ରାୟଗଡ଼ା : ଏକ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ପୁଲିସ ହେପାଜତରୁ ଖସିପଳାଉଥିବାବେଳେ ଏକ କଣ୍ଟେନର ଟ୍ରକ ଚାପାରେ ପ୍ରାଣହରାଇଛି । ଏପରି ଏକ ମର୍ମନ୍ତୁଦ ଘଟଣା ରାୟଗଡ଼ା ଥାନା ଆଗରେ ଘଟିଛି । ପୁଲିସ୍ ମୃତଦେହକୁ ଜବତ କରିଥିବା ବେଳେ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଅଭିଯୁକ୍ତ ସନ୍ତୋଷ କୁମାର ପଣ୍ଡୁ ଘର ବିଷମକଟକ ବ୍ଲକର ପଣସଗୁଡ଼ା ଗ୍ରାମରେ ବୋଲି ଜଣା ପଡ଼ିଛି।
ମିଳିଥିବା ସୂଚନା ଅନୁସାରେ ଟିକିରି ଥାନା ଅଞ୍ଚଳର ପଦ୍ମାବତୀ (ଛଦ୍ମନାମ) ଜଣେ ଯୁବତୀଙ୍କୁ ସନ୍ତୋଷ ପ୍ରେମ ଜାଲରେ ଫସାଇ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଥିଲେ। ବିଭିନ୍ନ ଆଳ ଦେଖାଇ ସନ୍ତୋଷ ବିବାହ ପ୍ରସ୍ତାବକୁ ଏଡ଼ାଇ ଚାଲିଥିଲେ। ଗତ ୯ ତାରିଖରେ ସନ୍ତୋଷଙ୍କୁ ସାକ୍ଷାତ କରିବା ପାଇଁ ପଦ୍ମାବତୀ ରାୟଗଡ଼ା ଆସିଥିଲେ। ସାକ୍ଷାତ ପରେ ସନ୍ତୋଷ ବାଇକରେ ପଦ୍ମାବତୀକୁ ମୁକୁନ୍ଦପୁର ହନୁମାନ ମନ୍ଦିରକୁ ବିବାହ କରିବାକୁ କହି ନେଇଥିଲେ। ମନ୍ଦିରରେ ପହଞ୍ଚିବା ପରେ ବିବାହ କରିବା ବଦଳରେ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରିଥିଲେ। ଠେଙ୍ଗା ମାଡ଼ରେ ପଦ୍ମାବତୀ ଲହୁଲୁହାଣ ହୋଇ ଚେତା ହରାଇବା ପରେ ସନ୍ତୋଷ ଚିକିତ୍ସା ପାଇଁ କୋଲନରା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ବାଇକରୁ ଖସି ପଡ଼ିଥିବା ଦର୍ଶାଇ ଚିକିତ୍ସା କରିବା ପରେ ଘଟଣା ସଂପର୍କରେ କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ।
ଜଣେ ସଂପର୍କୀୟଙ୍କ ସହାୟତାରେ ପଦ୍ମାବତୀ ଟିକିରିରେ ପହଞ୍ଚିବା ପରେ ଏ ନେଇ ଟିକିରି ଥାନାରେ ଅଭିଯୋଗ କରିଥିଲେ। ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ସହ ଆକ୍ରମଣ, ଜୀବନରେ ମାରିଦେବା ଧମକ ଅଭିଯୋଗକୁ ନେଇ ପୁଲିସ୍ ୩୨ ଏସସି/ଏସଟି ଆଇନ, ୩୭୬ (୨ ଏନ୍), ୩୨୩, ୫୦୬, ୪୧୯, ୩୧ ଆର୍ ଆଇନ ଅନୁଯାୟୀ ମାମଲା ରୁଜୁ କରିଥିଲେ। ରାୟଗଡ଼ା ଏସଡିପିଓ ତପନ ନାରାୟଣ ରଥ ମାମଲାର ତଦନ୍ତ ଭାର ନେବା ପରେ ଗତକାଲି ରାତିରେ ଅଭିଯୁକ୍ତ ସନ୍ତୋଷକୁ ବିଷମକଟକରୁ ରାୟଗଡ଼ା ପୁଲିସ୍ ଟିମ୍ ଗିରଫ କରିଥିଲା। ଆଜି ସକାଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ମାଇନା ପରେ ସନ୍ତୋଷକୁ କୋର୍ଟ ଚାଲାଣ ପାଇଁ ପୁଲିସ୍ ରାୟଗଡ଼ା ଥାନାକୁ ଆଣିଥିଲା। ଥାନାରେ ସନ୍ତୋଷ ବସିଥିବା ସମୟରେ ବାନ୍ତି ଆସୁଥିବା କହି ସନ୍ତୋଷ ବାହାରକୁ ଆସିବା ସହ ଫେରାର ଉଦ୍ୟମ କରି ଦୌଡ଼ିଥିଲା। ଏହି ସମୟରେ ରାୟଗଡ଼ାରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ କଣ୍ଟେନରରେ ପିଟି ହୋଇ ଯାଇଥିଲା ସନ୍ତୋଷ। କଣ୍ଟେନର ଆଗ ଚକା ତଳେ ସନ୍ତୋଷ ପଡ଼ି ଗୁରୁତର ହେବା ପରେ ସୁରକ୍ଷା ଦାୟିତ୍ବରେ ଯବାନ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ସନ୍ତୋଷଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇ ଏସପି ଡା. ଶର୍ବଣା ବିବେକ ଏମ୍, ଅତିରିକ୍ତ ଏସପି ରାମପ୍ରସାଦ ସାହୁ, ଏସଡିପିଓ ତପନ ନାରାୟଣ ରଥ, ଡିଏସପି ବଟକୃଷ୍ଣ ମିଶ୍ର, ଟିକିରି ଥାନା ଅଧିକାରୀ ସୁଜ୍ଞାନୀ ସାହୁ, ରାୟଗଡ଼ା ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ ଥାନାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ମୃତଦେହକୁ ମେଡ଼ିକାଲ୍ ଶବ ସଂରକ୍ଷଣ ଗୃହରେ ରଖାଯାଇଛି। ଆସନ୍ତାକାଲି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଏସପି ଡା. ଶର୍ବଣା ବିବେକ ଏମ୍ ସୂଚନା ଦେଇଛନ୍ତି। ଦୁର୍ଘଟଣାଗସ୍ତ କଣ୍ଟେନର ସମେତ ଘଟଣାର ପ୍ରତ୍ୟକ୍ଷଦର୍ଶିୀଙ୍କ ନିକଟରୁ ପୁଲିସ୍ ଦୁର୍ଘଟଣା ସଂପର୍କିତ ସାକ୍ଷ୍ୟ ପ୍ରମାଣ ଗ୍ରହଣ କରିଛି।