ରୋଗୀ ଶୂନ୍ୟ ହେଲା ରାୟଗଡ଼ା‌ କୋଭିଡ଼୍ ହସପିଟାଲ୍, ଜିଲ୍ଲାରେ କମୁଛି ସଂକ୍ରମଣ, ବନ୍ଦ ହେଲା ୫ କେୟାର କେୟାର୍ ସେଣ୍ଟର୍

ରାୟଗଡ଼ା : ରୋଗୀ ଶୂନ୍ୟ ହୋଇଛି ରାୟଗଡ଼ା କୋଭିଡ଼୍ ହସପିଟାଲ୍। ଚିକିତ୍ସାଧୀନ ଥିବା ଜଣେ ମାତ୍ର ଆକ୍ରାନ୍ତ ଆଜି ଡିସଚାର୍ଜ ହେବା ପରେ କରୋନା ମୁକାବିଲା କ୍ଷେତ୍ରରେ ଜିଲ୍ଲା ପ୍ରଶାସନକୁ ବଡ଼ ଧରଣର ସଫଳତା ମିଳିଛି। ଦିନକୁ ଦିନ ଜିଲ୍ଲାରେ ସଂକ୍ରମଣ ହାର ନ୍ୟୂନ ହେବାରେ ଲାଗିଥିବା ବେଳେ ୫ ମାସର ଲଢ଼େଇ ପରେ କୋଭିଡ଼୍ ମୁଖ୍ୟ ହସପିଟାଲ୍ ରୋଗୀ ଶୂନ୍ୟ ହେବା କରୋନା ଯୋଦ୍ଧାଙ୍କ ମନବଳକୁ ସୁଦୃଢ଼ କରିଛି।

ମାର୍ଚ୍ଚ ମାସରେ ଓଡ଼ିଶାକୁ କରୋନା ଛୁଇଁବା ପରେ ମୁକାବିଲା ପାଇଁ ସରକାର ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଥିଲେ। ଉନ୍ନୟନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭି. କେ. ପାଣ୍ଡିଆନ ରାୟଗଡ଼ା ଗସ୍ତରେ ଆସି ସ୍ଥିତି ସମୀକ୍ଷା କରିବା ପରେ ଏପ୍ରିଲ୍ ୧୩ ତାରିଖରେ ଜେକେପୁରରେ ଜିଲ୍ଲା କୋଭିଡ଼୍ ହସପିଟାଲ୍ କାର୍ଯ୍ୟକ୍ଷମ ହୋଇଥିଲା। ରାଜ୍ୟର ଶେଷ ଜିଲ୍ଲା ଭାବେ ଜୁନ୍ ମାସରେ ରାୟଗଡ଼ାକୁ କରୋନା ଛୁଇଁଥିଲା। ଜୁନ୍ ଦ୍ବିତୀୟ ସପ୍ତାହରେ ରାୟଗଡ଼ାରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଏପ୍ରିଲ୍ ୧୯ରେ ପ୍ରଥମ ରୋଗୀ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି ହୋଇଥିଲେ। ଜୁନରୁ ଆଜି ସୁଦ୍ଧା ଜେକେପୁର ହସପିଟାଲରେ ୭୬୪ ଆକ୍ରାନ୍ତ ଚିକିତ୍ସିତ ହୋଇଥିବା ସରକାରୀ ସୂତ୍ରରୁ ଜଣା ପଡ଼ିଛି। ଅଗଷ୍ଟ ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଦୈନିକ ସର୍ବାଧିକ ୯୬ ଆକ୍ରାନ୍ତଙ୍କୁ ଏହି ହସପିଟାଲ୍ ସେବା ଯୋଗାଇଛି। ଜୁଲାଇରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବା ପରେ ରାଜ୍ୟ ସରକାରଙ୍କ ପରାମର୍ଶକ୍ରମେ ଗୁଣପୁର, ବିଷମକଟକ, କୋରାପୁଟ, ରାମନାଗୁଡ଼ା ବ୍ଲକରେ ୯ଟି କୋଭିଡ଼୍ କେୟାର ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ପ୍ରଶାସନର ଆଗୁଆ ସତର୍କତା କରୋନାକୁ ଜିଲ୍ଲାରେ ନିୟନ୍ତ୍ରଣରେ ରଖିବାରେ ସକ୍ଷମ ହୋଇଥିଲା। ଯେଉଁଥି ପାଇଁ କେବଳ ୫ଟି କୋଭିଡ଼୍ କେୟାର