ରାୟଗଡ଼ାର ବିସ୍ମୟ ବାଳକ ବିଭୂନନ୍ଦନ , ମହାକାଶ ଓ ସୌର ମଣ୍ଡଳ ସଂପର୍କରେ ରଖିଛନ୍ତି ଅଗାଢ଼ ଜ୍ଞାନ

ରାୟଗଡ଼ା : ବିଭୂନନ୍ଦନ ନାଥ। ବୟସ ୭ ବର୍ଷ। କିନ୍ତୁ ମହାକାଶ ଓ ସୌରମଣ୍ଡଳ ସଂପର୍କରେ ରଖିଛନ୍ତି ଅଗାଢ଼ ଜ୍ଞାନ। ମହାକାଶର ସ୍ଥିତି କ’ଣ, ପୂର୍ବରୁ କ’ଣ ଥିଲା ମହାକାଶ ଆଉ ଏହାର ସୃଷ୍ଟି କେମିତି ହେଲା ଏମିତି ଅନେକ ପ୍ରଶ୍ନର ଚଟାପଟ ଉତ୍ତର ଦେଉଛନ୍ତି ବିଭୂ। ଏତେ ଛୋଟ ବୟସରୁ ବିଭୂନନ୍ଦନଙ୍କ ଏପରି ପ୍ରତିଭାକୁ ନେଇ ଅଭିଭାବକଙ୍କ ସମେତ ଶିକ୍ଷକ ଉତ୍ସାହିତ ହୋଇ ପଡ଼ିଛନ୍ତି।

ରାୟଗଡ଼ାର ଦୀପ୍ତି କନଭେଣ୍ଟ୍ ସ୍କୁଲରେ ଷ୍ଟାଣ୍ଡାର୍ଡ ଦୁଇରେ ପଢ଼ୁଛନ୍ତି ବିଭୂନନ୍ଦନ। ବାପା ଗୌରହରି ନାଥ ବୃତ୍ତିରେ ଜଣେ ବ୍ୟବସାୟୀ। ସକାଳୁ ଗୌରହରି ନିଜ ବ୍ୟବସାୟ ସମ୍ଭାଳିବାକୁ ବାହାରକୁ ଚାଲି ଯାଉଥିବା ବେଳେ ମାଆ ସୁନିତା ନାଥ ଗୃହ କାମରେ ବ୍ୟସ୍ତ। ଏହା ଭିତରେ ମୋବାଇଲ୍ ଧରି ଗୁଗୁଲ୍, ୟୁ ଟ୍ୟୁବ ସାହାର୍ଯ୍ୟରେ ମହାକାଶ ଓ ସୌର ମଣ୍ଡଳ ସଂପର୍କରେ ଜ୍ଞାନ ଆହୋରଣ କରନ୍ତି ବିଭୂ। ସ୍କୁଲରୁ ଆସିବା ପରେ ବିଭୂନନ୍ଦନ ମୋବାଇଲ ଧରି ଘଣ୍ଟା ଘଣ୍ଟା ବସି ରହନ୍ତି। ମନୋରଂଜନ ପାଇଁ ବିଭୂନନ୍ଦନ ଗେମ୍ କିମ୍ବା କାର୍ଟୁନ୍ ଦେଖୁଥିବା ଭାବି ପରିବାର ଲୋକ କେବେ କିଛି କହନ୍ତି ନାହିଁ। ତେବେ ଟ୍ୟୁସନ୍ ଶିକ୍ଷକ ଅରବିନ୍ଦ ଟ୍ରାକିଙ୍କୁ ବିଭୂନନ୍ଦନ ଦିନେ ମହାକାଶ ସଂପର୍କରେ ପ୍ରଶ୍ନ ପଚାରିବା ପରେ ଆଶ୍ଚର୍ଯ୍ୟ ହୋଇଥିଲେ ଶିକ୍ଷକ। ସ୍କୁଲ୍ ପାଠ୍ୟକ୍ରମରେ ଏପରି ବିଷୟ କିଛି ନଥିବା ବେଳେ ବିଭୂ ହଠାତ୍ ମହାକାଶ ସଂପକର୍ରେ ଜାଣିବାର ଜିଜ୍ଞାସାକୁ ଦେଖି ଟ୍ୟୁସନ ଶିକ୍ଷକ ଅରବିନ୍ଦ ବିଭୂଙ୍କୁ କେଉଁଠୁ ଏ ସବୁ ଶିଖିଲ ବୋଲି ପଚାରିଥିଲେ। ଏପରିକି ବିଭୂଙ୍କ ପ୍ରଶ୍ନର ଉତ୍ତର ହଠାତ୍ ଦେଇପାରିନଥିଲେ ଶିକ୍ଷକ। ମୋବାଇଲ୍ ମାଧ୍ୟମରେ ମହାକାଶ ଜ୍ଞାନ ସଂପର୍କରେ ସବୁ କିଛି ଶିଖିଥିବା ବିଭୂ କହିବା ପରେ ପରିବାର ଲୋକଙ୍କୁ ଅବଗତ କରିଥିଲେ ଟ୍ୟୁସନ ଶିକ୍ଷକ।

