ରାୟଗଡ଼ା: ନାଗାବଳୀର ମୃତ୍ୟୁ ଫାଶରେ ଆଜି ପୁଣି ଫସିଗଲେ ଆନ୍ଧ୍ରରୁ ଆସିଥିବା ମା’, ପୁଅ ଓ ଝିଅ। ସ୍ଥାନୀୟ ଲୋକ ମା’ ଜେ. ଶାନ୍ତି (୩୦)ଙ୍କ ଶବ ଉଦ୍ଧାର କରିଥିବା ବେଳେ ଝିଅ ଜେ.ଇନ୍ଦୁଗୁ ଗୁରୁତର ଅବସ୍ଥାରେ ପାଣିରୁ ବାହାର କରିଥିଲେ। ତେବେ ଖବର ଲେଖା ହେବା ସୁଦ୍ଧା ପୁଅ ଜେ. ଅଖିଳଙ୍କ ପତ୍ତା ମିଳିନାହିଁ। ଅନ୍ଧାର ହେବା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଚାଲିଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ବାରମ୍ବାର ଏହି ସ୍ଥାନରେ ଅଘଟଣ ଘଟୁଥିବା ବେଳେ ଗତ ଅଢେଇ ମାସରେ ଏହା ଦ୍ୱିତୀୟ ଘଟଣା ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ, ରାୟଗଡା ଉପକଣ୍ଠ ଚିନ୍ତାଲିଗୁଡାର ଜେ. ଶାନ୍ତି ବହୁ ବର୍ଷ ତଳେ ଆନ୍ଧ୍ର ପ୍ରଦେଶର ପାବର୍ତୀପୁର ଅଞ୍ଚଳରେ ବିବାହ କରିଥିଲେ। ମକର ସଂକ୍ରାନ୍ତି ପାଇଁ ଶାନ୍ତି ପୁଅ ଓ ଝିଅକୁ ନେଇ ଚିନ୍ତାଲିଗୁଡା ଆସିଥିଲେ। ଆଜି ଅପରାହ୍ନ ପ୍ରାୟ ୪ଟାରେ ସେମାନେ ଝୁଲା ପୋଲ ବୁଲିବାକୁ ଯାଇଥିଲେ। ପୋଲ ଉପରେ ଫଟୋ ଉଠାଇବା ପରେ ନଦୀ ନିକଟରେ ଫଟୋ ଉଠାଉଥିଲେ। ହଠାତ୍ ସ୍ରୋତ ବଢି ଯାଇ ୩ଜଣଙ୍କୁ ଭସାଇ ନେଇଥିଲା। ଚିନ୍ତାଲୁଗୁଡ଼ା ଗ୍ରାମର ଯୁବକ ମାନେ ନଦୀରେ ପଶି ଖୋଜାଖୋଜି ଆରମ୍ଭ କରିଥିଲେ। ପ୍ରଥମେ ଝିଅ ଇନ୍ଦୁକୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।
ଏହାପରେ ଶାନ୍ତିଙ୍କ ଶବ ଉଦ୍ଧାର ହୋଇଥିଲା। ବହୁ ସମୟ ଧରି ଖୋଜାଖୋଜି କରିବା ସତ୍ୱେ ପୁଅ ଅଖିଳର ପତ୍ତା ମିଳି ନଥିଲା। ଖବର ପାଇ ଅଗ୍ନିଶମ ସେବା ଦଳ ଓ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଗୁରୁତର ଇନ୍ଦୁକୁ ଆମ୍ବୁଲାନ୍ସ ଯୋଗେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ଘଟଣା ସଂପର୍କରେ ରାୟଗଡା ଥାନା ଆଇଆଇସି ରବିନ୍ଦ୍ର ପାତ୍ର କହିଛନ୍ତି ଯେ ପାର୍ବତୀପୁରରେ ରହୁଥିବା ଶାନ୍ତିଙ୍କ ପରିବାର ପୋଙ୍ଗଲ ପାଇଁ ନିଜ ମା’ ଘରକୁ ଚିନ୍ତାଲିଗୁଡ଼ା ଆସିଥିଲେ। ଆଜି ଅପରାହ୍ନ ସାଢେ ୪ଟାରେ ଝୁଲା ପୋଲ ଦେଖି ନଦୀକୁ ଓହ୍ଲାଇବା ପରେ ଦୁର୍ଘଟଣା ଘଟିଛି। ଅଗ୍ନିସେବା ଦଳ ପୁଅକୁ ଖୋଜାଖୋଜି କରୁଥିବା ବେଳେ ଝିଅ ଇନ୍ଦୁଙ୍କ ଅବସ୍ଥା ଭଲ ନଥିବାରୁ ପାର୍ବତୀପୁର ସ୍ଥାନାନ୍ତରିତ କରାଯାଇଛି ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି। ମୃତ ଶାନ୍ତିଙ୍କ ଶବକୁ ଜିଲ୍ଲା ଚିକିତ୍ସାଳୟର ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି।
ସୂଚନାଯୋଗ୍ୟ, ଝୁଲା ପୋଲ ନିକଟସ୍ଥ ନାଗାବଳୀ ନଦୀରେ ବାରମ୍ବାର ଏହିଭଳି ଦୁର୍ଘଟଣା ଘଟି ବହୁ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇ ସାରିଲାଣି। ତଥାପି ପ୍ରଶାସନ ପକ୍ଷରୁ ସ୍ଥାୟୀ ପ୍ରତିକାର କିମ୍ବା ସୁରକ୍ଷା ବ୍ୟବସ୍ଥା କରାଯାଇ ନାହିଁ। ଗତ ଅକ୍ଟୋବର ମାସ ୨୬ତାରିଖ ସନ୍ଧ୍ୟାରେ ବିଶାଖାପାଟଣାର ୧୦ଜଣ ପର୍ଯ୍ୟଟକ ଆସିଥିଲେ। ଝୁଲା ପୋଲ ଦେଖି ଫଟୋ ଉଠାଇବା ସମୟରେ ଦୁଇ ଯୁବତୀ ଜ୍ୟୋତି (୨୭) ଏବଂ ସାଂଗାପୁ ଦେବୀ (୨୪) ନଦୀରେ ଭାସି ଯାଇଥିଲେ। ଏହାପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରୁ ସେତୁ ନିକଟରେ ସୂଚନା ଫଳକ ଲାଗିଥିଲା। ବର୍ତମାନ ଉକ୍ତ ଫଳକ ସେଠାରେ ଆଉ ନାହିଁ। ମୃତ୍ୟୁଯନ୍ତା ପାଲଟିଥିବା ଏହି ସ୍ଥାନରେ ଗତ ୬ବର୍ଷ ମଧ୍ୟରେ ନାଗାବଳୀ ନଦୀରେ ଭାସିଯାଇ ୨୦ଜଣଙ୍କ ଜୀବନ ଗଲାଣି। ତେଣୁ ତୁରନ୍ତ ସୁରକ୍ଷା ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/rtaygda.jpg)
