ନୂଆବର୍ଷରୁ ଜମିଲାଣି ରାୟଗଡ଼ା ରାଜନୀତି

ପ୍ରତିଷ୍ଠା ଦିବସ ପରଠାରୁ ବିଜେଡି ଶିବିରରେ ସକ୍ରିୟତା
ରାଜ୍ୟ ନେତୃତ୍ବ ଭରସାରେ ବିଜେପି, ପୁଅ ପାଇଁ ବ୍ୟସ୍ତ ଗିରିଧର
କ୍ଷମତାକୁ ଫେରିବା ଲାଗି କସରତ ଆରମ୍ଭ କଲାଣି କଂଗ୍ରେସ

ରାୟଗଡ଼ା, (ନବୀନ ଚନ୍ଦ୍ର ସାହୁ): ସ୍ଥିତି ବଜାୟ ରଖିବାକୁ ସଂଗଠନ ସଜାଡ଼ୁଛି ବିଜେଡି। ପୁଣି କ୍ଷମତା ଆଶାରେ ମଇଦାନକୁ ଓହ୍ଲାଇଲାଣି କଂଗ୍ରେସ। ରାଜ୍ୟରେ ବିରୋଧୀ ଦଳର ଭୂମିକା ତୁଲାଉଥିବା ବିଜେପି ରାୟଗଡ଼ା ରାଜନୀତିରେ ଖାତା ଖୋଲିବାକୁ କରୁଛି ପ୍ରୟାସ। ପଞ୍ଚାୟତ ଓ ପୌର ନିର୍ବାଚନକୁ ନଜରରେ ରଖି ୨୦୨୧ ଆରମ୍ଭରୁ ଏଭଳି କସରତ ଆରମ୍ଭ କଲେଣି ତିନି ରାଜନୈତିକ ଦଳ। ଏହାକୁ ନେଇ ଜିଲ୍ଲା ରାଜନୀତି ସରଗରମ ରହିଛି।

ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହେଉଛି ରାୟଗଡ଼ା ।  ୩ ବିଧାନସଭା ନିର୍ବାଚନ ମଣ୍ଡଳୀ, ୨ ପୌରପାଳିକା, ଗୋଟିଏ ବିଜ୍ଞାପିତ ଅଞ୍ଚଳ ପରିଷଦ, ୨୨ ଜିଲ୍ଲା ପରିଷଦ ଆସନ, ୧୧ ପଞ୍ଚାୟତ ସମିତି ରହିଛି। ଏକଦା କଂଗ୍ରେସର ଗଡ଼ରେ କ୍ଷମତା ହାସଲ ପାଇଁ ବିଜେଡିକୁ ଢେର୍ ସଂଘର୍ଷ କରିବାକୁ ପଡ଼ିଥିଲା।  ତତ୍କାଳୀନ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଗିରିଧର ଗମାଙ୍ଗଙ୍କୁ ହରାଇ ବିଜେଡି ପ୍ରଥମ ଥର ପାଇଁ ୨୦୦୯ ସାଧାରଣ ନିର୍ବାଚନରେ କୋରାପୁଟ ଲୋକସଭା ଆସନକୁ ଅକ୍ତିଆର କରିଥିଲା। ୨୦୧୪ରେ ବିଜେଡି ଲୋକସଭା ନିର୍ବାଚନରେ ସଫଳତାକୁ ଦୋହରାଇଥିଲା। କିନ୍ତୁ ୨୦୧୯ରେ କଂଗ୍ରେସ ପ୍ରାର୍ଥୀ ଇଂ. ସପ୍ତଗିରି ଉଲାକା ଶାସକ ବିଜେଡି ଓ ବିଜେପିକୁ ଚକ୍କମା ଦେଇ ବିଜୟୀ ହୋଇଥିଲେ। ବିଜେଡି ବିଜୟ ରାସ୍ତାରେ  ବିଜେଡି ନେତା ଜୟରାମ ପାଙ୍ଗୀ, କଂଗ୍ରେସ ଛାଡ଼ି ବିଜେପିରେ ଯୋଗ‌ ଦେଇଥିବା ଡ.ଗମାଙ୍ଗ କଣ୍ଟା ସାଜିଥିଲେ।