ମହାକାଶ ଓ ସୌର ମଣ୍ଡଳ ସଂପର୍କରେ ବିଭୂଙ୍କ ମୁହଁରୁ ଅର୍ନଗଳ ବାହାରୁଥିବା ଜ୍ଞାନ ସଂପର୍କରେ ଶୁଣି ପରିବାର ଲୋକଙ୍କ ସହ ପଡୋଶୀ ଓ ଟ୍ୟୁସନ୍ ଶିକ୍ଷକ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ବ୍ଲକ୍ ହୋଲ୍ ବା ପୃଥିବୀ ଧ୍ବଂସ ହେଲେ କଣ ହୁଏ? କସମିକ୍ ବା ଦୁଇଟି ତାରା ମିଶିଲେ କେଉଁ ପ୍ରକାର ଆଲୋକ ଜାତ ହୁଏ ତାହା ମଧ୍ୟ ଜାଣିଛନ୍ତି ବିଭୂନନ୍ଦନ। ଆଗକୁ ବିଭୂନନ୍ଦନ ନାସାକୁ ଯାଇ ଗବେଷଣା କରିବା ସହ ମଙ୍ଗଳ ଗ୍ରହରେ ବୃକ୍ଷରୋପଣ କରିବାକୁ ଇଚ୍ଛା ରଖିଛନ୍ତି। ତେବେ ଏହି ସବୁ ଜ୍ଞାନ କୌଣସି ଶିକ୍ଷକ ନୁହେଁ ବରଂ ୟୁ ଟ୍ୟୁବ ଓ ଗୁଗୁଲରୁ ଆରୋହଣ କରିଛନ୍ତି। ଗତ ୨ ବର୍ଷ ହେଲା ମୋବାଇଲ, ଟିଭିକୁ ବ୍ୟବହାର ବିଭୂ ମହାକାଶ ଓ ସୌର ମଣ୍ଡଳ ସଂପର୍କରେ ହାତେଇଛନ୍ତି ବହୁ ତଥ୍ୟ। ବିସ୍ମୟ ବାଳକ ବିଭୂନନ୍ଦନଙ୍କୁ ନେଇ ସହରରେ ଚର୍ଚ୍ଚା ଜୋର୍ ଧରିବା ପରେ ପୁଅର ଇଚ୍ଛା ପୂରଣ ପାଇଁ ବାପା ଗୌରହରି ବହୁ ଲୋକଙ୍କ ସହ ଆଲୋଚନା ଜାରି ରଖିଛନ୍ତି। କେମିତି ଓ କିପରି ଭାବେ ଅଧିକ ଜ୍ଞାନ ଉପଲବ୍ଧି କରି ହେବ ସେ ନେଇ ପାଠ୍ୟକ୍ରମ ଓ ଅନ୍ୟ ଟେକ୍ନୋଲୋଜି କିଣିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ୟା ଭିତରେ କିଛି ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟ ବିଭୂଙ୍କୁ ମାଗଣାରେ ପାଠ ପଢ଼ାଇବା ପାଇଁ ପରିବାର ଲୋକଙ୍କୁ ଆହ୍ବାନ ଦେଇଛନ୍ତି। ଏତେ ଛୋଟ ବୟସରୁ ପୁଅକୁ ବାହାରେ ଛାଡ଼ିବା ନେଇ ବାପା ଗୌରହରି ଇଚ୍ଛା ପ୍ରକାଶ କରି ନାହାନ୍ତି।

ସମ୍ବନ୍ଧିତ ଖବର