ଶବକୁ ମିଳିଲାନି କାନ୍ଧ : ପିପିଇ କିଟ୍ ପିନ୍ଧି ଟ୍ରଲିରେ ନେଇ ଶେଷକୃତ୍ୟ ସଂପନ୍ନ କଲେ ସ୍ଥାନୀୟ ଯୁବକ

ରାୟଗଡ଼ା : ନିଜେ ଶହେରୁ ଉର୍ଧ୍ବ ଶବ କାନ୍ଧେଇଥିଲେ। ହେଲେ ନିଜ ଶେଷଯାତ୍ରା ବେଳକୁ କାନ୍ଧ ଦେବାକୁ କେହି ଆସିଲେନି। ୪ ଘଣ୍ଟା ମୃତଦେହ ଘରେ ପଡ଼ି ରହିବା ପରେ ସ୍ଥାନୀୟ ଯୁବକମାନେ ପିପିଇ କିଟ୍ ପିନ୍ଧି ଟ୍ରଲିରେ ବୋହି ନେଇ ଶେଷକୃତ୍ୟ ସଂପନ୍ନ କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଗୁଡ଼ାରି ଏନଏସିରେ। ଶବ ଦାହ ପରେ ଶେଷକୃତ୍ୟରେ ସାମିଲ୍ ହୋଇଥିବା ୩ ଯୁବକ ହୋମ୍ କ୍ବାରାଣ୍ଟିନରେ ଥିବା ଜଣା ପଡ଼ିଛି।

ଗୁଡ଼ାରି ବାରାଟମ ସାହିର ବି. କାରୁବୁ (୬୪) ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ରବିବାର ମଧ୍ୟାହଣରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇ ପଡ଼ିଥିଲା। ଭଲ ଭାବରେ ନିଶ୍ବାସ ନେଇ ପାରିନଥିଲେ କାରୁବୁ। ଅଣନିଶ୍ବାସୀ ହୋଇ ଦିନ ପ୍ରାୟ ୧ଟାରେ ଆଖି ବୁଜିଥିଲେ। ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସାହି, ପଡୋଶୀ କେହି କାରୁବୁଙ୍କ ଘରକୁ ଆସିନଥିଲେ। କରୋନା ସଂକ୍ରମଣ ଭୟରେ ନିଜ ସଂପର୍କୀୟ ମଧ୍ୟ କାରୁବୁଙ୍କ ଶେଷ ଦର୍ଶନ କିମ୍ବା ଶେଷକୃତ୍ୟ ପାଇଁ ଯାଇନଥିଲେ। ଫଳରେ ୪ ଘଣ୍ଟାରୁ ଉର୍ଧ୍ବ ସମୟ ଧରି ଘରେ ପଡ଼ି ରହିଥିଲା ମୃତଦେହ। ଶେଷରେ ଗୁଡାରିର ୩ ଯୁବକ ରଞ୍ଜନ କୁମାର ରଥ, ରଘୁନନ୍ଦନ ସାହୁ, ଚିନାରୀ ନାଗାରାଜୁ କାରୁବୁଙ୍କ ଶେଷକୃତ୍ୟ ପାଇଁ ଅଣ୍ଟା ଭିଡ଼ିଥିଲେ। ୩ ଯୁବକ ଗୁଡାରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ପିପିଇ କିଟ୍ ଆଣି ପିନ୍ଧିବା ପରେ ଅପରାହଣ୍ ୪ଟାରେ ଘର ଭିତରୁ ମୃତଦେହକୁ ବାହାରକୁ ଆଣିଥିଲେ। ୩ ଜଣଙ୍କ ଦ୍ବାରା ମୃତଦେହ ଶ୍ମଶାନକୁ ନେବା ସମ୍ଭବପର ନଥିବାରୁ ଏକ ଟ୍ରଲି ମାଧ୍ୟମରେ କାରୁବୁଙ୍କ ମୃତଦେହକୁ ଶ୍ମଶାନକୁ ନେଇଥିଲେ ଯୁବକମାନେ। ସାହି, ପଡୋଶୀ, ସଂପର୍କୀୟ ମୃତଦେହ ନେବା ସମୟରେ ନିଜ ଘର ବାରଣ୍ଡାରେ ଠିଆ ହୋଇ ଦେଖୁଥିଲେ ମଧ୍ୟ କେହି ବି ପାଖକୁ ଆସିନଥିଲେ। ସଂଧ୍ୟାରେ ବଂଶଧାରା ଶ୍ମଶାନରେ କାରୁବୁଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା । ପୁଅ ବି. ସନ୍ତୋଷ ମୁଖାଗ୍ନି ଦେଇଥିଲେ। ଶେଷକୃତ୍ୟ ପରେ ଶବଦାହ କରିଥିବା ରଞ୍ଜନ, ରଘୁନନ୍ଦନ, ନାଗାରାଜୁଙ୍କୁ ପ୍ରଶାସନ ପକ୍ଷରୁ ହୋମ୍ କ୍ବାରାଣ୍ଟିନରେ ରହିବାକୁ ନିର୍ଦେଶ ହୋଇଛି। କ୍ଷୁଦ୍ର ବ୍ୟବସାୟୀ କରି ପରିବାର ଚଳାଉଥିବା କାରୁବୁ ସହରର ଯେକୌଣସି ବ୍ୟକ୍ତି କିମ୍ବା ନିଜ ସଂପ୍ରଦାୟ ଲୋକଙ୍କ ମୃତ୍ୟୁ ହେଲେ ଶବ କାନ୍ଧେଇ ଶ୍ମଶାନକୁ ନେଉଥିଲେ। ନିଜ ଜୀବନ କାଳ ଭିତରେ କାରୁବୁ ଶତାଧିକ ଶବ କାନ୍ଧେଇଛନ୍ତି। ହେଲେ ବିଡ଼ମ୍ବନାର ବିଷୟ, କରୋନା ଭଳି ବିପତ୍ତି ସମୟରେ ମୃତ୍ୟୁ ଯୋଗୁ ଶେଷଯାତ୍ରାରେ କେହି ସାମିଲ୍ ହୋଇନଥିଲେ। ଶତାଧିକ ଲୋକଙ୍କ ଶବକୁ ଶେଷ ସମୟରେ କାନ୍ଧ ଦେଇଥିବା କାରୁବୁ ଶେଷରେ ଟ୍ରଲିରେ ବୁହା ହୋଇ ଶ୍ମଶାନକୁ ଯିବା ଘଟଣା ମାନବ ସମାଜର ଦାୟିତ୍ବବୋଧ ପ୍ରତି ଅଙ୍ଗୁଳି ନିର୍ଦେଶ କରିଛି।

ସମ୍ବନ୍ଧିତ ଖବର