୨୦୧୯ ନିର୍ବାଚନରେ ରାୟଗଡ଼ା ଆସନରେ ବିଜେଡି ପରାଜିତ ହୋଇଛି। କଂଗ୍ରେସ ଟିକେଟ ନ ପାଇ ସ୍ବାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲି ବିଜେଡି ଏଠାରୁ ଜିତିଛନ୍ତି।  ବିଜେଡି ଏଠାରେ ଏବେ ସଂଗଠନ ସଜା଼ଡ଼ିବା ଆରମ୍ଭକଲାଣି। ନିର୍ବାଚନ ପରେ ଜିଲ୍ଲା ବିଜେଡି ସଭାପତି ଦାୟିତ୍ବ ସୁଧୀର ଦାଶଙ୍କ ହାତକୁ ଫେରିଛି। ଦଳୀୟ ନେତା ଓ କର୍ମୀଙ୍କ ଆସ୍ଥା ବଜାଇ ରଖିବାକୁ ଦଳ ବିଷମକଟକ ବିଧାୟକ ଜଗନ୍ନାଥ ସାରକାଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ କରିଛି। ଜଗନ୍ନାଥ, ସୁଧୀରଙ୍କ ସହ ଜିଲ୍ଲା ସଂଗଠନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସୁଛନ୍ତି ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ। ଦଳର ପ୍ରତିଷ୍ଠା ଦିବସ ପରଠାରୁ ଜିଲ୍ଲାରେ ବିଜେଡିର ସକ୍ରିୟତା ବେଶ୍ ପରିଦୃଷ୍ଟ।

ବିଜେଡିଠୁ ଲୋକସଭା ଆସନ ଛଡ଼ାଇ ଆଣିବାରେ ସକ୍ଷମ ହୋଇଥିଲେ ହେଁ କଂଗ୍ରେସ ୩ ବିଧାନସଭା ଆସନରେ ପରାଜିତ ହୋଇଥିଲା। ୨୦୧୭ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ଆସନ ଯାଇଥିଲା କଂଗ୍ରେସ ଖାତାକୁ। ୨୦୧୯ ଉପନିର୍ବାଚନରେ ଦଳ ଏହି ଆସନ ହରାଇଛି। ନିର୍ବାଚନୀ ମାମଲାକୁ ନେଇ କଂଗ୍ରେସର ଅଧ୍ୟକ୍ଷ ପ୍ରାର୍ଥୀ ପୁରୁଷୋତ୍ତମ ଗମାଙ୍ଗଙ୍କୁ କୋର୍ଟ ଅସିଦ୍ଧ ଘୋଷଣା କରିବା ପରେ ଉପନିର୍ବାଚନରେ ବିଜେଡି ଜିଲ୍ଲା ପରିଷଦକୁ ହାତେଇ ନେଇଛି। ରାଜନୀତିରେ ପାଦ ଥାପୁ ଥାପୁ ବିଜୟର ସ୍ବାଦ ଚାଖିଥିବା ସାଂସଦ ସପ୍ତଗିରି ଏବେ ଲୋକଙ୍କ ମନ କିଣିବାକୁ ଆଦିବାସୀଙ୍କ ପାଇଁ ଲଢ଼ିବା ଆରମ୍ଭ କରିଛନ୍ତି। କଂଗ୍ରେସର ଜିଲ୍ଲା ପ୍ରଭାରୀ ତଥା କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ୩ ନିର୍ବାଚନ ମଣ୍ଡଳୀ ଗସ୍ତ କରିବା ସହିତ ଦଳର କର୍ମୀଙ୍କୁ ସକ୍ରିୟ କରୁଛନ୍ତି।

ବିଜେପି ଏଯାଏ ରାୟଗଡ଼ା ରାଜନୀତିରେ ଦବଦବା ସୃଷ୍ଟି କରିବାରେ ସଫଳ ହୋଇନି। ୩ ବିଧାନସଭା ଆସନରେ ଦଳର ଭୋଟ ହାର ଆଖିଦୃଶିଆ ନ ଥିଲା; ଯଦିଓ ଲୋକସଭା ଆସନରେ ଦଳର ଭୋଟହାର ବଢ଼ିଥିଲା। ନିର୍ବାଚନ ପୂର୍ବରୁ ବିଜେପି ଦୁଇ ପ୍ରମୁଖ ଦଳ ଯଥା କଂଗ୍ରେସର ଡ. ଗିରିଧର ଗମାଙ୍ଗ, ବିଜେଡିର ଜୟରାମ ପାଙ୍ଗୀକୁ ନିଜ ଆଡ଼କୁ ଟାଣିବାରେ ସକ୍ଷମ ହୋଇଥିଲା। କିନ୍ତୁ ଜିଲ୍ଲା ସଂଗଠନରେ ଗିରିଧରଙ୍କ ଭୂମିକା ନଗଣ୍ୟ ଥିବା ବେଳେ କେବଳ ଗୁଣପୁର ବିଧାନସଭା ଆସନରେ ସୀମିତ ରହିଛି। ସେ ଏବେ ନିଜ ପୁଅ ଶିଶିର ଗମାଙ୍ଗ ଗଡ଼ ସୁଦୃଢ ପାଇଁ ଜୋର ଲଗାଇଛନ୍ତି। ଅନ୍ୟ ଅଞ୍ଚ​ଳର ନେତାମାନେ କିନ୍ତୁ ରାଜ୍ୟ ନେତାଙ୍କ ଉପରେ ଭରସା କରିଛନ୍ତି।

ସମ୍ବନ୍ଧିତ ଖବର