ରୋଗୀକୁ ଚିକିତ୍ସା ପାଇଁ ନେଇ ଫସିଲେ ଡ୍ରାଇଭର : ଗାଁକୁ ପଶିବା ମନା, କାର୍‌ରେ ବିତୁଛି ଦିନ

ରାୟଗଡ଼ା (ନବୀନ ଚନ୍ଦ୍ର ସାହୁ) : ଅସହ୍ୟ ଯନ୍ତ୍ରଣାରେ ଛଟପଟ ରୋଗୀଙ୍କୁ ନେଇ ଯାଇଥିଲେ ବିଶାଖାପାଟଣା। ଚିକିତ୍ସା ସାରି ଗାଁକୁ ଫେରିଥିଲେ। ହେଲେ କରୋନା ଭୟରେ ଗ୍ରାମବାସୀ ଗାଁକୁ ପୂରାଇ ଦେଲେନି। ଚିକିତ୍ସିତ ହୋଇଥିବା ରୋଗୀ ନିଜ ଘରକୁ ଫେରିଥିବା ବେଳେ ଗାଡ଼ି ଭଡ଼ା ନେଇ ଯାଇଥିବା ଡ୍ରାଇଭର ଏବେ ଗାଁ ବାହାରେ ରହି ବାସନ୍ଦ ଜୀବନ ବିତାଉଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ସଦର ବ୍ଲକ୍ ଆଚବା ଗାଁରେ। ଗାଁ ଲୋକଙ୍କ ତାଗିଦ୍ ପରେ ଡ୍ରାଇଭର ଜଣଙ୍କ ଗାଜିଗାଁ ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ସମ୍ମୁଖରେ କାର୍‌ ପାର୍କିଂ କରି ଦିନରାତି ସେଇଠି ହିଁ ବିତାଉଛନ୍ତି।

ଜୁନ୍ ୨୧ ତାରିଖରେ ରାୟଗଡ଼ା ବ୍ଲକ୍ ଗାଜିଗାଁର ଜଣେ ବ୍ୟକ୍ତି ଗୋଡ଼ରେ ଅସହ୍ୟ ଯନ୍ତ୍ରଣା କାରଣରୁ ଛଟପଟ ହେଉଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପରେ କୌଣସି ସୁଧାର ନ ଆସିବା ଯୋଗୁଁ ପରିବାର ଲୋକ ବିଶାଖାପାଟଣା ନେବା ପାଇଁ ସ୍ଥିର କରିଥିଲେ। ତେବେ ଲକ୍‌ଡାଉନ୍ ଯୋଗୁଁ ବସ୍ ଓ ରେଳ ଚଳାଚଳ ବନ୍ଦ ଥିବାରୁ ଭଡ଼ା ଗାଡି ପାଇଁ ଆଚବା ଗାଁର ଜନୈକ ଡ୍ରାଇଭରକୁ ଯୋଗାଯୋଗ କରିଥିଲେ। ଡ୍ରାଇଭର ଭଡ଼ା ସୂତ୍ରରେ କାର୍‌ରେ ରୋଗୀଙ୍କୁ ନେଇ ବିଶାଖାପାଟଣା ଯାଇଥିଲେ। ବିଶାଖାପାଟଣାର ଏକ ଘରୋଇ ହସ୍‌ପିଟାଲରେ ରୋଗୀଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ୨ ଦିନର ଚିକିତ୍ସା ପରେ ଯନ୍ତ୍ରଣା କମିବାରୁ ପୁଣି ଉକ୍ତ କାର୍‌ରେ ହିଁ ସମସ୍ତେ ଫେରି ଆସିଥିଲେ। ବିଶାଖାପାଟଣାରୁ ଫେରିବା ପରେ ରୋଗୀ ଓ ନିଜ ସଂପର୍କୀୟ ନିଜ ଗାଁକୁ ଫେରି ଯାଇଥିଲେ। କିନ୍ତୁ ଗାଡ଼ି ଭଡ଼ାରେ ନେଇଥିବା ଯୁବକକୁ ଆଚବା ଗ୍ରାମବାସୀ ଗାଁରେ ପୂରାଇ ଦେଇ ନ ଥିଲେ। କରୋନା ସନ୍ଦେହରେ ଗ୍ରାମବାସୀ ଏପରି ପଦକ୍ଷେପ ନେଇଥିବା ବେଳେ ସ୍ବାବ୍‌ ପରୀକ୍ଷା ପରେ ଗାଁକୁ ଆସିବାକୁ ଚେତାବନୀ ଦେଇଛନ୍ତି। ଗ୍ରାମବାସୀଙ୍କ ଚାପରେ ପରିବାର ଲୋକ ମଧ୍ୟ ନିରବ ରହିବାରୁ ସଂପୃକ୍ତ ଯୁବକ ଘଟଣା ଦିନ ରାତିରେ ଗାଁ ବାହାରେ କାର୍‌ରେ ରାତି ବିତାଇଥିଲେ। ପରଦିନ ସକାଳେ ଅଙ୍ଗନବାଡ଼ି କର୍ମୀଙ୍କ ସହାୟତାରେ ଗାଜିଗାଁ ରାଜୀବ ଗାନ୍ଧୀ ସେବାକେନ୍ଦ୍ରକୁ ଯାଇ ସେଠାରେ ଗାଡ଼ି ରଖିବା ସହ ଦିନ ଓ ରାତି କାର୍‌ରେ ବିତାଉଛନ୍ତି। ପରିବାର ଲୋକ ଖାଇବାକୁ ଆଣି ଦେଉଥିବା ବେଳେ ଗାଁକୁ ଫେରିବା ନେଇ ସହମତି ହୋଇପାରୁ ନ ଥିବାରୁ ଗତ ୩ ଦିନ ହେଲା ଯୁବକ ଜଣଙ୍କ ଗାଡ଼ିରେ ହିଁ ସମୟ ବିତାଉଛନ୍ତି।

