ରାୟଗଡ଼ାରେ ନିଅଣ୍ଟିଆ ବର୍ଷା: ସ୍ବାଭାବିକଠୁ ୨୦ ପ୍ରତିଶତ କମ୍ ବର୍ଷା

ବିହନ ବୁଣିବା ପରେ ବର୍ଷା ଗାଏବ, ଚିନ୍ତାରେ ଚାଷୀ

ରାୟଗଡ଼ା: ଜୁନ୍ ପହିଲାରେ ଓଡ଼ିଶାକୁ ଛୁଇଁଥିଲା ମୌସୁମୀ। ଫଳରେ ସ୍ବାଭାବିକ ବର୍ଷା ହେବା ନେଇ ଆକଳନ କରିଥିଲା ପାଣିପାଗ ବିଭାଗ। କିନ୍ତୁ ହଠାତ୍ ବର୍ଷା ଗାଏବ ହୋଇଯିବା କାରଣରୁ ଜୁନ୍ ମାସରେ ୨୦ ପ୍ରତିଶତ କମ୍ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ୨୦୨୦ ତୁଳନାରେ ଚଳିତ ବର୍ଷ ୮୮୯.୧୯ ମିମି ନିଅଣ୍ଟିଆ ବର୍ଷା ହୋଇଥିବାରୁ ନେଇ ଚାଷକାର୍ଯ୍ୟ ସ୍ବାଭାବିକ ହେବା ନେଇ ଆଶଙ୍କା ଦେଖାଦେଇଛି।
ପାଣିପାଗ ବିଭାଗର ସୂଚନାନୁଯାୟୀ, ଜୁନ୍ ୧ରୁ ୨୭ ତାରିଖ ମଧ୍ୟରେ ରାୟଗଡ଼ାରେ ମୋଟ ୧୩୫୫.୫ ମିମି ବର୍ଷା ହୋଇଛି। ମାସର ୨, ୫, ୭, ୧୭, ୨୦, ୨୧, ୨୬ ତାରିଖରେ ଜିଲ୍ଲାରେ ବର୍ଷାର ପରିମାଣ ଶୁନ୍ ରହିଛି। ସେହିପରି ୪ ତାରିଖରେ ୧୧.୪ ମିମି, ୬ ତାରିଖରେ ୮.୨ ମିମି, ୮ ତାରିଖରେ ୬.୨ ମିମି, ୯ ତାରିଖରେ ୧୨.୬ ମିମି, ୧୫ ତାରିଖରେ ୧୫.୨ ମିମି, ୧୬ ତାରିଖରେ ୦.୨ ମିମି, ୧୮ ତାରିଖରେ ୨.୩ ମିମି, ୨୨ ତାରିଖରେ ୩୯.୩ ମିମି ବର୍ଷା ରେକର୍ଡ ହୋଇଛି। ଯାହା ଅତ୍ୟନ୍ତ ନୈରାଶ୍ୟଜନକ। ଗତ ୨୭ ଦିନ ମଧ୍ୟରେ କେବଳ ୪ ଦିନ ହିଁ (୧୦ ତାରିଖରେ ୧୬୬.୮ ମିମି, ୧୨ ତାରିଖରେ ୧୭୪ ମିମି, ୧୪ ତାରିଖରେ ୨୩୨.୮ ମିମି ଏବଂ ୨୭ ତାରିଖରେ ୧୭୮.୬ ମିମି) ଭଲ ବର୍ଷା ହୋଇଛି। ଏତେ କମ୍ ପରିମାଣର ବର୍ଷା ଚାଷ କାର୍ଯ୍ୟ ପାଇଁ ଅନୁକୂଳ ହୋଇନଥିବାରୁ ଚାଷୀକୂଳ ଚିନ୍ତାରେ ପଡିଛନ୍ତି।