ସେଣ୍ଟର ହିଁ ଖୋଲିଥିଲା। କାର୍ଯ୍ୟକ୍ଷମ ହୋଇଥିବା ସେଣ୍ଟର ମଧ୍ୟରୁ ଗୁଣପୁର ଆଦର୍ଶ ବିଦ୍ୟାଳୟରେ ୬୨୦, ବିଷମକଟକରେ ୧୮୮, ନାରିନିଗୁଡାରେ ୪୮୭, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ତାଡ଼ମାରେ ୫୯୦ ଏବଂ ଏଏମଆରଏସ୍ ଗୁଣପୁର ସେଣ୍ଟରରେ ୧୪୭ ମୋଟ ୨୦୩୨ ଆକ୍ରାନ୍ତ ଚିକିତ୍ସିତ ହୋଇଛନ୍ତି। ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଅଗଷ୍ଟ ମାସରେ ଗୁଣପୁର, ବିଷମକଟକର ଦୁଇ କୋଭିଡ଼୍ କେୟାର ସେଣ୍ଟର ବନ୍ଦ ହୋଇଯାଇଥିବା ବେଳେ ଅନ୍ୟ ୩ଟି ସେଣ୍ଟରରେ ଅକ୍ଟୋବରରୁ ଜଣେ ବି ଆକ୍ରାନ୍ତ ନାହାନ୍ତି। ସେହିପରି କୋଭିଡ଼୍ ଆକ୍ରାନ୍ତଙ୍କ ଚିକିତ୍ସାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜେକେପୁର ମୁଖ୍ୟ ହସପିଟାଲ୍ ଆଜି କରୋନା ଆକ୍ରାନ୍ତ ମୁକ୍ତ ହୋଇଛି। ଯାହାର ସମସ୍ତ ଶ୍ରେୟ ଜିଲ୍ଲା ପ୍ରଶାସନ ଓ କୋଭିଡ଼୍ ଯୋଦ୍ଧାଙ୍କୁ ଯାଇଛି। ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକଙ୍କ ତତ୍ତ୍ବାବଧାନରେ ମେଡ଼ିକାଲ୍ ଅଫିସର୍ ଡା. ବି. ଲକ୍ଷ୍ମୀକାନ୍ତ ସାହୁ, ହସପିଟାଲ୍ ମ୍ୟାନେଜର୍ ଡା. ଅଭିଜିତ୍ ପଟ୍ଟନାୟକ, ୮ ଡାକ୍ତର, ୧୬ ଷ୍ଟାଫ୍ ନର୍ସ, ୫ ଫାର୍ମାସିଷ୍ଟ୍, ଜଣେ ଲ୍ୟାବ୍ ଟେକ୍ନିସିଆନ୍, ଜଣେ ରେଡ଼ିଓଲୋଜି ଆକ୍ରାନ୍ତଙ୍କ ଚିକିତ୍ସା ଦାୟିତ୍ବରେ ମୁତୟନ ହୋଇଥିଲେ। ପ୍ରଥମେ ହସପିଟାଲର ନୋଡାଲ୍ ଅଧିକାରୀ ଭାବେ ରାୟଗଡ଼ା ପିଏ ଆଇଟିଡିଏ ଟୁକୁ ବାରିକ୍ ଏବଂ ଅଗଷ୍ଟ ପହିଲାରୁ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ନୋଡାଲ୍ ଅଧିକାରୀ ଭାବେ ଦାୟିତ୍ବ ତୁଲାଇ ଆସୁଛନ୍ତି। ଜିଲ୍ଲାରେ ଆଜି ସୁଦ୍ଧା ୮୧୭୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୦୨୮ ସୁସ୍ଥ, ୪୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ୧୦୮ ଆକ୍ରାନ୍ତ ହୋମ୍ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି। ଶୀତ ଋତୁରେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ବଢ଼ିବା ଆଶଙ୍କା ଥିବାରୁ ପ୍ରଶାସନ ସଜାଗ ରହିବା ସହ ସ୍ଥିତି ଉପରେ ନଜର ରଖିଛି ବୋଲି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର