ରାୟଗଡା ସିଆରଫିଏଫ୍ କ୍ୟାମ୍ପ ସ୍ତବ୍ଧ: ସହିଦ୍ ପ୍ରସନ୍ନଙ୍କୁ ଝୁରୁଛନ୍ତି ସାଥୀ

୨ ମାସ ତଳେ ରାୟଗଡାରୁ ବଦଳି ହୋଇଥିଲେ: ଶ୍ରଦ୍ଧାଞ୍ଜଳି ଦେଇ ଖାଦ୍ୟ ତ୍ୟାଗ କଲେ ୧୨ଶହ ଯବାନ

ରାୟଗଡା: ୪ ବର୍ଷ ଧରି ରାୟଗଡା ମାଟିର ସେବା କରିଥିଲେ। ୨ ମାସ ତଳେ ବଦଳି ହୋଇଥିଲେ ଜମ୍ମୁ କଶୀରକୁ। କର୍ମ ମାଟିର ସଂପର୍କକୁ ଛିନ୍ନ କରି ଯିବା ପାଇଁ ଇଚ୍ଛା ନ ଥିଲା। କିନ୍ତୁ ଅଫିସ୍ ଆଦେଶକୁ ଅବମାନନା କରିପାରି ନଥିଲେ। ଗଲା ବେଳେ ସାଥୀ ଯବାନଙ୍କୁ କଥା ଦେଇଥିଲେ ଛୁଟିରେ ଆସିଲେ ନିଶ୍ଚୟ ଦେଖା ହେବ। ଏପରିକି କିଛି ଯବାନଙ୍କ ସହ ନିୟମିତ ମୋବାଇଲରେ ଯୋଗାଯୋଗରେ ଥିଲେ। କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା। ଗତକାଲି ଜମ୍ମୁରୁ କଶ୍ମୀର କ୍ୟାମ୍ପକୁ ଯାଉଥିବା ବେଳେ ଆତଙ୍କି ହମଲାରେ ସହିଦ୍ ହୋଇଗଲେ ପ୍ରସନ୍ନ କୁମାର ସାହୁ। ଆତଙ୍କି ହମଲାରେ ୪୪ ଯବାନଙ୍କ ମୃତ୍ୟୁ ଘଟଣା ରାୟଗଡା ସିଆରପିଏଫ୍ କ୍ୟାମ୍ପକୁ ସ୍ତବ୍ଧ କରି ଦେଇଛି। ସେହିପରି ପ୍ରସନ୍ନ ସହିଦ୍ ହେବା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସାଥୀ ଯବାନ। ସାଥୀ ଯବାନଙ୍କ ସ୍ମୃତିରେ ଆଜି କ୍ୟାମ୍ପ ପରିସରରେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ୧୨ଶହ ଯବାନ ଖାଦ୍ୟ ତ୍ୟାଗ କରିଛନ୍ତି।
ସାଥୀ ଯବାନଙ୍କ କହିବାନୁଯାୟୀ, ଶାନ୍ତ ଓ ସରଳ ସ୍ବଭାବର ଥିଲେ ପ୍ରସନ୍ନ। କର୍ତବ୍ୟରେ କେବେ ହେଳା କରୁନଥିଲେ। କ୍ୟାମ୍ପ ଭିତରେ ହେଉ କିମ୍ବା ବାହାରେ ସବୁବେଳେ ନିଜ ଦାୟିତ୍ବ ତୁଲାଇବାରେ ସେ ଥିଲେ ଆଗରେ। ଯେଉଁଥି ପାଇଁ ଉଚ୍ଚ ପଦସ୍ତ ଅଧିକାରୀଙ୍କଠୁ ଆରମ୍ଭ କରି ସାଥୀ ଯବାନଙ୍କ ପ୍ରିୟ ପାତ୍ର ହୋଇ ପାରିଥିଲେ। ରାୟଗଡା, ଗୁଡାରି, ବିଷକକଟକ, ବିଜାପୁର ସମେତ ଜିଲ୍ଲାର ସମସ୍ତ କ୍ୟାମ୍ପରେ ହାବିଲଦାର୍ ଭାବେ କାମ କରିଛନ୍ତି ପ୍ରସନ୍ନ। ନୂତନ ଭାବେ ସିଆରପିଏଫରେ ସାମିଲ୍ ଯବାନଙ୍କ ମନୋବଳକୁ ଦୃଢ଼ କରିବା ସହ ଅପରେସନ ସମୟରେ ପ୍ରସନ୍ନ ନିଭାଉଥିଲେ ପ୍ରମୁଖ ଭୂମିକା। ଗତ ୨ ମାସ ତଳେ ପ୍ରସନ୍ନଙ୍କ ବଦଳି ଆଦେଶ ଆସିବା ପରେ ରାୟଗଡା ଛାଡ଼ିଯିବା ପାଇଁ ମନ ଦୁଃଖ କରିଥିଲେ। ପ୍ରଥମତଃ ନିଜ ଜନ୍ମମାଟି ଜଗତସିଂହପୁର ଜିଲ୍ଲାର ନାଉଗାଁରୁ ଏବଂ ଦ୍ବିତୀୟତଃ କର୍ମ ମାଟି ରାୟଗଡାରୁ ଦୂରେଇ ଯିବାକୁ ନେଇ। କିନ୍ତୁ ବଦଳି ଆଦେଶର ମାତ୍ର କିଛି ଦିନ ମଧ୍ୟରେ ପ୍ରସନ୍ନ ଜମ୍ମୁ-କଶ୍ମୀରରେ ଯୋଗ ଦେଇଥିଲେ। ଆଉ ଗତକାଲିର ଘଟଣାରେ ପ୍ରସନ୍ନ ସହିଦ୍ ହେବା ଘଟଣା ସମସ୍ତଙ୍କୁ ମର୍ମାହତ କରିଛି।
ପ୍ରତି‌ଶୋଧ ଚେତାବନୀ ଦେଲେ ଯବାନ
ସାଥୀ ଯବାନ ସହିଦ୍ ହେବା ଘଟଣା ମିୟମ୍ରାଣ କରିଛି। କିନ୍ତୁ କମିନି ସାହାସ। ଭାଙ୍ଗି ଯାଇନି ମନୋବଳ। ଜବାବ ଦେବାକୁ ପ୍ରସ୍ତୁତ ସିଆରପିଏଫ୍ ଯବାନ। ନକ୍ସଲ ପ୍ରଭାବିତ ରାୟଗଡାରେ କାର୍ଯ୍ୟରତ ସିଆପିଏଫ୍ କ୍ୟାମ୍ପରୁ ଶୁଭିଛି ଏପରି ଦେଶପ୍ରେମର ନାରା। ନିଜ ସାଥୀଙ୍କୁ ହରାଇ ରକ୍ତମୁଖା ହୋଇ ପଡିଛନ୍ତି ଯବାନ। ପ୍ରତିଶୋଧ ନେବାକୁ ଦେଇଛନ୍ତି ଚେତବାନୀ। ଭୀରୁଙ୍କ ଭଳି ଆତଙ୍କବାଦୀ ପଛପଟୁ ଯବାନଙ୍କୁ ଆକ୍ରମଣ କରିବା ଘଟଣାକୁ ନିନ୍ଦା କରିଛନ୍ତି ସିଆରପିଏଫ ଯବାନ। କହିଛନ୍ତି ସତ ସାହସ ଅଛି ତ ସମ୍ମୁଖରୁ ଲଢ଼େଇ କର। କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ଏହାକୁ କେହି ଅଲଗା କରିବାକୁ ଚିନ୍ତା କଲେ ଏମିତି ଶହ ଶହ ଯବାନ ନିଜ ଜୀବନ ଦେବାକୁ ପ୍ରସ୍ତୁତ। ସହିଦ୍ ଯବାନଙ୍କ ସ୍ମୃତିରେ ଆଜି ୪ର୍ଥ ବାଟାଲିୟନ୍ କ୍ୟାମ୍ପରେ ସକାଳେ ଆୟୋଜିତ ହୋଇଥିଲା ସ୍ମୃତି ସଭା। କ୍ୟାମ୍ପର ସେକଣ୍ଡ ଇନ୍ କମାଣ୍ଡାଣ୍ଟ୍ ଏସ୍. କେ. ଠାକୁର, ଡେପୁଟି କମାଣ୍ଡାଣ୍ଟ୍ ଅଶୋକ ପି. ଏମ୍, ଆର୍. ଏନ୍. ତ୍ୟାଗୀ, କେ. ନାରାୟଣ ରାଓ, ପି. କେଶବ, ଏସ୍. କେ. ଜେନା, ଏ. କେ. ମହାପାତ୍ର, ଟି. ଉପେନ୍ଦ୍ର, କେ. ଅନୀଲଙ୍କ ସମେତ ୧୨ ଶହ ଯବାନ ସାମିଲ୍ ହୋଇଥିଲେ।

ସମ୍ବନ୍ଧିତ ଖବର