ଏଟିଏମରୁ ଟଙ୍କା ହଡ଼ପ ମାମଲା, ଜଣେ ଗିରଫ, ୩୯,୫୦୦ ଟଙ୍କା ଉଦ୍ଧାର

ରାୟଗଡ଼ା (ଇମିସ): ଏଟିଏମରୁ ଟଙ୍କା ହଡ଼ପ ମାମଲାରେ ରାୟଗଡ଼ା ଟାଉନ୍ ଥାନା ପୁଲିସକୁ ମିଳିଛି ସଫଳତା। ଟଙ୍କା ହଡ଼ପ କରିଥିବା କେ. ନରେନ୍ଦ୍ର ରେଡ୍ଡୀକୁ ପୁଲିସ୍ ଗିରଫ କରିବା ସହିତ ହଡ଼ପ ହୋଇଥିବା ୩୯ ହଜାର ୫୦୦ ଟଙ୍କା ଉଦ୍ଧାର କରିଛି । ଉଦ୍ଧାର ଟଙ୍କାକୁ ପୁଲିସ୍ ଅଭିଯୋଗକାରୀ ମଞ୍ଜରୀ କୁମାରୀ ବିଡ଼ିକାଙ୍କୁ ହସ୍ତାନ୍ତର କରିଛି। ଗିରଫ ପରେ ନରେନ୍ଦ୍ରକୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ୍ କହିଛି।

ରାୟଗଡ଼ା ଗୌତମ ନଗରର ମଞ୍ଜରୀ ଏପ୍ରିଲ୍ ୩୦ ତାରିଖରେ ଟଙ୍କା ଉଠାଇବା ପାଇଁ ଷ୍ଟେଟ୍ ବ୍ୟାଙ୍କ ଏଟିଏମକୁ ଯାଇଥିଲେ। ଟଙ୍କା ଉଠାଣ ପରେ ମଞ୍ଜରୀ ଅନ୍ୟ ମନସ୍କ କାରଣରୁ ଏଟିଏମ୍ କାର୍ଡକୁ ଏଟିଏମ୍ ପରିସରରେ ଛାଡ଼ି ଆସିଥିଲେ। ଏହାର କିଛି ସମୟ ପରେ ଏଟିଏମକୁ ଟଙ୍କା ଉଠାଇବାକୁ ଯାଇଥିବା ନରେନ୍ଦ୍ର କାର୍ଡକୁ ପାଇଥିଲେ। କାର୍ଡ ପଛ ପାର୍ଶ୍ବରେ ପାସୱାର୍ଡ ଉଲ୍ଲେଖ ଥିବାରୁ ନରେନ୍ଦ୍ର ୪ଟି ପର୍ଯ୍ୟାୟରେ ମଞ୍ଜରୀଙ୍କ ଆକାଉଣ୍ଟରେ ଥିବା ସମସ୍ତ ଟଙ୍କାକୁ ଉଠାଇ ନେଇଥିଲେ। ମୋବାଇଲରେ ଏଟିଏମ୍ କାର୍ଡରୁ ଟଙ୍କା ଉଠୁଥିବା ମେସେଜ୍ ପାଇବା ପରେ ମଞ୍ଜରୀ ଏଟିଏମ୍ କାର୍ଡ ହଜାଇ ଦେଇଥିବା ଏବଂ ଆକାଉଣ୍ଟରେ ଥିବା ସମସ୍ତ ଟଙ୍କାକୁ କେହି ଉଠାଇ ନେଇଥିବା ନେଇ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଟଙ୍କା ଉଠାଇଥିବା ନରେନ୍ଦ୍ରକୁ ଗିରଫ କରିଥିଲା। ଗିରଫ ପରେ ନରେନ୍ଦ୍ର ସମସ୍ତ ଟଙ୍କା ଫେରାଇଥିବା ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ ସୂଚନା ଦେଇଛନ୍ତି। ଗିରଫ ନରେନ୍ଦ୍ରଙ୍କ ଘର ତେଲେଙ୍ଗାନାର ଭେଙ୍କଟଗିରି ଗ୍ରାମରେ। ନରେନ୍ଦ୍ର ଏଠାରେ ଏକ ଘରୋଇ କଂପାନିରେ କାମ କରୁଥିବା ଜଣା ପଡ଼ିଛି। ପୁଲିସ୍ ଉଦ୍ଧାର କରିଥିବା ଟଙ୍କାକୁ ମଞ୍ଜରୀଙ୍କୁ ହସ୍ତାନ୍ତର କରିବା ପରେ ପୁଲିସର ପଦକ୍ଷେପକୁ ମଞ୍ଜରୀ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର