କାଶୀପୁର: କାଶୀପୁର ବ୍ଲକ ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ସକାଳେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଅନୁପସ୍ଥିତରୁ ଜଣେ ଗର୍ଭବତୀ ଅସୁରକ୍ଷିତ ଭାବେ ସ୍ୱାସ୍ଥ୍ୟକେନ୍ଦ୍ରର ବାରଣ୍ଡାରେ ପ୍ରସବ କରିଛନ୍ତି। ଜନ୍ମିତ ଶିଶୁର ଓଜନ କମ୍ ଥିବାରୁ ଶିଶୁଙ୍କ ସହ ପ୍ରସୂତୀଙ୍କୁ ରାୟଗଡ଼ା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Advertisment

ଆଜି ସକାଳେ ପୋଡ଼ାପାଡ଼ି ପଞ୍ଚାୟତ ପହୁଣ୍ଡି ଗ୍ରାମର ନମିତା ଖରାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ସକାଳ ପ୍ରାୟ ସାଢ଼େ ସାତଟାରେ ଟିକିରି ପିଏଚସିକୁ ନିଆଯାଇଥିଲା। ଏହି ସମୟରେ ସ୍ୱାସ୍ଥ୍ୟକର୍ମୀ ମେଡିକାଲରେ ଅନୁପସ୍ଥିତ ଥିଲେ। କିଛି ସମୟର ଅପେକ୍ଷା ପରେ ମଧ୍ୟ ସ୍ୱାସ୍ଥ୍ୟକର୍ମୀ ଆସିନଥିଲେ। ଏପଟେ ଗର୍ଭ ଯନ୍ତ୍ରଣା ଆରମ୍ଭ ହେବା ପରେ ନମିତା ମେଡିକାଲ ବାରଣ୍ଡାରେ ପ୍ରସବ କରିବାକୁ ବାଧ୍ୟ ହୋଇଥିଲେ। ଟିକିରି ପିଏଚସିରେ ଡାକ୍ତରଙ୍କ ସହ କର୍ମଚାରୀଙ୍କ ତାଳମେଳ ରହୁନଥିବାରୁ ଏଭଳି ସମସ୍ୟା ଦେଖା ଦେଇଥିବା ଅଭିଯୋଗ ହେଉଛି। ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ସହ କାର୍ଯ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।