ବିଦ୍ୟୁତ ବିଭ୍ରାଟକୁ ନେଇ ବଢ଼ୁଛି ଜନ ଅସନ୍ତୋଷ

କୋ‌ଷାଗୁମୁଡା: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବାରୁ ଲୋକେ ଗରମରେ ଆଉଟୁପାଉଟୁ ହେଉଛନ୍ତି। ଅନ୍ୟପଟେ ଅଘୋଷିତ ବିଦ୍ୟୁତ କାଟ୍ ଲୋକଙ୍କ ସମସ୍ୟାକୁ ଦ୍ବିଗୁଣିତ କରିଛି। କୋଷାଗୁମୁଡା ବ୍ଲକରେ ପ୍ରତିଦିନ ଅଘୋଷିତ ବିଦ୍ୟୁତ କାଟ୍ ହେଉଛି। ଦିନତମାମ ଅନେକ ଥର ବିଦ୍ୟୁତ କାଟ୍ ହେଉଥିବା ବେଳେ ବିଦ୍ୟୁତ ଥିବା ସମୟରେ ଲୋ-ଭୋଲଟେଜ ସମସ୍ୟା ଦେଖାଦେଉଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଲୋକେ ଘରୁ ବାହାରକୁ ବାହାରିବା ପାଇଁ ଉଚିତ୍ ମଣୁନାହାନ୍ତି। ଅନ୍ୟପଟେ ଘରେ ବିଦ୍ୟୁତ ନଥିବାରୁ ‌ଫ୍ୟାନ୍, କୁଲର ଓ ଏସି ଆଦି ଚାଲୁନଥିବାରୁ ଲୋକେ ଘରେ ରହିବା କଷ୍ଟସାଧ୍ୟ ହୋଇପଡୁଛି। ପୂର୍ବରୁ ଜୟପୁର ଗ୍ରୀଡ଼ରୁ କୋଷାଗୁମୁଡା ବ୍ଲକକୁ ବିଦ୍ୟୁତ ଯୋଗାଣ ‌ହେଉଥିଲା। କିନ୍ତୁ ନିୟମିତ ବିଦ୍ୟୁତ ବିଭ୍ରାଟ ହେବାରୁ ନବରଙ୍ଗପୁର ଗ୍ରୀଡ଼ରୁ କୋଡିଙ୍ଗା ଦେଇ ବିଦ୍ୟୁତ ଯୋଗାଣ କରାଯାଉଛି। କିନ୍ତୁ ଏହାପରେ ବି ବିଦ୍ୟୁତ କାଟ୍ ବନ୍ଦ ହେଉନି। ଅଘୋଷିତ ବିଦ୍ୟୁତ କାଟ୍ ଯୋଗୁଁ ଜଳ ଯୋଗାଣ ବାଧାପ୍ରାପ୍ତ ହେଉଛି। ଜଳଯୋଗାଣ ବନ୍ଦ ରହୁଥିବାରୁ ‌ଲୋକେ ପାଣି ପାଇଁ ଡହଳବିକଳ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟପଟେ ବିଭିନ୍ନ କାର୍ଯ୍ୟ ଅନଲାଇନ୍ ଦ୍ବାରା ସଂପନ୍ନ ହେଉଥିବା ବେଳେ ବିଦ୍ୟୁତ କାଟ୍ ଯୋଗୁଁ ଲୋକେ ବହୁ ହଇରାଣ ହେଉଛନ୍ତି। ବିଶେଷ କରି ଛାତ୍ରଛାତ୍ରୀ ମାନେ ନାମଲେଖା କରିବା ସମୟରେ ସମସ୍ୟା ଦେଖାଦେଉଛି। ବିଦ୍ୟୁତ କାଟ୍ ଯୋଗୁଁ ସମଗ୍ର ଅଞ୍ଚଳବାସୀ ହଇରାଣ ହେଉଥିଲେ ହେଁ ଏହାର ସମାଧାନ ପାଇଁ ବିଦ୍ୟୁତ ବିଭାଗ ଦୃଷ୍ଟି ଦେଉନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। କୋଷାଗୁମୁଡା ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ସଂଗ୍ରାମ କେଶରୀ ସ୍ବାଇଁଙ୍କ ସହ ଯୋଗାଯୋଗ ସମ୍ଭବ ହୋଇନଥିବାରୁ ଏନେଇ ତାଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇପାରିନି।

ସମ୍ବନ୍ଧିତ ଖବର