ସ୍ବପ୍ନରେ ରହିଯିବ ରାୟଗଡ଼ା ମେଡ଼ିକାଲ୍ କଲେଜ, ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶ ଘୋଷଣାରେ ପୁଣି ଉପେକ୍ଷିତ ରାୟଗଡ଼ା

. ଡାକ୍ତର ନିଯୁକ୍ତି, ସୁପର ସ୍ପେଶାଲିଷ୍ଟ୍ ହସପିଟାଲ୍ ମଧ୍ୟ ଘୋଷଣାରେ ସୀମିତ

ରାୟଗଡ଼ା : ଫୁଲବାଣୀ, କୋରାପୁଟ ପାଇଁ ଘୋଷଣା କଲେ। ରାୟଗଡ଼ାକୁ ଭୁଲିଗଲେ। ମେଡ଼ିକାଲ୍ କଲେଜ ଘୋଷଣା ତ ଦୂରର କଥା ଆଜି ପର୍ଯ୍ୟନ୍ତ ସୁପର ସ୍ପେଶାଲିଷ୍ଟ୍ ହସପିଟାଲ୍ ଓ ଡାକ୍ତର ନିଯୁକ୍ତି କ୍ଷେତ୍ରକୁ ମଧ୍ୟ ସରକାର ଗୁରୁତ୍ବ ଦେଉନାହାନ୍ତି। ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ଲାଗି ରାଜ୍ୟ ସରକାର ଅନ୍ୟ ଜିଲ୍ଲା ପାଇଁ ବିଭିନ୍ନ ଘୋଷଣା କରି ଚାଲିଥିବା ବେଳେ ରାୟଗଡ଼ାକୁ ଉପେକ୍ଷିତ କରି ଚାଲିଛନ୍ତି। ଦଳମତ ନିର୍ବିଶେଷରେ ଜିଲ୍ଲାବାସୀଙ୍କ ବହୁ ଦାବି ସତ୍ତ୍ବେ ସରକାର ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସଜାଡ଼ିବା କ୍ଷେତ୍ରରେ ରାୟଗଡ଼ାକୁ ଉପେକ୍ଷିତ କରି ଚାଲିଛନ୍ତି। ଯାହା ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନରେ ଶାସକ ଦଳ ପାଇଁ ହୋଇପାରେ ବୁମେଂରା।

ଭାଏବିଲିଟି ଗ୍ୟାପ ଫଣ୍ଡିଙ୍ଗ ମାଧ୍ୟମରେ ରାୟଗଡ଼ାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ସମ୍ମତି ପ୍ରକାଶ କରିବା ପରେ ୨୦୧୪ ମସିହାରେ ୩୨୭.୪୦କୋଟି ଟଙ୍କା ବ୍ୟୟରେ ମେଡିକାଲ କଲେଜ କରିବାକୁ ବିଧାନସଭାରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଘୋଷଣା କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ବାସ୍ତବ ରୂପ ନେଇପାରିନି। ଏପରିକି ଆକାଂକ୍ଷା ଜିଲ୍ଲା ଯୋଜନାରେ ରାୟଗଡ଼ା ସାମିଲ୍ ହେବା ପରେ ଡିପିଆର୍ ପଠାଇବାକୁ କେନ୍ଦ୍ର ସରକାର ନିର୍ଦେଶ ଦେଇଥିଲେ ମଧ୍ୟ ଆଜି ସୁଦ୍ଧା ରାଜ୍ୟ ସରକାରଙ୍କ ପକ୍ଷରୁ ଡିପିଆର୍ କେନ୍ଦ୍ର ନିକଟରେ ପହଞ୍ଚି ପାରିନି। ଯାହାକୁ ନେଇ ରାୟଗଡ଼ାବାସୀଙ୍କ ପକ୍ଷରୁ ଜୋରଦାର୍ ଦାବି ଉପସ୍ଥାପନ ସହ ୧୨ ଜଣିଆ କମିଟି ୫-ଟି ସଚିବ ଓ ଉନ୍ନୟନ ସଚିବଙ୍କ ସହ ଭୁବନେଶ୍ବରରେ ଆଲୋଚନା କରିଥିଲେ। ଇତି ମଧ୍ୟରେ ୬ ମାସ ବିତି ଯାଇଥିଲେ ସୁଦ୍ଧା ରାୟଗଡ଼ାର ଦାବିକୁ ସରକାର ଯଥାର୍ଥତା ଭାବେ ଗ୍ରହଣ କରିନାହାନ୍ତି। ଆଜି ମୁଖ୍ୟମନ୍ତ୍ରୀ ଫୁଲବାଣୀରେ ନୂତନ ମେଡ଼ିକାଲ୍ କଲେଜ ନିର୍ମାଣ ପାଇଁ ଘୋଷଣା କରିବା ପରେ ରାୟଗଡ଼ାବାସୀ ସ୍ତବ୍ଧ ହୋଇଛନ୍ତି।

