦେଇଛନ୍ତି।
ରାୟଗଡ଼ା : କଟକଣା ସତ୍ତ୍ବେ ଚାଲିଥିଲା ବିବାହ ଭୋଜି
ଅତିଥିଙ୍କୁ ଭାଗ ଭାଗ କରି ଛାଡ଼ିଲେ କର୍ତୃପକ୍ଷ, କଲ୍ୟାଣ ମଣ୍ଡପ ସିଲ୍ କଲା ପ୍ରଶାସନ
/sambad/media/post_attachments/wp-content/uploads/2020/03/fff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)