ସେହିପରି ଖିଜିଲିଂ ଗ୍ରାମର ଜଣେ ଯୁବତୀ ତାମିଲନାଡ଼ୁରୁ ଫେରିବା ପରେ ପେନିକଣା ସ୍ଥିତି ସଙ୍ଗରୋଧ କେନ୍ଦ୍ରରେ ୨୧ଦିନ ରହି ନିଜ ଘରକୁ ଫେରିଥିଲେ। କିନ୍ତୁ ଉକ୍ତ ଯୁବତୀକୁ ମଧ୍ୟ ଗ୍ରାମବାସୀ ଗାଁରେ ପୂରାଇ ଦେଇନଥିଲେ। ପରେ ଅଙ୍ଗନବାଡ଼ି କର୍ମୀଙ୍କ ସହାୟତାରେ ଯୁବତୀ ଜଣଙ୍କ ଅଙ୍ଗନବାଡ଼ି କେନ୍ଦ୍ର ନିକଟ ଏକ ଗୁହାଳରେ ୭ ଦିନ ରହିବା ପରେ ଗାଁକୁ ଫେରିଥିବା ଜଣା ପଡ଼ିଛି।

ଅନ୍ୟପକ୍ଷରେ ଲକ୍‌ଡାଉନ୍ କୋହଳ ପରେ କାରୁବାଇ, ଖିଜିଲିଂ ଗ୍ରାମର ଦୁଇ ବ୍ୟକ୍ତି ତାମିଲନାଡ଼ୁରୁ ଫେରି ପେନିକଣା ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ। ଦୁଇ ବ୍ୟକ୍ତି ସଂପର୍କରେ ଜ୍ବାଇଁ ଓ ଶ୍ବଶୁର। କିନ୍ତୁ ସଙ୍ଗରୋଧ କେନ୍ଦ୍ରରେ ରହିବାରେ ଅସୁବିଧା ଅନୁଭବ କରି ଗତ କିଛି ଦିନ ତଳେ ସଂଧ୍ୟାରେ ପାଚେରି ଡେଇଁ ନିଜ ଘରକୁ ପଳାଇଥିଲେ। ପ୍ରଶାସନ ପକ୍ଷରୁ ଅନ୍ତେବାସୀଙ୍କୁ ସଂଧ୍ୟାକାଳୀନ ଟିଫିନ୍ ଦିଆଯିବା ସମୟରେ ଦୁଇ ଜଣ ଫେରାର ହୋଇ ଯାଇଥିବା ଜଣା ପଡ଼ିବା ପରେ ଖୋଜିବା ଆରମ୍ଭ ହୋଇଥିଲା। ସଙ୍ଗରୋଧ କେନ୍ଦ୍ରରୁ ପଳାଇ ଆସିଥିବା ଜ୍ବାଇଁ ଓ ଶ୍ବଶୁର ଘରେ ପହଞ୍ଚିବା ପରେ କରୋନା ଭୟରେ ଘର ଲୋକ ମଧ୍ୟ ବାରଣ କରିଥିଲେ। ଘରୁ ଚାଲି ଯିବାକୁ କହିଥିଲେ। ଘର ଲୋକଙ୍କ ବି‌ରୋଧ ପରେ ଉଭୟେ ପଳାଇ ଆସି ଏକ ସ୍ଥାନରେ ଲୁଚିଥିବା ବେଳେ ଶେଷଖାଲ ପୁଲିସ ଉଭୟଙ୍କୁ ଉଦ୍ଧାର କରି ଆଣି ସଙ୍ଗରୋଧ କେନ୍ଦ୍ରରେ ଛାଡ଼ିଥିଲା।

କରୋନା ବିପତ୍ତି ସମୟରେ ରୋଗକୁ ଘୃଣା କର ରୋଗୀକୁ ନୁହେଁ ନେଇ ବୋଲି ରାଜ୍ୟ ସରକାରଙ୍କ ଜନ ସଚେତନତା ଜାରି ରଖିଛନ୍ତି। ଏହା ସତ୍ତ୍ବେ ଭିଟାମାଟିମୁହାଁ ପ୍ରବାସୀ ଗ୍ରାମାଞ୍ଚଳରେ ସାମାଜିକ ବାସନ୍ଦର ଶିକାର ହେଉଛନ୍ତି।

ସମ୍ବନ୍ଧିତ ଖବର