ରାୟଗଡ଼ା/ଆସ୍କା/ଭଞ୍ଜନଗର: ବାତ୍ୟା ‘ତିତ୍‌ଲି’ ପରେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ବର୍ଷା ପରେ ବନ୍ୟା ଯୋଗୁଁ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ରାୟଗଡ଼ା ଜିଲ୍ଲାର ଗୁଣପୁରରେ ୪୮ ଘଣ୍ଟା ହେବ ବିଦ୍ୟୁତ ସରବରାହ ବନ୍ଦ ଥିବାରୁ ଲୋକଙ୍କୁ ଇନଭଟର ବ୍ୟାଟେରୀ ଚାର୍ଜିଂ ପାଇଁଁ ୪୦୦ ଟଙ୍କା ଦେବାକୁ ପଡୁଛି। ଏଥି ପାଇଁ ଗୁରୁବାର ୫୦ ଟଙ୍କା ଦେବାକୁ ପଡୁଥିଲା। ଡିଜେ ଜେନେରେଟର ମାଧ୍ୟମରେ ଏଠାରେ ଇନଭଟର ବ୍ୟାଟେରୀ ଚାର୍ଜିଂ କରାଯାଉଛି।

Advertisment

ସେହିଭଳି ପାନୀୟ ଜଳ ପାଇଁ ବହୁ ସଂଘର୍ଷ କରିବାକୁ ପଡୁଛି। ଏଠାରେ ୧୦୦୦ ଲିଟର ପାଣି ଟ୍ୟାଙ୍କର ପାଇଁ ୧୦୦୦ ଟଙ୍କା ଦେବାକୁ ପଡୁଥିବା ବେଳେ ୨୦୦୦ ଲିଟର ପାଣି ଟ୍ୟାଙ୍କର ପାଇଁ ୧୫୦୦ ଟଙ୍କା ଦେବାକୁ ପଡୁଛି।

publive-image

ବଂଶଧାରା ନଦୀରେ ପ୍ରବାହିତ ହେଉଥିବା ଜଳସ୍ତର ହ୍ରାସ ପାଇଛି ସତ କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି। ବଂଶଧାରାରେ ଗୁରୁବାର ୮୪.୯୦ ମିଟର ଜଳ ପ୍ରବାହିତ ହେଉଥିବା ବେଳେ ଆଜି ୮୨ ମିଟରରେ ଜଳପ୍ରବାହିତ ହେଉଛି। ଏହି ନଦୀର ବିପଦ ସଙ୍କେତ ହେଉଛି ୮୪ ମିଟର। ଗୁଣୁପୁର ଜିଲ୍ଲାରେ ବନ୍ୟାଯୋଗୁଁ ଶତାଧିକ ଘର ଭାଙ୍ଗି ଯାଇଥିବାରୁ ଲୋକେ ବିଦ୍ୟାଳୟ ଓ ଗ୍ରାମପଞ୍ଚାୟତରେ ଆଶ୍ରୟ ନେଇଛନ୍ତି।

publive-image

ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଓ ଆସ୍କା ବ୍ଲକରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କେବଳ ଆସ୍କା ବ୍ଲକରେ ପ୍ରାୟ ୫୦୦୦୦ ଲୋକ ଜଳବନ୍ଦୀ ଅଛନ୍ତି। ଆସ୍କା ବସଷ୍ଟାଣ୍ଡ ଓ ମେଡିକାଲ ରୋଡରେ ରିପୋର୍ଟ ଲେଖାଯିବା ବେଳକୁ ପ୍ରାୟ ୫ ଫୁଟ ପାଣି ପ୍ରବାହିତ ହେଉଛି। ସେହିପରି ଉପଖଣ୍ଡ ଜେଲ ସମ୍ମୁଖରେ ଥିବା ଫାଟକ ବନ୍ୟା ଯୋଗୁଁ ବଙ୍କା ହୋଇଥିବାରୁ ପୁଲିସ ଓ ଜେଲ କର୍ମଚାରୀଙ୍କ ଚିନ୍ତା ବଢ଼ି ଯାଇଛି। ବନ୍ୟା ଯୋଗୁଁ ଜେଲରେ ରୋଷେଇ ହୋଇ ପାରି ନଥିବାରୁ ବ୍ରହ୍ମପୁର ଜେଲରୁ ରନ୍ଧାଖାଦ୍ୟ ଅଣାଯାଇ କଏଦୀମାନଙ୍କୁ ଖାଇବାକୁ ଦିଆଯାଇଛି।

ଆସ୍କା ଚାରିଆଡୁ ବିଚ୍ଛିନ୍ନ ହୋଇଯାଇଛି। ଆସ୍କା ଏନ୍‌ଏସିର ୧୮ ଜିଲ୍ଲା ଓ ଆସ୍କା ପଞ୍ଚାୟତର ୨୦ ପଞ୍ଚାୟତ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି। ବନ୍ୟା ଯୋଗୁଁ ହଜାର ହଜାର ଏକର ଧାନ ଚାଷ ଓ ପରିବା ଚାଷ ନଷ୍ଟ ହୋଇଛି।