ପଡୋଶୀ କୋରାପୁଟ, କନ୍ଧମାଳର ଦାବିକୁ ସରକାର ଗୁରୁତ୍ବ ଦେଉଥିବା ବେଳେ ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାକୁ କାହିଁକି ଉପେକ୍ଷିତ କରୁଛନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜିଲ୍ଲା ଓ ଉପଖଣ୍ଡ ଚିକିତ୍ସାଳୟରେ ଖାଲି ପଡିଥିବା ଡାକ୍ତରୀ ପଦବି ମଧ୍ୟ ପୂରଣ ହେଉନି। ଗୋଷ୍ଠୀ ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନବ ନିଯୁକ୍ତ ଡାକ୍ତର ଚଲାଉଛନ୍ତି। ଫଳରେ ଗୁରୁତ୍ବପୂର୍ଣ୍ଣ ଚିକିତ୍ସା ପାଇଁ ରୋଗୀଙ୍କୁ ଆନ୍ଧ୍ର ଉପରେ ନିର୍ଭର କରିବାକୁ ପଡ଼ୁଛି। ଜିଲ୍ଲାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ ସମେତ ୧୧ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ୩୦ରୁ ଉର୍ଧ୍ବ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ହେଲେ କେଉଁଠି ଆବଶ୍ୟକ ଅନୁଯାୟୀ ଡାକ୍ତର ନାହାନ୍ତି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କୌଣସି ଅପରେସନ୍ ହୋଇପାରୁନଥିବା ବେଳେ ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ନାହାନ୍ତି ଶଲ୍ୟ ବିଶେଷଜ୍ଞ। ଆହତ ଓ ଗୁରୁତର ବ୍ୟକ୍ତି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ପରେ ପ୍ରାଥମିକ ଚିକିତ୍ସା କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତର ଚିକିତ୍ସା କରିବା ପରିବର୍ତ୍ତେ ଅଧିକ ଚିକିତ୍ସା ନାଁରେ କୋରାପୁଟ-ବ୍ରହ୍ମପୁର-କଟକ ମେଡ଼ିକାଲ୍ କଲେଜକୁ ସ୍ଥାନାନ୍ତର କରି ଦେଉଛନ୍ତି। ୧୨ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଜିଲ୍ଲାବାସୀଙ୍କୁ ଚିକିତ୍ସା ସେବା ଯୋଗାଇବା ପାଇଁ ମାତ୍ର ୧୦୦ ଡାକ୍ତର ଥିବାରୁ ବିପର୍ଯ୍ୟସ୍ତ ହେବାରେ ଲାଗିଛି ସ୍ବାସ୍ଥ୍ୟସେବା। ଏହା ସତ୍ତ୍ବେ ସରକାର ମେଡ଼ିକାଲ୍ କଲେଜ ପ୍ରତିଷ୍ଠା, ଡାକ୍ତର ନିଯୁକ୍ତି ଦାବିକୁ ଅଣଦେଖା କରି ଚାଲିଛନ୍ତି। ଯାହା ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନରେ ବିରୋଧୀ ନିର୍ବାଚନ ପ୍ରସଙ୍ଗ କରିପାରନ୍ତି।

 

ସମ୍ବନ୍ଧିତ ଖବର