ଷଷ୍ଠ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଉଦ୍ୟମ, ଏସପିଙ୍କ ଦ୍ବାରସ୍ଥ ହେଲେ ପୀଡ଼ିତା ପରିବାର

ରାୟଗଡ଼ା : ସାପ୍ତାହିକ ହାଟରୁ ଘରକୁ ଫେରିବା ସମୟରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଖବର ହସ୍ତଗତ ହୋଇଛି । ଘଟଣାଟି କାଶୀପୁର ବ୍ଲକର ଅଣ୍ଡିରାକଞ୍ଚ ଥାନା ଇଲାକାରେ ଘଟିଛି ।

ତେବେ ଘଟଣାଟି ମାସକ ତଳେ ହୋଇଥିବା ସତ୍ତ୍ବେ, ପୁଲିସ୍ ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବାରୁ ଆଜି ପୀଡ଼ିତା ଓ ପରିବାର ଲୋକ ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି । ଅଭିଯୁକ୍ତଙ୍କ ପକ୍ଷରୁ ବିପଦ ଥିବାରୁ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ସହିତ ସୁରକ୍ଷା ଯୋଗାଇ ଦେବାକୁ ପୀଡ଼ିତାଙ୍କ ପରିବାର ଏସପିଙ୍କୁ ଗୁହାରି କରିଛନ୍ତି।

ଅକ୍ଟୋବର ୧୭ ତାରିଖରେ ପେରିଙ୍ଗିଣି ଗ୍ରାମର ଷଷ୍ଠ ଶ୍ରେଣୀ ଛାତ୍ରୀ ବାପାଙ୍କ ସହ ସଉଦା ଓ ଚପଲ କିଣିବାକୁ ଗୋରଖପୁର ହାଟକୁ ଆସିଥିଲେ। କିଣାକିଣି ସରିବା ପରେ ନିଜ ଘରକୁ ଫେରିବା ପାଇଁ ଗୋରଖପୁର ବସଷ୍ଟାଣ୍ଡ ନିକଟରେ ବାପା ଓ ଝିଅ ଅଟୋକୁ ଅପେକ୍ଷା କରିଥିଲେ। ଏହି ସମୟରେ କିଶୋର ଚନ୍ଦ୍ର ନାଏକ ଓ ପବିତ୍ର ନାଏକ ଏକ ବାଇକ ନଂ-ଓଡ଼ି୧୮ସି-୯୭୩୭ରେ ଆସି ଘରେ ଛାଡ଼ି ଦେବାକୁ କହିଥିଲେ। ଅଟୋ ମିଳିବାରେ ବିଳମ୍ବ ହେଉଥିବାରୁ ବାପା କିଶୋର ସହ ଝିଅକୁ ଛାଡ଼ି ଦେଇଥିଲେ। ଅଧା ରାସ୍ତାରେ କିଶୋର ପବିତ୍ରକୁ ଅନ୍ୟ କୌଣସି କାମ ଥିବା ଦର୍ଶାଇ ଓହ୍ଲାଇ ଦେଇଥିଲେ। ସେଠାରୁ କିଛି ଦୂର ଯିବା ପରେ ଚାରିଯୋଡ଼ି ଛକରୁ କିଶୋର ବାଇକକୁ ପେରିଙ୍ଗିଣି ଅଭିମୁଖେ ନେବା ବଦଳରେ ଏକ ଜଙ୍ଗଲ ରାସ୍ତାରେ ନେଇ ଯାଇଥିଲେ। ଜଙ୍ଗଲ ରାସ୍ତା ଦେଖି ଛାତ୍ରୀ ଭୟଭୀତ ହେବା ସହ କୁଆଡେ ନେଉଛ ବୋଲି କିଶୋରଙ୍କୁ ପଚାରିଥିଲେ। ଜଙ୍ଗଲ ଭିତରେ କିଶୋର ବାଇକକୁ ଅଟକାଇ ଛାତ୍ରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିଥିଲେ। ଛାତ୍ରୀ ଜଣଙ୍କ ଏହାର ପ୍ରତିବାଦ କରିବା ପରେ କିଶୋର ଜୋର ଜବରଦସ୍ତି ଛାତ୍ରୀଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ। ପରେ ଏହି ଘଟଣା ସଂପର୍କରେ କାହାକୁ କହିଲେ ଜୀବନରେ ମାରି ଦେବାକୁ ଧମକ ଦେଇ ଆଣି ଗାଁରେ ଛାଡ଼ି ଦେଇଥିଲେ ।

ଛାତ୍ରୀ ଜଣଙ୍କ ଘରେ ପହଞ୍ଚିବା ପରେ ପରିବାର ଲୋକଙ୍କୁ ଘଟଣା ସଂପର୍କରେ ଅବଗତ କରିଥିଲେ। ଅକ୍ଟୋବର ୨୧ ତାରିଖରେ ପୀଡ଼ିତାଙ୍କ ମାଉସୀ ଏ ସଂପର୍କରେ ଅଣ୍ଡିରାକଞ୍ଚ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ୨୩ ତାରିଖରେ କିଶୋର ଚନ୍ଦ୍ର ନାଏକ ଓ ପବିତ୍ର ନାଏକ ନାମରେ ମାମଲା ରୁଜୁ କରିଥିଲା। ଇତି ମଧ୍ୟରେ ଘଟଣାକୁ ଏକ ମାସ ବିତିବାକୁ ବସିଲାଣି। ଅଥଚ ପୁଲିସ୍ ଉଭୟ ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି। ଅଣ୍ଡିରାକଞ୍ଚ ଥାନା ଏଏସ୍ଆଇ ଏସ୍. ଏସ୍. ଖାଡଙ୍ଗା ଘଟଣାର ତଦନ୍ତ କରୁଥିବା ବେଳେ ଉଭୟ ଅଭିଯୁକ୍ତ ଫେରାର ଥିବା ଦର୍ଶାଇ ପୁଲିସ୍ ହାତବାନ୍ଧି ବସିଥିବା ପୀଡ଼ିତାଙ୍କ ପରିବାର ଅଭିଯୋଗ କରିଛନ୍ତି। ଏପଟେ ମାମଲାକୁ ରଫାଦଫା କରିବା ପାଇଁ ଅଭିଯୁକ୍ତମାନେ ଚାପ ପକାଇବା ସହ ଧମକ ଚମକ ଦେଉଛନ୍ତି। ନିଜ ଜୀବନ ପ୍ରତି ବିପଦ ଥିବା ଆଶଙ୍କାରେ ଆଜି ପୀଡ଼ିତା ଓ ପରିବାର ଲୋକ ରାୟଗଡ଼ା ଆସି ଏସପିଙ୍କୁ ସାକ୍ଷାତ କରିବା ସହ ସ୍ମାରକପତ୍ର ମାଧ୍ୟମରେ ନ୍ୟାୟ ଭିକ୍ଷା କରିଛନ୍ତି। ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି ଡା. ଶର୍ବଣା ବିବେକ ଏମ୍ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର