ରାୟଗଡ଼ା : ଅଚଳ ଶୀତଳ ଭଣ୍ଡାର, ଭରସା ବାହାର ରାଜ୍ୟ

ରାୟଗଡ଼ା : ପନିପରିବା ଚାଷରେ ସ୍ବାବଲମ୍ବୀ ରାୟଗଡ଼ା ଚାଷୀ। ବାଇଗଣ, ବନ୍ଧାକୋବି, ବିନସ୍, ଫୁଲକୋବି, କାକୁଡ଼ି, ପୋଟଳ, ଗାଜର, ବୋଇତାଳୁ, ଭେଣ୍ଡି, ଆଳୁ, ମଟର, ମୂଳା, ଲାଉ, ମିଠାଆଳୁ, ପିଆଜ ଭଳି ଦୈନନ୍ଦିନ ପରିବା ଉତ୍ପାଦନ କରି ଗ୍ରାମାଞ୍ଚଳ ଚାଷୀ ବେଶ୍ ଲାଭବାନ୍ ହେଉଛନ୍ତି। କିନ୍ତୁ ଉତ୍ପାଦିତ ପରିବା ଜିଲ୍ଲାର ଆବଶ୍ୟକତା ପୂରଣରେ ସଫଳ ହୋଇପାରୁନି। ନିଅଣ୍ଟିଆ ଉତ୍ପାଦନ ଯୋଗୁ ବାହାର ରାଜ୍ୟ ପରିବା ଆବଶ୍ୟକତା ମେଣ୍ଟାଇବା ସହ ଦର ନିୟନ୍ତ୍ରଣରେ ସହାୟକ ହେଉଛି।

ଜିଲ୍ଲାର ରାୟଗଡ଼ା, କୋଲନରା, ବିଷମକଟକ, ମୁନିଗୁଡ଼ା, କଲ୍ୟାଣସିଂହପୁର, ଗୁଣପୁର ବ୍ଲକର ୧୧ହଜାର ୨୯୨ ହେକ୍ଟର ଜମିରେ ପରିବା ଚାଷ ହେଉଛି। ଯାହା ଗ୍ରାମାଞ୍ଚଳ ଚାହିଦା ମେଣ୍ଟାଇବା ସହ କିଛି ସହରାଞ୍ଚଳକୁ ଆସୁଛି। ଯାହା ପରିବା ଦର ବୃଦ୍ଧିର ମୁଖ୍ୟ କାରଣ ହୋଇଛି। ପଡ଼ୋଶୀ ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ, ଶ୍ରୀକାକୁଲମ୍, ଛତିଶଗଡ଼ର ରାୟପୁର, ଝାଡ଼ଖଣ୍ଡର ରାଞ୍ଚିରୁ ପରିବା ଆସିବା ବନ୍ଦ ଥିବାରୁ ଦର ଆକାଶଛୁଆଁ ହୋଇଛି। ଲକ୍‌ଡାଉନ୍ ପୂର୍ବରୁ ଏହି ସବୁ ରାଜ୍ୟରୁ ଜିଲ୍ଲାକୁ ୬ରୁ ୭ ଟ୍ରକ୍ ବିଭିନ୍ନ ପରିବା ଆସୁଥିଲା। ଯାହାଫଳରେ ପରିବା ଦର ସର୍ବାଧିକ କେଜି ପିଛା ୬୦ ପର୍ଯ୍ୟନ୍ତ ପହଞ୍ଚୁଥିଲା। ଅନ୍ୟପକ୍ଷରେ ଗ୍ରାମାଞ୍ଚଳ ଚାଷୀ ବଜାରକୁ ଆସି ପାରୁନଥିବାରୁ ବ୍ୟବସାୟୀ ଗାଁରେ ପହଞ୍ଚି ପରିବା କିଣି ଆଣି ବଜାରରେ ଚଢ଼ା ଦରରେ ବିକ୍ରି କରୁଛନ୍ତି। ଲକ୍‌ଡାଉନ୍ ଆରମ୍ଭ ପରଠୁ ବଜାରରେ ପରିବା ଦର ବେଲଗାମ ହୋଇ ପଡ଼ିଛି।

Amazon.com

ଉଦ୍ୟାନ ବିଭାଗ ସୂଚନା ମୁତାବକ ଜିଲ୍ଲାର ୧୩୬୩ ହେକ୍ଟର ଜମିରେ ଭେଣ୍ଡି, ୧୫୫ ହେକ୍ଟରରେ ମଟର, ୫୨୨ ହେକ୍ଟରରେ ବିନସ୍, ୧୦୭୯ ହେକ୍ଟରରେ ବନ୍ଧାକୋବି, ୪୨୭୦ ହେକ୍ଟରରେ ବାଇଗଣ, ୮୦୦ ହେକ୍ଟରରେ ଫୁଲକୋବି, ୬୫୫ ହେକ୍ଟରରେ ବୋଇତାଳୁ, ୧୧୫୦ ହେକ୍ଟରରେ ‌ପୋଟଳ, କାଙ୍କଡ଼, ଅଲଡ଼ି, କଲରା, କଞ୍ଚାଲଙ୍କା ଭଳି ବହୁ ପରିବା ଚାଷ ହେଉଛି। ଏପରି ଭାବେ ୨୦ ହଜାର ୬୩ ହେକ୍ଟର ଜମିରୁ ବାର୍ଷିକ ୨ ଲକ୍ଷ ୬୫ ହଜାର ୪୩୧ ମେଟ୍ରିକ୍ ଟନ୍ ପରିବା ଉତ୍ପାଦିତ ହେଉଛି।

୧୧ଲକ୍ଷ ଜନସଂଖ୍ୟା ବିଶିଷ୍ଟ ରାୟଗଡ଼ା ଜିଲ୍ଲା ପାଇଁ ଦୈନିକ ୧୨୦ କୁଇଣ୍ଟାଲରୁ ଅଧିକ ପରିବା ଆବଶ୍ୟକତା ହୋଇଥାଏ। କିନ୍ତୁ ଜିଲ୍ଲାରୁ ମାତ୍ର ୩୦ରୁ ୪୦ କୁଇଣ୍ଟାଲ ପରିବା ଉତ୍ପାଦନ ହେଉଥିବାରୁ ଦର ଆକାଶ ଛୁଆଁ ହେଉଛି। ନଭେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଜିଲ୍ଲାରେ ଭଲ ପରିବା ଉତ୍ପାଦନ ହୋଇଥାଏ। ହେଲେ ଉତ୍ପାଦିତ ପରିବାକୁ ସଂରକ୍ଷିତ ରଖିବାକୁ ଶୀତଳ ଭଣ୍ଡାର ନଥିବାରୁ ବାହାର ଜିଲ୍ଲା ଓ ରାଜ୍ୟକୁ ପରିବା ବିକ୍ରି ପାଇଁ ରପ୍ତାନି ହୋଇଥାଏ। ଜିଲ୍ଲା ସଦର ମହକୁମାରେ ୫କୋଟି ବ୍ୟୟରେ ନିର୍ମିତ ୫ ହଜାର ମେଟ୍ରିକ୍ ଟନ୍ ଶୀତଳ ଭଣ୍ଡାର ୬ବର୍ଷ ହେଲା ଅଚଳ ହୋଇ ପଡ଼ିଥିବାରୁ ଉତ୍ପାଦିତ ପରିବାର ସଂରକ୍ଷଣ ସହ ଚାଷୀଙ୍କୁ ଉଚିତ୍ ମୂଲ୍ୟ ମିଳିପାରୁନି।

ସମ୍ବନ୍ଧିତ ଖବର