ମାସ ଆରମ୍ଭରେ ବର୍ଷା ଭଲ ହେବା ପରେ ଅକ୍ଷୟ ତୃତୀୟାରେ ଅକ୍ଷିମୁଠି ଅନୁକୂଳ କରି ବିହନ ବୁଣିଥିଲେ ଚାଷୀ। ହେଲେ ବିହନ ବୁଣିବା ପରଠୁ ହିଁ ବର୍ଷା ଗାଏବ ହୋଇଯାଇଛି। କାଁ ଭାଁ କିଛି ବ୍ଲକରେ ବର୍ଷା ପରିମାଣ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ବ୍ଲକରେ ବର୍ଷାର ପରିମାଣ ନୈରାଶ୍ୟଜନକ ରହିଛି। ରାୟଗଡ଼ା ବ୍ଲକରେ ୧୯୨.୪୦ ମିମି, କୋଲନରାରେ ୨୪୦.୮୦ ମିମି, କଲ୍ୟାଣସିଂହପୁରରେ ୬୧.୬୦ ମିମି, କାଶୀପୁରରେ ୨୧୧.୯୦ ମିମି, ଗୁଣପୁରରେ ୬୮.୨୦ ମିମି, ପଦ୍ମପୁରରେ ୯୬.୪୦ ମିମି, ଗୁଡାରିରେ ୬୭ ମିମି, ରାମନାଗୁଡାରେ ୧୩୦.୨୦ ମିମି, ବିଷମକଟକରେ ୯୧ ମିମି, ମୁନିଗୁଡାରେ ୧୨୫.୪୦ ଏବଂ ଚନ୍ଦ୍ରପୁରରେ ୭୦.୬୦ ମିମି ବର୍ଷା ହୋଇଛି। ଫଳରେ ଜିଲ୍ଲାରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଜୁନ୍ ମାସରେ ଚାଷକାର୍ଯ୍ୟ ପାଇଁ ହାରାହାରି ୧୮୮ ମିମି ବର୍ଷାର ଆବଶ୍ୟକତା ଥିବା ବେଳେ ଚଳିତ ବର୍ଷ ହାରାହାରି ବର୍ଷା ପରିମାଣ ୧୨୩.୨୩ ମିମି ରହିଛି। ୨୦୨୦ ଜୁନ୍ ମାସରେ ଜିଲ୍ଲାରେ ୨୨୪୪.୨୪ ମିମି ବର୍ଷା ରେକର୍ଡ ହୋଇଥିଲା। ଚଳିତ ବର୍ଷ ଜୁନ୍ ମାସ ସରିବାକୁ ଆଉ ୩ ଦିନ ବାକିଥିବା ବେଳେ ନିଅଣ୍ଟିଆ ବର୍ଷା ଜୁଲାଇ ପହିଲାରେ ମଧ୍ୟ ସ୍ବାଭାବିକ ହେବା ନେଇ ସନ୍ଦେହ ଉପୁଜିଛି। ୧ ଜୁନରୁ ୨୭ ଜୁନ୍ ମଧ୍ୟରେ ଅବିଭକ୍ତ କୋରାପୁଟର ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ହିଁ ସ୍ବାଭାବିକ ବର୍ଷା ହୋଇଛି। ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ, ଯାଜପୁର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝରରେ ନିଅଣ୍ଟିଆ ବର୍ଷା ହୋଇଛି। ଯାହା ସ୍ବାଭାବିକ ବର୍ଷାଠାରୁ ୨୦ରୁ ୫୯ ପ୍ରତିଶତ ପର୍ଯ୍ୟନ୍ତ କମ୍ ରହିଛି। ସେହିପରି ଓଡ଼ିଶାରେ ୧ ଜୁନରୁ ୨୭ ଜୁନ୍ ମଧ୍ୟରେ ହାରାହାରି ୧୭୪.୯ ମିମି ବର୍ଷା ଅନୁଭୂତ ହୋଇଛି। ଏହା ସ୍ବାଭାବିକ ବର୍ଷା ୧୮୬.୧ ମିମିଠାରୁ ୬ ପ୍ରତିଶତ କମ୍ ରହିଛି।

ସମ୍ବନ୍ଧିତ ଖବର