କାଶୀପୁର : ୨କିମି ଖଟିଆରେ ବୁହାହେଲେ ଗର୍ଭବତୀ

କାଶୀପୁର  : ଗାଁକୁ ପକ୍କା ରାସ୍ତା ନଥିବାରୁ ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ମହିଳାଙ୍କୁ ଷ୍ଟ୍ରେଚରରେ ୨ କିଲୋମିଟର ବୋହିଲେ ଆମ୍ବୁଲାନ୍‌ସ ଚାଳକ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକର ସଙ୍କରଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳି ପଦର ଗ୍ରାମରେ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଉକ୍ତ ଘଟଣାରେ ଗ୍ରାମର ଗୋବର ମାଝି ଙ୍କର ସ୍ତ୍ରୀ ସୁନାଦେଇ (୨୦) ଆଜି ସକାଳେ ପ୍ରାୟ ୫ ଘଣ୍ଟାରେ ପ୍ରସବ ବେଦନା ଅନୁଭବ କରିଥିଲେ। ସୁନାଦେଇ ଙ୍କୁ ଟିକିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ପ୍ରସବ ନିମନ୍ତେ ଗୋବର ମାଝି ୧୦୨ ଆମ୍ବୁଲାନ୍‌ସକୁ ଯୋଗାଯାଗ କରିଥିଲେ। ଖବର ପାଇବା ମାତ୍ରେ କାଶୀପୁରରେ ଥିବା ଆମ୍ବୁଲାନ୍‌ସ ତେନ୍ତୁଳି ପଦର ଗ୍ରାମ ପ୍ରାୟ ୪୦ କିମିରୁ ଅଧିକ ରାସ୍ତା ଅଭିମୁଖେ ବାହାରିଥିଲା। ଆମ୍ବୁଲାନ୍‌ସଟି ସକାଳ ୬:୨୨ ରେ କାଶୀପୁର ଠାରୁ ବାହାରି ପ୍ରାୟ ୭:୩୦ ଟା ରେ ତେନ୍ତୁଳି ପଦର ଗାଁ ଠାରୁ ୨ କିଲୋମିଟର ଦୂର ରେ ଥିବା ବଡ଼ପୁକେଲ ଗାଁ ନିକଟରେ ଅଟକିଥିଲା। ବଡ଼ପୁକେଲ ଠାରୁ ତେନ୍ତୁଳିପଦର ଗାଁ କୁ ପକ୍କା ରାସ୍ତା ନଥିବାରୁ ଆମ୍ବୁଲାନ୍‌ସଟି ତେନ୍ତୁଳି ପଦର ଗାଁକୁ ଯାଇ ନ ପାରି ବଡ଼ପୁକେଲ ରେ ଅଟକି ଯାଇଥିଲା । ଆମ୍ବୁଲାନ୍‌ସ ଡ୍ରାଇଭର ଜଣେ ପରୀକ୍ଷିତ ନାଏକ ଦୀର୍ଘ ୨ କିଲୋମିଟର ଚାଲିବା ପରେ ସକାଳ ପ୍ରାୟ ୮ ଘଣ୍ଟା ସମୟରେ ତେନ୍ତୁଳି ପଦର ପହଞ୍ଚି ଥିଲେ । ଏମାନେ ପହଁଚିବା ବେ‌ଳକୁ ସୁନାଦେଇ ପ୍ରସବ ବେଦନାରେ ଛଟପଟ ହେଉଥିଲେ। ପରେ ଆମ୍ବୁଲାନ୍‌ସ ଚାଳକ ପରୀକ୍ଷିତ ନାଏକ ,ଓ ସ୍ୱାମୀ ଗୋବର ମାଝି ଅନ୍ୟ ଦୁଇଜଣ ଖଟିଆରେ ବୋହି ଘାଟି ଓ ଜଙ୍ଗଲ ରାସ୍ତାଦେଇ ବହୁ କଷ୍ଟରେ ଆମ୍ବୁଲାନ୍‌ସ ନିକଟରେ ପହଞ୍ଚିଥିଲେ। ଶେଷରେ ସୁନାଦେଇ ଙ୍କୁ ଆମ୍ବୁଲାନ୍‌ସ ଯୋଗେ ଟିକିରି ସ୍ଵାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା ର କିଛି ସମୟ ପରେ ସୁନାଦେଇ ଙ୍କୁ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି

ସମ୍ବନ୍ଧିତ ଖବର