ଡେଙ୍ଗୁ ଜ୍ୱରରେ ଜଣେ ମୃତ

ରାୟଗଡ଼ା: ରାୟଗଡା ଜିଲ୍ଲାରେ ଡେଂଗୁ ଜ୍ୱର ଭୟଙ୍କର ରୂପ ନେଲାଣି। ରୋଗୀ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ଉଦ୍‌ବେଗ ଜନକ। କିନ୍ତୁ ସ୍ୱାସ୍ଥ୍ୟ ବିଭାଗ ଏବଂ ପ୍ରଶାସନ ଏପର୍ଯ୍ୟନ୍ତ ଠୋସ୍‌ ପଦକ୍ଷେପ ନେବାରେ ବିଳମ୍ବ କରି ଚାଲିଛନ୍ତି। ଯାହାଫଳରେ ଆଜି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ମାଝିଗୁଡ଼ା ଗ୍ରାମର ଡେଂଗୁ ରୋଗୀ ରେଡ୍ଡି ମୁରଲୀ ମୋହନ (୫୩)ଙ୍କ ପାର୍ବତୀପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଗତକାଲି ମୁରଲୀ ମୋହନ ଜ୍ୱରରେ ପୀଡିତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭେଷଜ ବିଶେଷଜ୍ଞ ଡ଼ାକ୍ତର ବି.କେ ଦେଙ୍କୁ ସାକ୍ଷାତ କରିଥିଲେ। ତେବେ ଚିକିତ୍ସା କରିବା ପରିବର୍ତେ ରୋଗୀଙ୍କୁ ଅନ୍ୟତ୍ର ନେଇଯିବାକୁ ପରାମର୍ଶ ଦିଆଯାଇଥିଲା। ଏହାପରେ ପରିବାର ଲୋକ ବିଜୟନଗର ମେଡିକାଲ ନେଉଥିଲେ। କିନ୍ତୁ ରାସ୍ତାରେ ଅବସ୍ଥା ସଂକଟାପନ୍ନ ହେବାରୁ ପାର୍ବତୀପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତି କରିଥିଲେ।

ସେଠାରେ ରକ୍ତ ନମୁନା ପରୀକ୍ଷା କରିବାରୁ ଡେଂଗୁ ଜ୍ୱର ହୋଇଥିବା ସ୍ପଷ୍ଟ ହୋଇଥିଲା। ଚିକିତ୍ସା ସତ୍ତ୍ୱେ କିଡନି ଅଚଳ ହୋଇଯିବାରୁ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମେଡିକାଲରୁ ଶବ ଆଣିବା ପରେ ରାୟଗଡ଼ା ବ୍ଲକ କୁମୁଟିପେଣ୍ଠ ନିଆଯାଇ ଶେଷକୃତ୍ୟ କରାଯାଇଥିଲା। ମୃତ୍ୟୁ ବେଳକୁ ପତ୍ନୀ, ପୁଅ ଓ ଝିଅ ପାଖରେ ଥିଲେ। ଚାଷ ପାଇଁ ସେ କଲ୍ୟାଣସିଂହପୁର ମାଝିଗୁଡ଼ାରେ ରହୁଥିଲେ ବୋଲି ତାଙ୍କ ଜ୍ୱାଇଁ କେ.ଟି ରେଡ୍ଡି ସୂଚନା ଦେଇଛନ୍ତି।
ଗତ ତିନି ମାସ ହେଲା ଜିଲ୍ଲାରେ ଡେଙ୍ଗୁ ଜ୍ୱର କାୟା ମେଲାଇ ଚାଲିଛି। ଶତାଧିକ ଲୋକ ଇତି ମଧ୍ୟରେ ଏହି ମାରାତ୍ମକ ରୋଗରେ ପୀଡିତ ହୋଇସାରିଲେଣି। ବର୍ତମାନ ସୁଦ୍ଧା ୪ଜଣଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ ସିଡିଏମଓ ଚନ୍ଦ୍ରିକା ପ୍ରସାଦ ଦାସ କୌଣସି ଗୋଟିଏ ବି ମୃତ୍ୟୁକୁ ଡେଙ୍ଗୁ ଜନିତ ବୋଲି ସ୍ୱୀକାର କରୁନାହାନ୍ତି। ସେହିପରି ଲୋକ ପ୍ରତିନିଧିମାନେ ବି ଏଥିପ୍ରତି ଆଦୌ ଗୁରୁତ୍ୱ ଦେଉ ନଥିବା ଆମ ଆଦମି ଦଳର ଆବାହାକ ଜନ୍ମେଜୟ ସ୍ୱାଇଁ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର